ଓଡ଼ିଶାର ମନ୍ଦା ମଇଁଷିକୁ ମିଳିଲା ଜାତୀୟ ମାନ୍ୟତା । ୧୯ତମ ପ୍ରଜାତି ଭାବେ ହେଲା ଘୋଷଣା

97

କନକ ବ୍ୟୁରୋ: ପ୍ରାଣୀ ପ୍ରତିଷ୍ଠାନ ପଂଜୀକରଣ କ୍ଷେତ୍ରରେ ମାଇଲ ଖୁଂଟ ସାଜିଲା କୋରାପୁଟ । ନ୍ୟାସନାଲ ବ୍ୟୁରୋ ଅଫ ଆନିମଲ ଜେନଟିକ ରିସୋର୍ସ ପକ୍ଷରୁ ମନ୍ଦା ମଇଁଷିକୁ ଦେଶର ୧୯ ତମ ସ୍ୱତନ୍ତ୍ର ପ୍ରଜାତି ମାନ୍ୟତା ପ୍ରଦାନ କରାଯାଇଛି । ଯହାକୁ ନେଇ ଜିଲ୍ଳାରେ ପଶୁ ପ୍ରେମିଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି ।

ଖୋଲା ମେଲାରେ ପଡ଼ିଆ ଓ ବିଲରେ ଚରୁଥିବା ଏଇ ଧୂସର ରଙ୍ଗର ମଇିଁଷି ହେଉଛନ୍ତି ମନ୍ଦା ମଇଁଷି । ଯାହାକୁ ନେଇ ଆଜି ଏତେ ଚର୍ଚ୍ଚା । ବହୁ ପୁରାତନ କାଳରୁ ଆଦିବାସୀ ଅଂଚଳରେ ପ୍ରତ୍ୟେକ ଆଦିବାସୀ ପରିବାରର ଏକ ପ୍ରମୁଖ ସାଥି ହୋଇ ରହିଛନ୍ତି ଏମାନେ । ଏମାନଙ୍କ ପାଇଁ କମ୍ ଖର୍ଚ୍ଚ ହେଉଥିବା ବେଳେ ଏଥିରୁ ଅଧିକ ଆୟ ହୋଇଥାଏ । ଆଦିବାସୀ ଅଂଚଳରେ ଚାଷ ଓ ଖୀର ପାଇଁ ଏହି ମଇଁଷି ପାଳନ କରାଯାଏ ।

ମନ୍ଦା ମଇଁଷିର ବିଶେଷତ୍ୱ ହେଉଛି ଏମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ଖୁବ୍ ଅଧିକ । ସବୁ ପ୍ରକାର ପ୍ରତିକୂଳ ପରିବେଶରେ ବଂଚି ରହିବାର କ୍ଷମତା ରଖନ୍ତି । ଏହାକୁ ପାଳନ କରିବାରେ କୌଣସି ଅସୁବିଧା ହୁଏ ନାହିଁ । ଏହି ମଇଁଷିର କ୍ଷୀର ମୋଟା, ଏଥିରେ ୮ ପ୍ରତିଶତ ଚର୍ବି ରହିଛି । କୋରାପୁଟ ଜିଲ୍ଳାରେ ଏହି ମଇଁଷି କ୍ଷୀରର ଚାହିଦା ସେତେ ନଥିବା ବେଳେ ଏହା କେବଳ ଆଦିବାସୀଙ୍କ ନିକଟରେ ହିଁ ସୀମିତ ରହିଯାଇଛି । ଓଡ଼ିଶା ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଏହି ମଇଁଷିର ବୀଜାଣୁ ସମ୍ପର୍କରେ ପ୍ରଥମେ ଚିହ୍ନଟ କରାଯାଇଥିଲା । କୋରାପୁଟର ଓ ମାଲକାନଗିରି ଜିଲ୍ଲାର ମାଳଭୁମିରେ ଏହି ସ୍ୱତନ୍ତ୍ର ପ୍ରଜାତିର ମଇଁଷି ରହିଛନ୍ତି ।

ଗୋଟିଏ ମନ୍ଦା ମଇଁଷି ଦିନକୁ ୨ ରୁ ୩ ଲିଟର କ୍ଷୀର ଦେଇଥାଏ । ଯାହା କୋରାପୁଟ ଜିଲ୍ଲାର ଆଦିବାସୀଙ୍କ ଜୀବିକା ସଂପାଦନରେ ସହାୟକ ହୋଇଥାଏ । ବର୍ତମାନ ଏହି ମଇଁଷିକୁ ଜାତୀୟ ପ୍ରଜାତୀ ମାନ୍ୟତା ମିଳିବା ପରେ ଏହି କିସମ ମଇଁଷିର ଚାହିଦା ବଢ଼ିବା ନେଇ ଆଶା କରାଯାଉଛି ।