କନକ ବ୍ୟୁରୋ: କୁହାଯାଏ, ଯେଉଁଠି ଶବ୍ଦ ହାର୍ ମାନେ, ପରିପ୍ରକାଶ କରିବାକୁ ବିବେକ ବାଧା ଦିଏ, ସେଠି କଥାକୁହେ କଲମ । ଶହେ ଖଣ୍ଡା ଯାହା ନକରିପାରେ ତାହା ଗୋଟିଏ କଲମ ହିଁ କରିଦେଖାଏ । କଲମ ବା ପେନ୍ କୁ କିଏ କେତେ ଭଲପାଏ ତାହା ଆଜି ଆମେ ଆପଣଙ୍କୁ ଦେଖାଇବୁ ।

Kanak News is now on WhatsApp
Join and get latest news updates delivered to you via WhatsApp
ପେନ ପେନ ଓ ପେନ…. ଯୁଆଡେ ଦେଖିବେ ଖାଲି ପେନ୍ ହିଁ ପେନ୍ । ଶସ୍ତାଠୁ ଆରମ୍ଭ କରି ସୁନା କଲମ, ପୁଣି ମେଡ ଇନ୍ ଇଣ୍ଡିଆଠୁ ଆରମ୍ଭ କରି ମେଡ ଇନ୍ ଜାପାନ ଯାଏଁ । ପ୍ରାୟ ପାଞ୍ଚ ହାଜର ପ୍ରକାର ପେନ୍ କଲେକ୍ସନ ରଖିଛନ୍ତି ପେନ୍ ପ୍ରେମର ପଡ଼ିଥିବା ପେନ୍ ମ୍ୟାନ୍ ତୁଷାରକାନ୍ତ…
ଭୁବନେଶ୍ୱର ବିଡିଏ କଲୋନୀରେ ରହୁଥିବା ତୁଷାରକାନ୍ତ ଦାସ । ଯିଏ କି ଦୀର୍ଘ ୧୦ରୁ ୧୨ ବର୍ଷ ହେବ ଏଭଳି ଫାଉଣ୍ଟେନ ପେନ ଓ ଡଟପେନ କଲେନ୍ସନରେ ଲାଗିଛନ୍ତି । ଷଷ୍ଠଶ୍ରେଣୀରୁ ପେନ୍ ପ୍ରତି ତାଙ୍କର ଏଭଳି ଦୁର୍ବଳତା ରହିଛି । ସେଥିପାଇଁ ଏବେସୁଦ୍ଧା ୫ ହଜାରରୁ ଅଧିକ ଭେରାଇଟର ପେନ କଲେକ୍ସନ କରିସାରିଲେଣି ତୁଷାର। ଯେଉଁଥି ପାଇଁ ଏବେ ତୁଷାରଙ୍କୁ ପେନ୍ ମ୍ୟାନ ଅଫ ଓଡିଶା ବୋଲି କହୁଛନ୍ତି ଲୋକେ ।
ଯେଉଁ କଲମ ଦିନେ ବିପ୍ଳବ ଆଣୁଥିଲା ଆଜି ସେ ଏକ ପ୍ରକାର ଅଲୋଡ଼ା କହିଲେ ଅତ୍ୟୁକ୍ତି ହେବନି । କାହିଁକି ନା କଲମର ସ୍ଥାନ ନେଇଛି ମୋବାଇଲ, କମ୍ପୁଟର ଓ ଲାପଟପ । କିନ୍ତୁ ତୁଷାରଙ୍କ ପରି କିଛି ଲୋକ ଯିଏ, କଲମକୁ ନିଜ ଜୀବନର ଅଭିଚ୍ଛେଦ୍ୟ ଅଙ୍ଗଭଳି ଭାବି ସାଇତିକି ରଖିଛନ୍ତି । ଖାଲି ଦେଶ ନୁହେଁ ବିଦେଶର ନାମୀ ଦାମୀ ବ୍ରାଣ୍ଡ। ୫ ଟଙ୍କିଆ ପେନ୍ ଠୁ ଆରମ୍ଭ କରି ୫୦୦୦ ଟଙ୍କାର ସବ୍ ମେରାଇନ୍ ଆଉ କ୍ରସ ଭଳି ଦାମୀ ବ୍ରାଣ୍ଡ ତାଙ୍କ ପେନ୍ ଲାଇବ୍ରେରୀରେ ସ୍ଥାନ ପାଇଛି ।
ସେହିଭଳି ତୁଷାରଙ୍କ ପାଖରେ ରହିଛି ସବୁଠାରୁ ସ୍ୱତନ୍ତ୍ର ପେନ ଯାହା ୨୪ କ୍ୟାରେଟ ଓ ୨୨ କ୍ୟାରେଡ ଗୋଲ୍ଡ କୋଟେଡ ପେନ୍ । ସ୍ୱାସ୍ଥ୍ୟ କ୍ଷେତ୍ରରେ କାମ କରୁଥିବା ତୁଷାରଙ୍କ ଅନେକ ଡାକ୍ତରଙ୍କ ସହ ଭଲ ସମ୍ପର୍କ ତେଣୁ ଯିଏ ବିଦେଶକୁ ଯାଆନ୍ତି ତୁଷାର ତାଙ୍କୁ ଭଲ ପେନ୍ ଟିଏ ଆଣିବାକୁ କୁହନ୍ତି । ଆଉ ତାକୁ ନେଇ ନିଜ ଲାଇବ୍ରେରୀରେ ଯତ୍ନରେ ସାଇତି ରଖନ୍ତି। ଆଗକୁ ବଡ଼ ଲାଇବ୍ରେରୀ କରି କଲମ ସଂଗ୍ରହାଳୟ କରିବେ ବୋଲି କହିଛନ୍ତି ତୁଷାର। ଅନ୍ୟପଟେ ତୁଷାର ସହ ତାଳ ଦେଇ ତାଙ୍କ ଝିଅ ମଧ୍ୟ ପେନ ସଂଗ୍ରହାଳୟ ପାଇଁ ସ୍ୱପ୍ନ ଦେଖିଛନ୍ତି ।
ଆଧୁନିକ ଯୁଗରେ ଅଲୋଡ଼ା ହୋଇ ପଡ଼ିଥିବା ପେନ୍ ପାଇଁ ତୁଷାରଙ୍କ ଦୁର୍ବଳତା ଯୁବପୀଢ଼ିଙ୍କୁ ପେନ୍ ପ୍ରତି ଆକୃଷ୍ଠ କରାଇବ । କାହାଣୀ ଲେଖୁଥିବା କଲମକୁ ନେଇ ଛୋଟ କଲମ ସଂଗ୍ରହାଳୟ କରିବା ସ୍ୱପ୍ନ ମଧ୍ୟ ସାକାର ହେଉ ତାହା ଆମେ ଆଶା କରିବା ।