ବିରୋଧୀଙ୍କ ମମିତା ବନାମ ବିଜେଡିର ମହଙ୍ଗା । ଦରବୃଦ୍ଧି ପ୍ରସଙ୍ଗରେ କାଲିଠୁ ରାସ୍ତାକୁ ଓହ୍ଲାଇବ ବିଜେଡି ।

145

କନକ ବ୍ୟୁରୋ : ବିଜେଡି ଓ ବିଜେପି ସମ୍ପର୍କରେ ଆସିଲା କି ପରିବର୍ତନ । ମମିତା ମେହେର ପ୍ରସଙ୍ଗରେ ବ୍ୟାକଫୁଟରେ ଥିବା ବିଜେଡି ଏବେ ଦରଦାମ ବୃଦ୍ଧି ପ୍ରସଙ୍ଗ ଉଠାଇ ବିଜେପି ଉପରେ ଶାଣିତ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛି । ପେଟ୍ରୋଲ, ଡିଜେଲ, ଗ୍ୟାସ ଓ ଅନ୍ୟାନ୍ୟ ସାମଗ୍ରୀ ଅହେତୁକ ଦର ବୃଦ୍ଧି ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇଛି ଦଳ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ମାତ ଦେବାକୁ ଦଳ ଏହି ରଣନୀତି କରିଥିବା କୁହାଯାଉଛି ।

ସରିଲା ଦୋସ୍ତି, ଆରମ୍ଭ ହେଲା କୁସ୍ତି । ଦରବୃଦ୍ଧି ନେଇ ଲଢେଇ ଏବେ ରାଜରାସ୍ତାରେ ! ସାଧାରଣ ନିର୍ବାଚନ ପୂର୍ବରୁ ପେଟ୍ରୋଲ, ଡିଜେଲ ଦରବୃଦ୍ଧିର ପ୍ରତିବାଦ କରିଥିବା ବିଜେଡି ପୁଣି ସମାନ ମୁଦ୍ଦାକୁ ଧରି ରାସ୍ତାକୁ ଓହ୍ଲାଇବାକୁ ଘୋଷଣା କରିଛି । ଅର୍ଥାତ୍ ଖାଦ୍ୟ ସାମଗ୍ରୀ, ତୈଳଦର, ଏଲପିଜିର ଅହେତୁକ ଦରବୃଦ୍ଧି ବିରୋଧରେ ଯୁଦ୍ଧଂଦେହୀ ଡାକରା । କେନ୍ଦ୍ରରେ କ୍ଷମତାରେ ଥିବା ଦଳ ଦରଦାମ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି, ଯାହା ଲୋକଙ୍କ ପାଇଁ ଯନ୍ତ୍ରଣାଦାୟକ ହୋଇଛି । ଦଳର ସୂଚନା ଅନୁସାରେ,

– ରବିବାର ରାଜଭବନ ସାମ୍ନାରେ ପ୍ରତିବାଦ କରିବ ବିଜୁ ମହିଳା ଜନତା ଦଳ
– ନଭେମ୍ବର ୧ରେ ନିର୍ବାଚନମଣ୍ଡଳୀ ସ୍ତରରେ ହେବ ପ୍ରତିବାଦ
– ଦରଦାମ ବୃଦ୍ଧି ପ୍ରତିବାଦରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦିଆଯିବ ସ୍ମାରକପତ୍ର

୨୦୧୯ ପରଠାରୁ କେନ୍ଦ୍ର ବିରୋଧରେ ମୁହାଁମୁହିଁ ସ୍ଥିତିକୁ ଆସୁନଥିବା ବିଜେଡି ହଠାତ୍ ତାର ରାଜନୈତିକ ଆଭିମୁଖ୍ୟରେ କାହିଁକି ପରିବର୍ତନ ଆଣିଲା, ତାକୁ ନେଇ ଚର୍ଚ୍ଚା । କୁହାଯାଉଛି, ମମିତା ମେହେର୍ ମାମଲାରେ ବ୍ୟାକଫୁଟରେ ଥିବା ଶାସକ ଦଳ ଦରଦାମ ପ୍ରସଙ୍ଗ ଉଠାଇ ଲୋକଙ୍କ ନିକଟକୁ ପହଞ୍ଚିବାକୁ ରଣନୀତି କରିଛି ।

ରାଜ୍ୟରେ ରନ୍ଧନ ଗ୍ୟାସ୍ ୧୦୦୦ ଟଙ୍କା ଛୁଇଁଲାଣି । ଗତ ଦୁଇ ବର୍ଷରେ ପେଟ୍ରୋଲ ଓ ଡିଜେଲ ଦର ୩୦% ବଢିଛି । ଅତ୍ୟାବଶ୍ୟକ ସାମଗ୍ରୀ ଦର ଆକାଶଛୁଆଁ ହୋଇଛି । ତେଣୁ ସାଧାରଣ ଲୋକଙ୍କ ସମସ୍ୟାକୁ ନେଇ ଦଳ ରାସ୍ତାକୁ ଓହ୍ଲାଉଥିବା ନେଇ ଯୁକ୍ତି ବାଢୁଛି । ହେଲେ ଚର୍ଚ୍ଚା ହେଉଛି, ପଞ୍ଚାୟତ ନିର୍ବାଚନ ଆଗରୁ ମମିତା ମେହେର ମାମଲାକୁ ନେଇ ବିରୋଧୀ ଗାଁ ଗାଁରେ ପହଞ୍ଚିବାକୁ ରଣନୀତି କରୁଥିବା ବେଳେ ତାକୁ କାଉଣ୍ଟର୍ କରିବାକୁ ବିଜେଡି ଦରଦାମ୍ ମୁଦ୍ଦାକୁ ଧରି ସାମ୍ନାକୁ ଆସିଛି ।

୨୦୧୯ ନିର୍ବାଚନ ପରଠାରୁ କେନ୍ଦ୍ର ବନାମ ରାଜ୍ୟ ସ୍ଥିତି ସୃଷ୍ଟି ହୋଇନଥିଲା । ଏପରିକି ଅନେକ ପ୍ରସଙ୍ଗରେ ଉଭୟ ଦଳର ରାଜନୈତିକ ଆଭିମୁଖ୍ୟ ସମାନ ବି ଥିଲା । ରାଜ୍ୟରେ ଉପ-ନିର୍ବାଚନରେ କେହି ପରସ୍ପରକୁ ଶାଣିତ ଆକ୍ରମଣ କରୁନଥିଲେ । ଦରଦାମ ବୃଦ୍ଧିକୁ ନେଇ ବି ଆଜିଯାଏଁ ବିଜେଡି ଚୁପ୍ ଥିଲା । ହେଲେ ୨୦୨୨ ପଞ୍ଚାୟତ ନିର୍ବାଚନ ଆଗରୁ ଦଳ ଏବେ ବିଜେପି ବିରୋଧରେ କଡା ରାଜନୈତିକ ଆଭିମୁଖ୍ୟ ଦେଖାଇ କେନ୍ଦ୍ର ସରକାରକୁ ଜନବିରୋଧୀ ଭାବେ ପ୍ରମାଣିତ କରିବାକୁ ଆରମ୍ଭ କରିଛି ଉଦ୍ୟମ ।