ଖଣି ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ବିଜ୍ଞାପନ । ସମ୍ବାଦପତ୍ର ଜରିଆରେ କ୍ଷୋଭ ଜଣାଇଲେ ଓଡିଶା ଶିଳ୍ପ ସଂଘ ।

74

କନକ ବ୍ୟୁରୋ: ସକାଳୁ ସକାଳୁ ଯେତେବେଳେ ଲୋକମାନେ ଖବରକାଗଜ ପଢିବା ଆରମ୍ଭ କଲେ, ସେତେବେଳେ ଏକ ବିଜ୍ଞାପନ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ପ୍ରଥମେ ଏହାକୁ ରାଜ୍ୟ ସରକାରଙ୍କ ଏକ ବିକାଶମୂଳକ କାମର ବିଜ୍ଞାପନ ଭାବୁଥିବା ଲୋକ କିଛି ମିନିଟରେ ଏହାର ଅସଲ କଥା ଜାଣିବାକୁ ପାଇଥିଲେ ।

  • ବିଜ୍ଞାପନ ଜରିଆରେ ନିବେଦନ
  • ବିପଦରେ ପଡିଛି ଖଣିଭିତିକ ଶିଳ୍ପ
  • ବନ୍ଦ ହେଉଛି ସଂସ୍ଥା, ବଢୁଛି ବେକାରୀ

ବୋଧହୁଏ ପ୍ରଥମ ଥର ଏଭଳି ଏକ ସ୍ଥିତି ସୃଷ୍ଟି ହୋଇଛି, ଯେତେବେଳେ ଦୁଇ ଦୁଇଟି ସଂସ୍ଥା ରାଜ୍ୟ ସରକାରଙ୍କ ନିକଟରେ ନିଜର ଦାବିକୁ ପହଁଚାଇବାକୁ ଖବରକାଗଜରେ ବିଜ୍ଞାପନ ଦେଇଛନ୍ତି । ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ ଏବଂ ଓଡିଶା ସ୍ପଞ୍ଜ ଆଇରନ୍ ମ୍ୟାନୁଫ୍ୟାକଚରର୍ସ ଆସୋସିଏସନ ତରଫରୁ ଏହି ବିଜ୍ଞାପନଟି ଦିଆଯାଇଥିଲା । ଏଥିରେ କୁହାଯାଇଥିଲା…

  • ଏମଏସଏମଇ ଇସ୍ପାତ କ୍ଷେତ୍ର ରାଜ୍ୟରେ ଲୁହାପଥର ଅଭାବର ସାମ୍ନା କରୁଛି
  • ସ୍ଥାନୀୟ ଶିଳ୍ପସଂସ୍ଥାର ବିରୋଧ ସତ୍ତ୍ୱେ ୬୦% ଲୁହାପଥର ରାଜ୍ୟ ବାହାରକୁ ପଠାଯାଉଛି
  • ରାଜ୍ୟରେ ଲୁହାପଥର ଦର ଆକାଶଛୁଆଁ ତେଣୁ ମର୍ଚ୍ଚାଣ୍ଟ ମାଇନସକୁ ବେଶୀ ଫାଇଦା
  • ଲୁହାପଥର ଅଭାବରୁ ଅନେକ ସ୍ପଞ୍ଜ ଆଇରନ୍ ସଂସ୍ଥା ବନ୍ଦ, ବହୁ ଚାକିରି ଯାଇଛି
  • କେବଳ ପ୍ରି-ଏମ୍ପସନ୍ ପଲିସି କାର୍ଯ୍ୟକାରୀ ହେଲେ ହିଁ ଏହାର ଭରଣା ହୋଇପାରିବ

ତେବେ କଣ ଏହି ପ୍ରି-ଏମ୍ପସନ ପଲିସି । ବଜାରରେ ଯାହା ଦର ଥିଲେ ମଧ୍ୟ ଆଇବିଏମ ନିର୍ଦ୍ଧାରଣ କରୁଥିବା ରେଟ୍ ଅନୁସାରେ ହିଁ ଖଣିଜ ଯୋଗାଇବାକୁ ଏହି ବ୍ୟବସ୍ଥା ଆପଣାଯାଇଥିଲା । ହେଲେ ପରିବର୍ତ୍ତିତ ସ୍ଥିତିରେ ରାଜ୍ୟରୁ ଉତ୍ପାଦିତ ହେଉଥିବା ଖଣିଜର ସର୍ବାଧିକ ପ୍ରତିଶତ ରାଜ୍ୟ ବାହାରକୁ ଯାଉଥିବାରୁ ଏହା ରାଜ୍ୟରେ ଖଣିଜର ଅଭାବୀ ସ୍ଥିତି ସୃଷ୍ଟି କରୁଛି । ଆଉ ଏହାର ଫାଇଦା ନେଇ ମର୍ଚ୍ଚାଣ୍ଟ ମାଇନ୍ସ ଅର୍ଥାତ୍ ଖୋଲା ବଜାରରେ ବିକ୍ରି କରିବାକୁ ଯାହାର ଅଧିକାର ଅଛି, ସେମାନେ ଦର ବଢାଇବା ଚିନ୍ତାଜନକ ହୋଇଥିବେ, ସଂସ୍ଥା ପକ୍ଷରୁ କୁହାଯାଇଛି । ଏବେସୁଦ୍ଧା ୧୦୬ ସ୍ପଞ୍ଜ ଆଇରନ୍ କାରଖାନାରୁ ୪୪ଟି ବନ୍ଦ ହୋଇଯାଇଥିବା ସୂଚନା ମିଳିଛି ।

ଏହାରି ଭିତରେ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି, ସରକାରଙ୍କ ସହ ଆଲୋଚନା ପାଇଁ ଉଭୟ ସଂସ୍ଥା ଯୋଗାଯୋଗ କରିନାହାନ୍ତି । ରାଜ୍ୟରେ ଯେତିକି ସ୍ପଞ୍ଜ ଆଇରନ୍ କାରଖାନା ଅଛି ତାକୁ ଚଲାଇ ରଖିବାକୁ ହେଲେ ମାସିକ ୭.୫ ମିଲିୟନ୍ ଟନ୍ ଲୁହାପଥର ଆବଶ୍ୟକ, ହେଲେ ମିଳୁଛି ମାତ୍ର ୫.୫ ମିଲିୟନ୍ ଟନ୍ । ବାକି ଲୁହାପଥର ପାଇବାକୁ ଅଧିକ ଦର ଦେବାକୁ ପଡୁଛି, ଯାହା ଫଳରେ କଂପାନୀ ସବୁ କ୍ଷତି ସହୁଛନ୍ତି । ରାଜ୍ୟରେ ଯଦିଓ ଲୁହାପଥର ଉତ୍ପାଦନ ବଢୁଛି, ହେଲେ ଏହା ରାଜ୍ୟ ଶିଳ୍ପ ପାଇଁ ଲାଭଦାୟକ ହୋଇପାରୁନାହିଁ । ତେଣୁ ସରକାର ଯେତେବେଳେ ମେକ୍ ଇନ୍ ଓଡିଶାର କଥା କହୁଛନ୍ତି, ସେହି ସମୟରେ ରାଜ୍ୟର ଶିଳ୍ପସଂସ୍ଥାକୁ ଗୁରୁତ୍ୱ ଦେବାକୁ ସଂଘ ପକ୍ଷରୁ ଦାବି କରାଯାଇଛି ।