କନକ ବ୍ୟୁରୋ : ଓଡ଼ିଶାର ବିତଶାଳୀ ଓ କ୍ଷମତାଶାଳୀଙ୍କ କ୍ଲବ ଭୁବନେଶ୍ୱର କ୍ଲବରେ ନିର୍ବାଚନ ହେବାକୁ ଯାଉଛି । ଆଉ ଏହି ନିର୍ବାଚନରେ ସଭାପତି ପଦ ପାଇଁ ଦୁଇ ପ୍ରତିଦ୍ୱନ୍ଦୀ ହୋଇଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏବଂ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । ଆଇଏଏସ ପ୍ରିୟବ୍ରତ ପଟ୍ଟନାୟକଙ୍କ ମୃତ୍ୟୁ ପରେ ଏହି ପଦବୀ ଖାଲି ପଡିଥିଲା ।

Advertisment

ଟପ୍ ବ୍ୟୁରୋକ୍ରାଟଙ୍କ ମଧ୍ୟରେ ଟଫ୍ ଫାଇଟ୍ । ରାଜ୍ୟର ପ୍ରିମିୟର କ୍ଲବ ପାଇବ ନୂଆ ପ୍ରେସିଡେଣ୍ଟ । ନୋମିନେସନ ସରିଥିଲା, ନିର୍ବାଚନ ଅଟକିଥିଲା । ଆଉ ଏବେ ରାଜ୍ୟର ସବୁଠାରୁ ଦାମୀ କ୍ଲବରେ ଅନୁଷ୍ଠିତ ହେବାକୁ ଯାଉଛି ନିର୍ବାଚନ । ଅନେକ ନାମୀଦାମୀ ବ୍ୟକ୍ତି ବିଶେଷ ସଭ୍ୟ ଥିବା ଭୁବନେଶ୍ୱର କ୍ଳବରେ ବିଭିନ୍ନ ପଦପଦବୀ ପାଇଁ ପଡିବାକୁ ଯାଉଛି ଭୋଟ୍ । ଆଉ ସଭାପତି ପଦ ପାଇଁ ମୈଦାନରେ ଅଛନ୍ତି ଦୁଇ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ଓ ଅସିତ୍ ତ୍ରିପାଠୀ ।

ପାୱାର ସର୍କଲରେ ଦିନେ ସବୁଠାରୁ ପାୱାରଫୁଲ୍ ଥିଲେ ଏହି ଦୁଇ ଜଣ ଅଫିସର୍ । ମୁଖ୍ୟ ଶାସନ ସଚିବ ପଦରୁ ଅବସର ପରେ ଅସିତ୍ ତ୍ରିପାଠୀ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦ ସହ ଏବେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅଛନ୍ତି ।

ସେହିଭଳି ବିଜୟ ପଟ୍ଟନାୟକ ଦିନେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସବୁଠାରୁ ଶକ୍ତିଶାଳୀ ଅଫିସର୍ ଥିଲେ । ସେତେବେଳେ କୁହାଯାଏ, ବିନା ବିଜୟଙ୍କ ଇଙ୍ଗିତରେ କିଛି ହୁଏନାହିଁ । ଏହାପରେ ସେ ହୋଇଥିଲେ ପ୍ରଶାସନିକ କଳର ମୁଖ୍ୟ । ଅବସର ପରେ ବେଦାନ୍ତ ବିଶ୍ୱବିଦ୍ୟାଳୟର ଦାୟିତ୍ୱ ସମ୍ଭାଳିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏକାନ୍ତ ଅନୁଗତ ଅଧିକାରୀଙ୍କ ମଧ୍ୟରେ ଦିନେ ବିଜୟଙ୍କ ନାଁ ଶୀର୍ଷରେ ଥିଲା । ଆଉ ଏବେ ମୁହାଁମୁହିଁ ହୋଇଛନ୍ତି ଓଡିଶା ପ୍ରଶାସନିକ କଳର ଦୁଇ ଟପ୍ ଅଫିସର୍ ।

