ମହାଶିବରାତ୍ରୀକୁ ନେଇ ଉତ୍ସବ ମୁଖର ଓଡ଼ିଶା । ମାନସିକ ରଖି ଜାଗର ଦୀପ ଜାଳୁଛନ୍ତି ଶ୍ରଦ୍ଧାଳୁ, ମହାଦୀପ ଉଠିବାକୁ ଅପେକ୍ଷା ।

243

କନକ ବ୍ୟୁରୋ : ଆଉ କିଛି ସମୟ ପରେ ବିଭିନ୍ନ ଶୈବପୀଠରେ ଉଠିବ ମହାଦୀପ । ସାରା ରାଜ୍ୟରେ ଚଳଚଂଚଳ ହୋଇଉଠିଛି ଶୈବ ପୀଠ । ଏକାମ୍ରକ୍ଷେତ୍ର ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରରେ ଦେଖିବାକୁ ମିଳିଛି ପ୍ରବଳ ଭିଡ । ଏଠାରେ ଜାଗର ପାଇଁ ହୋଇଛି ବିଶେଷ ଆୟୋଜନ । ସାରା ରାତି ଉଜାଗର ରହି ହଜାର ହଜାର ଶ୍ରଦ୍ଧାଳୁ ଜାଳିବେ ଜାଗର ଦୀପ । ଏଥିପାଇଁ ବିଶେଷ କାର୍ଯ୍ୟକ୍ରମ ରହିଛି ।

ଆଜି ଜାଗର ରୀତିନୀତି ପରେ ରାତି ପ୍ରାୟ ୧୦ ଟାରେ ଉଠିବ ମହାଦୀପ । ଏହି ମହାଦୀପ ଦର୍ଶନ ପରେ ଜାଗର ବ୍ରତ ଭଂଗ କରିବେ ଶ୍ରଦ୍ଧାଳୁ । ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମନ୍ଦିରରେ ପ୍ରଭୁ ମହାଦେବଙ୍କ ଦର୍ଶନ କରୁଛନ୍ତି । ପ୍ରଭୁ ଲିଙ୍ଗରାଜଙ୍କ ନିକଟରେ ମନସ୍କାମନା ରଖିଥିବା ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମନ୍ଦିରରେ ପହଂଚି ଦୀପ ଜାଳୁଛନ୍ତି । ଦିନ ସାରା ଉପାସ ବ୍ରତ ରଖି ଏହି ଶ୍ରଦ୍ଧାଳୁମାନେ ଶିବଙ୍କ ଉପାସନା କରୁଛନ୍ତି । ଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିବା ପରେ ଏହି ଦୀପର ଦର୍ଶନ କରି ସେମାନେ ଉପବାସ ଭାଙ୍ଗିବାର ପରମ୍ପରା ରହିଛି ।

ଜାଗର ପାଇଁ ଖାଲି ଲିଙ୍ଗରାଜ କାହିଁକି ରାଜ୍ୟର ସମସ୍ତ ଶୈବପୀଠରେ ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି । ଜାଗର ଅବସରରେ ପୁରୀର ଶୈ÷ବପୀଠ ଲୋକନାଥ ମନ୍ଦିରରେ ଭକ୍ତଙ୍କ ଲମ୍ବାଧାଡି ଲାଗିଥିଲା । ସକାଳୁ ଶହ ଶହ ଶ୍ରଦ୍ଧାଳୁ ମନ୍ଦିରକୁ ଆସି ପୁଷ୍କରିଣୀରେ ପାଦ ଧୋଇ ମନ୍ଦିରରେ ଲୋକନାଥଙ୍କ ଦର୍ଶନ କରିଛନ୍ତି । ଜାଗର ଅବସରରେ ଭକ୍ତଙ୍କ ଭିଡକୁ ନଜରରେ ରଖି ମନ୍ଦିର ଭିତରେ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି ।

ଜାଗର ଅବସରରେ ଲୋକନାଥ ମନ୍ଦିର ପରିସରରେ ସ୍ଥାପନ ହୋଇଛି ବିଶାଳ ମାଟିଦୀପ । ଯାହାକି ଆକର୍ଷଣର କେନ୍ଦ୍ର ପାଲଟିଛି । ଲୋକନାଥରେ ରାତି ୩ଟାରେ ମହାଦୀପ ଉଠିବ । ସେହିପରି ଆଠଗଡର ଧବଳେଶ୍ୱର ମନ୍ଦିର ବି ହୋଇ ଉଠିଛି ଚଳଚଂଚଳ । ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ଜାଗର ଅବସରରେ ହର ହର ମହାଦେବ ଉଚ୍ଚାରଣରେ ଗୁଂଜରିତ ହୋଇଛି ପୁରା ପରିବେଶ ।

ଧବଳେଶ୍ୱରଙ୍କ ପୀଠର ବିଶେଷ ମହାତ୍ମ୍ୟ ରହିଥିବାରୁ ଜାଗର ଅବସରରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଏଠାରେ ରାତି ଗୋଟାଏ ସମୟରେ ମହାଦୀପ ଉଠିବ । ସେହିପରି ଆରଡିରେ ଭୋର ୫ଟା, ହୁମାରେ ଭୋର ୪ଟା ଏବଂ ଗୁପ୍ତେଶ୍ୱରରେ ରାତି ସାଢେ ୧୧ଟାରୁ ୧୨ ଟା ମଧ୍ୟରେ ଉଠିବ ମହାଦୀପ । ଆରଡି, ହୁମା ଏବଂ ଗୁପ୍ତେଶ୍ୱର ପୀଠରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି ।