କନକ ବ୍ୟୁରୋ : ୪ ହଜାର ପ୍ରତିଯୋଗୀଙ୍କୁ ପଛରେ ପକାଇଲେ ଓଡ଼ିଆ ଝିଅ । ପ୍ରଥମ ଭାରତୀୟ କେ ପପ୍ କଳାକାର ହେବା ପାଇଁ ଗୋଟିଏ ପାଦ ଦୂରରେ ଅଛନ୍ତି ଝାରସୁଗୁଡ଼ାର ଶ୍ରେୟା ଲେଙ୍କା । ପ୍ରତିଯୋଗିତାରେ ବିଜୟୀ ହେଲେ ସେ କେ ପପ୍ ଗ୍ରୁପର ବ୍ଲାକ ସ୍ୱାନର ପଂଚମ ସଦସ୍ୟ ହେବେ । ଶ୍ରେୟା ବର୍ତମାନ ବ୍ରାଜିଲର ଗ୍ରାବ୍ରିଏଲା ଡାଲସିନଙ୍କ ସହିତ ପ୍ରତିଯୋଗିତା କରୁଛନ୍ତି ।

Advertisment

୨ ଜଣଙ୍କ ମଧ୍ୟରୁ ଯିଏ ବିଜୟୀ ହେବ ସେ କେ ପପ୍ରେ ପଂଚମ ସ୍ଥାନ ଅଧିକାର କରିବ ବୋଲି ଜଣାପଡ଼ିଛି । କୋରିଆ ମ୍ୟୁଜିକ୍ ଲେବଲ ଡିଆର ମ୍ୟୁଜିକରେ ଶ୍ରେୟା ଏକମାତ୍ର ଏସୀୟ । ଗତବର୍ଷ ଡିସେମ୍ବରରୁ ୨ ମାସର ତାଲିମ ଅବଧି ଆରମ୍ଭ କରିବା ପାଇଁ ଭାରତୀୟ ପ୍ରଶିକ୍ଷାର୍ଥୀ ଭାବେ ଶ୍ରେୟା ଏବଂ ବ୍ରାଜିଲର ପ୍ରଶିକ୍ଷାର୍ଥୀ ଭାବେ ଗାବ୍ରିଏଲା ଡାଲସିନଙ୍କୁ ମନୋନୀତ କରାଯାଇଥିଲା । ବର୍ତମାନ ଶ୍ରେୟା ଦକ୍ଷିଣ କୋରିଆରେ ରହି କୋରିଆ ଭାଷା ଶିକ୍ଷିବା ସହିତ ଅନେକ ଜିନିଷ ପାଇଁ ତାଲିମ ନେଉଛନ୍ତି ।

ଏହି ସଫଳତା ପାଇବା ପରେ ତାଙ୍କ ପରିବାରରେ ଖୁସିର ଲହରି ଖେଳିଯାଇଛି । ତାଙ୍କ ବାପା ଅବିନାଶ ଲେଙ୍କା ଏକ ଘରୋଇ କମ୍ପାନିରେ କାର୍ଯ୍ୟ କରୁଥିବା ବେଳେ ମା’ ପ୍ରିୟା ଲେଙ୍କା ଜଣେ ଗୃହିଣୀ । ଶ୍ରେୟା ଝାରସୁଗୁଡ଼ା ଡିଏଭି ସ୍କୁଲରୁ ୨୦୨୦ରେ ମାଟ୍ରିକ ପାସ ପରେ କୋଭିଡ ସମସ୍ୟା ଓ ତାଲିମ ଯୋଗୁଁ ଗୋଟିଏ ବର୍ଷ କଲେଜ ପାଠ ପଢ଼ା ବାଧାପ୍ରାପ୍ତ ହୋଇଥିଲା । ଗତ ବର୍ଷ ସେ ଝାରସୁଗୁଡ଼ା ମହିଳା କଲେଜରେ +୨ରେ ନାମ ଲେଖାଇଥିବା ଜଣାଯାଇଛି ।

ଶ୍ରେୟା ନୃତ୍ୟ ଏବଂ ଯୋଗରେ ଜାତୀୟ ଓ ଆଞ୍ଚଳିକସ୍ତରର ବିଭିନ୍ନ ପ୍ରତିଯୋଗିତାରେ ପୁରସ୍କୃତ ମଧ୍ୟ ହୋଇଛନ୍ତି । ଓଡ଼ିଶୀରୁ ନୃତ୍ୟ ଆରମ୍ଭ କରିଥିବା ଶ୍ରେୟା ୫ ବର୍ଷ ତଳେ ରାଉରକେଲାରେ ନୃତ୍ୟ ଶିକ୍ଷା ପାଇଁ ନାମ ଲେଖାଇଥିଲେ । ପରେ ବିଭିନ୍ନ ଗୁରୁଙ୍କ ସଂସ୍ପର୍ଶରେ ଆସି ଭିନ୍ନ ଭିନ୍ନ ଆଧୁନିକ ନୃତ୍ୟ ଶିକ୍ଷା କରିଥିଲେ । ଏହି ପ୍ରତିଯୋଗିତାରେ କଣ୍ଠସ୍ୱରକୁ ମାର୍ଜିତ କରିବା ଲାଗି ସେ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କରିଛନ୍ତି । ଏହି ସଫଳତା ପାଇଁ ତାଙ୍କ ପରିବାର ସଦସ୍ୟ ତଥା ଶିକ୍ଷକ ପ୍ରବୀଣ ବାର୍ଲା ବହୁ ପରିଶ୍ରମ କରିଥିବା ଶ୍ରେୟାଙ୍କ ବାପା କହିଛନ୍ତି ।