କନକ ବ୍ୟୁରୋ : ଓଡ଼ିଆ ଝିଅଙ୍କ ସଫଳତା । କୋରିଆନ ପପ୍ ବ୍ୟାଣ୍ଡ ବ୍ଲାକ ସ୍ୱାନରେ ସଦସ୍ୟ ପାଲଟିଲେ ଓଡ଼ିଆ ଝିଅ ଶ୍ରୀୟା ଲେଙ୍କା । ଏଭଳି ସଫଳତା ପାଇବାରେ ସେ ପ୍ରଥମ ଭାରତୀୟ । ତାଙ୍କ ଘର ରାଉରକେଲାରେ । ୧୮ ବର୍ଷୀୟ ଶ୍ରୀୟା ଏହି ବ୍ୟାଣ୍ଡରେ ସଦସ୍ୟ ହେବାକୁ ଚୟନ ହେବା ପରେ ଦକ୍ଷିଣ କୋରିଆ ରାଜଧାନୀ ସିଓଲରେ ଏକ ୬ ମାସିଆ ତାଲିମ ପାଇଁ ତାଙ୍କୁ ସୁଯୋଗ ମିଳିଥିଲା । ସେ ଡିସେମ୍ବରରୁ ସେଠାରେ ଅଛନ୍ତି । ଶ୍ରୀୟା ସେଠାରେ ସଂଗୀତ ଓ ନୃତ୍ୟର ଅଭ୍ୟାସ କରିଆସୁଛନ୍ତି ।
ଜୁଲାଇରେ ସାରା ବିଶ୍ୱର ୪ ହଜାର ଆବେଦନକାରୀଙ୍କ ମଧ୍ୟରୁ ଶ୍ରୀୟା ସିଲେକ୍ଟ ହୋଇଥିଲେ । ବ୍ଲାକ ସ୍ୱାନ ହେଉଛି ଏକ କୋରିଆନ ବ୍ୟାଣ୍ଡ । ଏଥିରେ ୬ ଜଣ ସଦସ୍ୟ ଥିବା ବେଳେ ଶ୍ରୀୟା ଓ ବ୍ରାଜିଲର ଗାବ୍ରିଏଲ ଡାଲସିନ ନୂଆକରି ଏହି ବ୍ୟାଣ୍ଡରେ ସାମିଲ ହୋଇଛନ୍ତି । ପୂର୍ବରୁ ଏହି ଗ୍ରୁପରେେ ଦୁଇ ଜଣ କୋରିଆ, ଜଣେ ବେଲଜିୟମ ଓ ଜଣେ ଜାପାନିଜ୍-ବ୍ରାଜିଲିଆନ କଳାକାର ରହିଛନ୍ତି । ଏହି ବ୍ୟାଣ୍ଡ ବିଶ୍ୱ ପ୍ରସିଦ୍ଧ । ଏହା ଆଗକୁ ଏକ ନୂଆ ଆଲବମ୍ ଆଣିବାକୁ ଯାଉଛି । ଏଥିରେ ଶ୍ରୀୟାଙ୍କ ସମେତ ଏହି ୬ ଜଣ ଯାକ କଳା ପ୍ରଦର୍ଶନ କରିବେ ।
Follow Us