କମିଲା ସଂକ୍ରମଣ…ଖୋଲିଲା ଓଡିଶା : ଆଜିଠାରୁ ରାଜ୍ୟରେ ହଟିଲା ସପ୍ତାହନ୍ତ ସଟଡାଉନ

 ଶତ ପ୍ରତିଶତ ଦର୍ଶକରେ ଚାଲିବ ସିନେମା ହଲ; ମଲରେ ଦେଖାଇବାକୁ ପଡିବନି ଟିକା ପ୍ରମାଣପତ୍ର, ବିବାହ ଶୋଭାଯାତ୍ରାକୁ ଅନୁମତି 

208

କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହେବ ସେପ୍ଟେମ୍ବର ଗାଇଡଲାଇନ୍ । ଭୁବନେଶ୍ୱର, କଟକ ଓ ପୁରୀ ସହରରେ ହଟିଛି ସପ୍ତାହନ୍ତ ସଟଡାଉନ । ରାଜ୍ୟର ଗ୍ରାମାଂଚଳରେ ଆଉ ନାଇଟ୍ କର୍ଫ୍ୟୁ ରହିବ ନାହିଁ । କେବଳ ପୌରାଞ୍ଚଳ ଓ ସହରାଞ୍ଚଳରେ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ରହିବ । ଦୀର୍ଘ ଚାରିମାସ ପରେ ରାଜ୍ୟରେ ପୁଣି ଥରେ ସ୍ୱାଭାବିକ ହେବାକୁ ଯାଉଛି ସାଧାରଣ ଜନଜୀବନ । ସେପ୍ଟେମ୍ବର ଗାଇଡଲାଇନରେ ଜୀବନ-ଜୀବିକାକୁ ଗୁରୁତ୍ୱ ଦେଇ ଅନଲକ୍ ପ୍ରକ୍ରିୟାକୁ ଆଉ ଗୋଟିଏ ପାଦ ଆଗକୁ ନେଇଛନ୍ତି ରାଜ୍ୟ ସରକାର ।

ଲୋକଙ୍କ ଦାବିକୁ ମାନିନେଇ କଟକ, ଭୁବନେଶ୍ୱର ଓ ପୁରୀ ସହରରୁ ସପ୍ତାହନ୍ତ ସଟଡାଉନକୁ ହଟାଇ ଦିଆଯାଇଛି । ସନ୍ଧ୍ୟା ୮ଟାରୁ ନାଇଟ୍ କର୍ଫ୍ୟୁ ଲାଗୁ ହେଉଥିବାରୁ ଏହା ବ୍ୟବସାୟୀଙ୍କ ସମେତ ସାଧାରଣ ଲୋକଙ୍କ ଜୀବିକାକୁ ପ୍ରଭାବିତ କରୁଥିଲା । ଏଥିପାଇଁ ନାଇଟ୍ କଫ୍ୟୁ ସମୟକୁ କୋହଳ କରିବାକୁ ବିଭିନ୍ନ ମହଲରୁ ଦାବି ବଢ଼ୁଥିଲା । ଲୋକଙ୍କ ଦାବି ଓ ବର୍ତମାନର ସ୍ଥିତିକୁ ଦେଖି ନାଇଟ୍ କର୍ଫ୍ୟୁ କଟକଣାକୁ କୋହଳ କରାଯାଇଛି । ସେହିପରି ବିବାହ ଓ ଅନ୍ତ୍ୟେଷ୍ଟି କ୍ରିୟାରେ ଏଣିକି ୨୫୦ ଜଣ ସାମିଲ ହୋଇପାରିବେ । ଦୀର୍ଘଦିନ ହେବ ବାହାଘର ଶୋଭାଯାତ୍ରା ଉପରେ କଟକଣା ଲାଗିଥିଲା । କଟକଣା ଯୋଗୁଁ ବ୍ୟାଣ୍ଡ ପାର୍ଟି , ଲାଇଟ୍ ଓ ସାଉଣ୍ଡ ବ୍ୟବସାୟ କରୁଥିବା ମାଲିକ ଓ କର୍ମଚାରୀଙ୍କ ଜୀବିକା ପ୍ରଭାବିତ ହୋଇଥିଲା । ହେଲେ ସେପ୍ଟେମ୍ବର ମାସରେ ସେମାନଙ୍କ ପାଇଁ ଖୁସି ଖବର ଆଣିଛନ୍ତି ସରକାର ।

ବିବାହ ହେଉ କି ବ୍ରତ ଘର କିମ୍ବା ଶୁଦ୍ଧିକ୍ରିୟା କଟକଣା ଯୋଗୁଁ ନିଜର ଲୋକମାନେ ବି ଯୋଗ ଦେଇ ପାରୁନଥିଲେ । କଟକଣାକୁ କୋହଳ କରି ଏସମସ୍ତ କାର୍ଯ୍ୟରେ ୨୫୦ ଜଣ ଯୋଗ ଦେବାକୁ ଅନୁମତି ଦେଇଛନ୍ତି ସରକାର । ଆଗକୁ ପାର୍ବଣ ଋତୁ ଆସୁଥିବାରୁ କିଭଳି ଲୋକ ଗହଳିକୁ ଏଡାଇ ଦିଆଯାଇପାରିବ ସେପ୍ଟେମ୍ବର ଗାଇଡଲାଇନରେ ଏହା ଉପରେ ଜୋର ଦିଆଯାଇଛି । ପାର୍ବଣ ସମୟରେ ପଡୁଥିବା ପ୍ରଦର୍ଶନୀ ଓ ମେଳାକୁ ବାରଣ କରାଯାଇଛି । ସମସ୍ତ ସାମାଜିକ, ଧାର୍ମିକ, ରାଜନୈତିକ ଓ ସାଂସ୍କୃତିକ ସମାବେଶ ଉପରେ କଟକଣା ରହିଛି ।