ପାଖାପାଖି ୩୦ ବର୍ଷ ଧରି କ୍ଳବର ସଭାପତି ଯିଏ ଥାଉ ନା କାହିଁକି, କ୍ଲବର ସମସ୍ତ ଦାୟି୍ତ୍ୱ ସମ୍ଭାଳିଥିଲେ ପୂର୍ବତନ ଆଇଏଏସ ଅଧିକାରୀ ପ୍ରିୟବ୍ରତ ପଟ୍ଟନାୟକ । ତାଙ୍କର ବିୟୋଗ ପରେ ସଭାପତି ପଦବୀ ଖାଲି ପଡିଥିଲା ।

ସମ୍ମାନଜନକ ସଭାପତି ପଦ ସହିତ ଅନ୍ୟାନ୍ୟ ପଦ ପଦବୀ ପୂରଣ କରିବା ପାଇଁ ଗତ ଏପ୍ରିଲ ମାସରୁ ଆରମ୍ଭ ହୋଇଥିଲା ପ୍ରକ୍ରିୟା । ସଭାପତି ପଦ ପାଇଁ ବିଜୟ ଓ ଅସିତଙ୍କ ସହ ଉପ-ସଭାପତି ପଦ ପାଇଁ ୫ ଜଣ, ସମ୍ପାଦକ ପାଇଁ ୬ ଜଣ, ଯୁଗ୍ମ ସମ୍ପାଦକ ପାଇଁ ୩ ଜଣ, ଏକଜିକ୍ୟୁଟିଭ୍ କମିଟି ମେମ୍ବର ପାଇଁ ୨୨ ଜଣ ସଭ୍ୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ସୂଚନା ମୁତାବକ ବୁଧବାର ଆଯୋଜିତ ହେବ, କ୍ଲବର କମିଟି ମିଟିଂ । ଏହି ବୈଠକରେ ବିଧିବଦ୍ଧ ଭାବରେ ନିର୍ବାଚନ ନେଇ କାର୍ଯ୍ୟସୂଚୀ ପ୍ରସ୍ତୁତ ହେବା ପରେ ରାଜ୍ୟ ସରକାରଙ୍କ ଠାରୁ ଅନୁମତି ଲୋଡାଯିବ ।

୧୯୪୯ରେ ପ୍ରତିଷ୍ଠା ହୋଇଥିଲା ଭୁବନେଶ୍ୱର କ୍ଲବ । ୧୯୫୦ରେ କ୍ଳବ ଖଲିକୋଟର ରାଜାଙ୍କୁ ପାଇଥିଲା ତାର ପ୍ରଥମ ସଭାପତି ଭାବରେ । ସେହିଦିନ ଠାରୁ ବିଭିନ୍ନ ରାଜ ପରିବାରର ମୁଖ୍ୟଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଏହି ପଦରେ ରହିଛନ୍ତି । କିନ୍ତୁ ୧୯୬୪ରେ ଶେଷ ଥର ପାଇଁ ବିଜୁ ପଟ୍ଟନାୟକଙ୍କ ପରେ ଏହି ପଦକୁ କବ୍ଚା କରିଆସିଛନ୍ତି ଆଇଏଏସ ଅଫିସର । ଦିନେ ଏହା ଆଇଏଏସ କ୍ଲବ ଭାବେ ପରିଚିତ ଥିଲା, ଆଉ ଆଜି ନାଁ ବଦଳି ହୋଇଛି ଭୁବନେଶ୍ୱର କ୍ଲବ । ତେଣୁ ଏଥର ହେବାକୁ ଥିବା ନିର୍ବାଚନରେ ବିଜୟ ନା ଅସିତ୍, କିଏ ବାଜି ମାରୁଛନ୍ତି ତାହାକୁ ଅପେକ୍ଷା ।