ରାଜ୍ୟରେ ଲେଉଟିଲା ଲକଡାଉନ: ୪ ଜିଲ୍ଲା ଓ ରାଉରକେଲାରେ ଆଜି ରାତି ୯ଟାରୁ ଜୁଲାଇ ୩୧ ଯାଏଁ କଟକଣା; ତାଲାବନ୍ଦ କରି କରୋନା ସଂକ୍ରମଣକୁ ରୋକିଦେବାକୁ ଚାହୁଁଛନ୍ତି ସରକାର

ହେଲେ ଅଂଟା ସଳଖୁଥିବା ଲୋକଙ୍କ ଉପରେ ମାଡିଆସିଲାଣି ୧୪ ଦିନିଆ ସଂକଟ

246

କନକ ବ୍ୟୁରୋ: ପ୍ରଥମେ ପ୍ରାୟ ୭୦ ଦିନ ଧରି ଲକଡାଉନ୍ ରହିବା ପରେ ଅନଲକ୍ ପର୍ଯ୍ୟାୟ ଭିତରେ ପଶିଥିଲା ଓଡିଶା । ହେଲେ ବିଶେଷ କିଛି ଫଳ ମିଳିଲା ନାହିଁ । ଜୁନ୍ ମାସରେ ସଂକ୍ରମଣ ବଢିଲା ଏବଂ ଏବେ ଜୁଲାଇ ମାସରେ ହୁ ହୁ ହୋଇ ବଢିଲା କରୋନା । କିନ୍ତୁ ସରକାର ଆଉ କିଛି ବାଟ ନପାଇ ପୁଣି ଥରେ ସେହି କଠୋର ଲକଡାଉନ୍ ପର୍ଯ୍ୟାୟ ଭିତରେ ପଶିଯିବା ପାଇଁ ନିଷ୍ପତି ନେଇଛନ୍ତି । ଏବଂ ୪ଟି ଜିଲ୍ଲା ଓ ରାଉରକେଲା ମହାନଗର ନିଗମରେ ଆଜି ରାତି ୯ଟାରୁ ତାଲାବନ୍ଦ ଆରମ୍ଭ ହେବାକୁ ଯାଉଛି । ଭୁବନେଶ୍ୱର–କଟକ ପୁଲିସ କମିଶନର କହିଛନ୍ତି, ଏଥର ଲକ୍ଡାଉନ୍ ପୂର୍ବ ଭଳି ନୁହେଁ ବରଂ ଆହୁରି କଡାକଡି ହେବ ।

ମହାମାରୀ କରୋନାର ସଂକ୍ରମଣ ରୋକିବାକୁ ମାର୍ଚ୍ଚ ୨୨ରୁ ମେ’ ୩୧ ଯାଏଁ ପ୍ରାୟ ୭୦ ଦିନ ଧରି ସାରା ରାଜ୍ୟରେ ଯେଉଁ କଠୋର ପଦକ୍ଷେପ ନେଇଥିଲେ ସରକାର, ପୁଣି ସେହି କଟକଣା ଫେରିଛି । ଯେଉଁ ଲକଡାଉନ ସମସ୍ତଙ୍କ ଅଂଟ ଭାଙ୍ଗି ଦେଇଥିଲା ସିଏ ପୁଣି ଫେରିଛି । ବିଶେଷ କରି ଜୁଲାଇ ଆରମ୍ଭରୁ କରୋନାର ସଂକ୍ରମଣ ଯେଭଳି ବ୍ୟାପକ ହୋଇଛି, ସେହି ଚେନକୁ ସରକାର ଭାଙ୍ଗିଦେବେ ବୋଲି ଭାବୁଛନ୍ତି । ସେଥିପାଇଁ ଆଜି ରାତି ୯ଟାରୁ ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ସମେତ ସୁନ୍ଦରଗଡ ଜିଲ୍ଲାର ରାଉରକେଲା ପୌରପାଳିକାକୁ ଲକଡାଉନ ଘୋଷଣା କରାଯାଇଛି । ଏହି କ୍ଷେତ୍ରରୁ କେବଳ ୬୬ ପ୍ରତିଶତ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି ।

କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ୧୬ ହଜାର ପାର କରିଥିବାବେଳେ କେବଳ ଗଂଜାମରେ ୫ ହଜାର ଟପି ସାରିଲାଣି । ସେହିପରି କରୋନା ମୃତ୍ୟୁ ସଂଖ୍ୟା ୮୩କୁ ଛୁଇଁଲାଣି । ହେଲେ ମହାମାରୀକୁ ନିୟନ୍ତ୍ରଣକୁ ଆଣିବାକୁ ହେଲେ ଲକଡାଉନ ସମୟରେ ସନ୍ଦିଗ୍ଧଙ୍କ ନମୂନା ପରୀକ୍ଷାକୁ ବ୍ୟାପକ କରି ସଂଗରୋଧରେ ରଖିବା ସହ ଚିକିତ୍ସା କରିବା ମଧ୍ୟ ଜରୁରୀ ବୋଲି ଚିକିତ୍ସିକଙ୍କ ମତ । ଲକଡାଉନରେ ଅତ୍ୟାବଶ୍ୟକ ସେବାକୁ କଟକଣାମୁକ୍ତ କରାଯାଇଛି ।

ଲକଡାଉନରେ କ’ଣ ଖେଲା ଓ କ’ଣ ବନ୍ଦ?

– ଗ୍ରୋସରୀ, ପରିବା ଓ କ୍ଷୀର ଦୋକାନ ନିର୍ଦ୍ଦିଷ୍ଟ ସମୟ ପାଇଁ ଖେଲା

– ସକାଳ ୬ରୁ ଦିନ ଗୋଟାଏ ଯାଏଁ ଖୋଲା ରହିବ ଏସବୁ ଦୋକାନ

– ଔଷଧ ଦୋକାନ ଓ ପେଟ୍ରୋଲ ଟାଙ୍କି ଖୋଲା ରହିବ

– ଲୋକଙ୍କ ଯାତାୟାତ ଉପରେ କଟକଣା ଲାଗିବ

– ପାଖ ଦୋକାନରୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ କୁହାଯାଇଛି

– ଅଣ୍ଡା, ମାଛ ଓ ମାଂସର ହୋମ୍ ଡେଲିଭରି କରାଯିବ

– କୃଷି ଓ ମତ୍ସ୍ୟଚାଷ ପୂର୍ବଭଳି ଚାଲୁ ରହିବ

ସଂକ୍ରମଣ ରୋକିବାକୁ ସରକାରଙ୍କ ଏହି ସତର୍କତା, ଛୋଟ ଛୋଟ ବ୍ୟବସାୟୀଙ୍କୁ ଚିନ୍ତାରେ ପକାଇ ଦେଇଛି । କାରଣ ଜୀବିକା ଚାଲିଯିବାରୁ ଯନ୍ତ୍ରଣାରେ ଛଟପଟ ହେଉଥିବା ଏହି ବ୍ୟବସାୟୀମାନେ ଅଂଟା ସଳଖିଲା ବେଳକୁ ପୁଣି ମାଡି ଆସିଛି ୧୪ ଦିନିଆ ସଂକଟ । ଜୁଲାଇ ୩୧ ଯାଏଁ ୧୪ ଦିନିଆ ଲକଡାଉନକୁ ଭୁବନେଶ୍ୱର-କଟକ ଦୈତନଗରୀରେ କଡାକଡି କରାଯିବ ବୋଲି କହିସାରିଛନ୍ତି ପୋଲିସ କମିଶନର । ଜରୁରୀ କାମ ନଥିଲେ କେହି ବାହାରକୁ ନବାହାରିବାକୁ ତାଗିଦ କରାଯାଇଛି ।  ସପ୍ତାହର ଶେଷ ଦୁଇ ଦିନ ଶନିବାର ଓ ରବିବାର ସଟଡାଉନକୁ ଏହି ୪ ଜିଲ୍ଲା ଓ ରାଉରକେଲା ମୁନିସିପାଲିଟିରୁ ହଟାଇ ଦିଆଯାଇଛି । ସେହିଦିନରେ ଲକଡାଉନର ନୂଆ ନିୟମ ରହିବ । କିନ୍ତୁ ସବୁଠାର ବଡ ପ୍ରଶ୍ନ ହେଉଛି ପୂର୍ବର ପ୍ରାୟ ୭୦ ଦିନର ଲକଡାଉନ ଯଦି ସଫଳ ହେଲାନାହିଁ, ତେବେ ଏହି ଲକଡାଉନ କେତେ କାମ କରିବ?