କନକ ବ୍ୟୁରୋ : ଚୀନରେ ଚମକିଛନ୍ତି ଓଡ଼ିଆ ପୁଅ । ଜାଭେଲନ୍ ଥ୍ରୋ’ରେ ଇତିହାସ ରଚିଛନ୍ତି ବିଶ୍ୱବିଜେତା ନୀରଜ ଚୋପ୍ରା ଓ ଓଡ଼ିଆ ପୁଅ କିଶୋର ଜେନା । ଚୀନର ହାଙ୍ଗଝୋଉରେ ଅନୁଷ୍ଠିତ ଏସୀୟ କ୍ରୀଡ଼ାରେ ନୂଆ ଇତିହାସ ଲେଖିଛି ଭାରତ । କିଶୋର ଜେନା ରୌପ୍ୟ ପଦକ ଜିତିଥିବା ବେଳେ ପୁଣିଥରେ ଏସିଆନ୍ ଗେମସରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ବିଶ୍ୱ ଚାମ୍ପିଅନ୍ ନୀରଜ ଚୋପ୍ରା । ଜାଭେଲିନ୍ରେ ଭାରତ ଏକ ସଙ୍ଗେ ଦୁଇଟି ପଦକ ହାସଲ କରିବା, ଏସୀୟ କ୍ରୀଡ଼ାରେ ପ୍ରଥମ ଥର ପାଇଁ ହୋଇଛି ।

Advertisment

ନୀରଜଙ୍କ ବେଷ୍ଟ ଥ୍ରୋ – ୮୮.୮୮ ମିଟର ହୋଇଥିବା ବେଳେ କିଶୋରଙ୍କ ବେଷ୍ଟ ଥ୍ରୋ – ୮୭.୫୪ ମିଟର ରହିଛି । ଜାଭେଲିନ୍ ଥ୍ରୋ ଆରମ୍ଭରୁ ବିବାଦ ସୃଷ୍ଟି ହୋଇଥିଲା । ଭାରତୀୟଙ୍କୁ ଅଟକାଇବା ପାଇଁ ବଡ଼ ଚାଲ୍ ଖେଳିଥିଲା ଚୀନ । ଭଲ ଭାବେ ଯାଂଚ ନକରି କିଛି ଥ୍ରୋ’କୁ ଫାଉଲ୍ ଘୋଷଣା କରାଯାଇଥିଲା । ହେଲେ ଚୀନର ଏହି ଚାଲାଖି କାମ ଦେଇ ନଥିଲା । ଚତୁର୍ଥ ଥ୍ରୋରେ ୮୮.୮୮ ମିଟର ଜାଭେଲିନ୍ ଫିଙ୍ଗି ସ୍ୱର୍ଣ୍ଣ ପଦକ ହାସଲ କରିବା ସହ ସମସ୍ତଙ୍କ ମୁହଁ ବନ୍ଦ କରି ଦେଇଥିଲେ ନୀରଜ । ସେହିପରି କିଶୋର ଜେନା ମଧ୍ୟ ତାଙ୍କ ଚତୁର୍ଥ ଥ୍ରୋରେ ୮୭.୫୪ ମିଟର ଜାଭେଲିନ୍ ପିଙ୍ଗି ରୌପ୍ୟପଦକ ହାସଲ କରିଛନ୍ତି ।

ଏହା କିଶୋରଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ । ଏହି ସଫଳତା ପରେ ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି କିଶୋର ଜେନା । ଆସନ୍ତାବର୍ଷ ୨୬ ଜୁଲାଇରୁ ଅଗଷ୍ଟ ୧୧ ପର୍ଯ୍ୟନ୍ତ ଖେଳାଯିବ ପ୍ୟାରିସ୍ ଅଲିମ୍ପିକ୍ସ । ୨୮ ବର୍ଷିୟ କିଶୋର ୧୯୯୫ ମସିହା ସେପ୍ଟେମ୍ବର ୬ରେ ପୁରୀ ଜିଲ୍ଲା କୋଥସାହିରେ ଗାଁରେ ଜନ୍ମଗ୍ରହଣ କରିଥିଲେ । ଚୀନର ହାଙ୍ଗଝୋଉ ଆର୍ନ୍ତଜାତୀୟ ଷ୍ଟାଡିୟମରେ ଅନୁଷ୍ଠିତ ଏହି ଇଭେଂଟରେ କିଶୋର ରୌପ୍ୟ ପଦକ ପାଇଥିବା ବେଳେ ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ନୀରଜ ୮୮ ଦଶମିକ ୮୮ ମିଟର ଫୋପାଡି ଏହି ସଫଳତା ପାଇଛନ୍ତି ।

ନୀରଜ ଚୋପ୍ରାଙ୍କୁ କିଶୋର ଜେନା କଡା ଟକ୍କର ଦେଇଥିଲେ । ଏକଦା ସେ ନୀରଜଙ୍କୁ ପଛରେ ପକାଇ ଏକ ନମ୍ବର ସ୍ଥାନକୁ ଚାଲିଆସିଥିଲେ । ନୀରଜଙ୍କ ତୃତୀୟ ଥ୍ରୋ ଫାଉଲ ହୋଇଥିଲା । ୪ର୍ଥ ଥ୍ରୋରେ ନୀରଜ ସବୁ ବଳ ଲଗାଇ ୮୮.୮୮ ମିଟର ଦୂରତାକୁ ଜାଭେଲିନ ଫିଙ୍ଗିଥିଲେ ଓ କିଶୋରଙ୍କୁ ଦ୍ୱିତୀୟକୁ ଠେଲିଦେଇଥିଲେ । କିଶୋର ଜେନାଙ୍କ ଦେଢକୋଟି ଦେବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର ।