ଦେଶର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ତାଲିକା ଜାରି : ଜାଣନ୍ତୁ ‘ଶ୍ରେଷ୍ଠ ଶହେ’ରେ ଓଡ଼ିଶାର କେଉଁ କେଉଁ ଶିକ୍ଷାନୁଷ୍ଠାନ

1,743

କନକ ବ୍ୟୁରୋ : କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟର ‘ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ ଫ୍ରେମୱାର୍କ (ଏନଆଇଆରଏଫ)ରେ ଓଡ଼ିଶାର ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକର ଖରାପ ପ୍ରଦର୍ଶନ ଜାରି ରହିଛି। ଗତ ୩ ବର୍ଷ ପରି ଏଥର ମଧ୍ୟ କୌଣସି ଗୋଟିଏ ବି ହେଲେ ସରକାରୀ ଶିକ୍ଷାନୁଷ୍ଠାନ ଶ୍ରେଷ୍ଠ ଶହେ ଭିତରକୁ ଆସିପାରି ନାହାନ୍ତି। ସାମଗ୍ରିକ ସଫଳତାକୁ ଆଧାର କରି ପ୍ରକାଶିତ ‘ଶ୍ରେଷ୍ଠ ଶହେ’ ଶିକ୍ଷାନୁଷ୍ଠାନ ତାଲିକାରେ ଓଡ଼ିଶାରୁ ୪ଟି ଶିକ୍ଷାନୁଷ୍ଠାନ ସ୍ଥାନ ବଜାୟ ରଖିଛନ୍ତି। ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ତାଲିକାରେ ଓଡ଼ିଶାରୁ ଦୁଇଟି ଶିକ୍ଷାନୁଷ୍ଠାନ ଥିବା ବେଳେ ଇଞ୍ଜିନିୟରି˚ରେ ୬ଟି, ମ୍ୟାନେଜମେଣ୍ଟ ୩, ମେଡିକାଲ ବିଭାଗରେ ୨ଟି ଶିକ୍ଷାନୁଷ୍ଠାନ ରହିଛନ୍ତି। ତେବେ ସାଧାରଣ କଲେଜ, ଫାର୍ମାସି, ଆର୍କିଟେକ୍ଚର ବିଭାଗରେ ଓଡ଼ିଶାରୁ କୌଣସି ଶିକ୍ଷାନୁଷ୍ଠାନ ସ୍ଥାନ ପାଇନାହାନ୍ତି।

‘ଶ୍ରେଷ୍ଠ ଶହେ’ ଶିକ୍ଷାନୁଷ୍ଠାନ ତାଲିକାରେ ରାଉରକେଲାସ୍ଥିତ ଏନଆଇଟି ଉନ୍ନତ ପ୍ରଦର୍ଶନ କରିଛି। ଗତବର୍ଷ ୪୨ତମ ସ୍ଥାନରେ ଥିବା ଏନଆଇଟି ଏଥର ୩୮ତମ ସ୍ଥାନକୁ ଉନ୍ନୀତ ହୋଇଛି। ଗତବର୍ଷ ୩୮ତମ ସ୍ଥାନରେ ରହି ଓଡ଼ିଶାର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ହୋଇଥିବା ଶିକ୍ଷା ଓ ଅନୁସନ୍ଧାନ(ସୋଆ) ଡିମଡ ବିଶ୍ବ ବିଦ୍ୟାଳୟ ୫୦.୩୧ ମାର୍କ ସହ ୪୧ତମ ସ୍ଥାନକୁ ଖସିଛି। ୨୦୧୮ରେ ୫୧ତମ ସ୍ଥାନରେ ଥିବା ଆଇଆଇଟି ଭୁବନେଶ୍ବର ଏଥର ୪୬ତମ ସ୍ଥାନକୁ ଉଠିଥିବାବେଳେ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ତଷ୍ଟ୍ରିଆଲ ଟେକ୍ନୋଲୋଜି(କିଟ୍) ଡିମଡ ବିଶ୍ବବିଦ୍ୟାଳୟ ୫୦ତମ ସ୍ଥାନରେ ରହିଛି। ଓଡ଼ିଶାରେ ଏନ୍ଆଇଟି ପ୍ରଥମ ସ୍ଥାନରେ ରହିଥିବା ବେଳେ ସୋଆ ଦ୍ବିତୀୟ, ଆଇଆଇଟି ତୃତୀୟ ଓ କିଟ୍ ଚତୁର୍ଥ ସ୍ଥାନରେ ରହିଛି। ୫୧ରୁ ଶହେ ମଧ୍ୟରେ କୌଣସି ଗୋଟିଏ ବି ହେଲେ ଶିକ୍ଷାନୁଷ୍ଠାନ ନାହାଁନ୍ତି। ଏହି ବିଭାଗରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ୧୩୩ତମ ଏବଂ ଉତ୍କଳ ବିଶ୍ବବିଦ୍ୟାଳୟ ୧୯୭ତମ ସ୍ଥାନରେ ରହିଛି।

୨୦୧୯ରେ ‘ଶ୍ରେଷ୍ଠ ଶହେ’ର ଟପ୍ ଟେନରେ କିଛିଟା ଏପାଖ ସେପାଖ ହୋଇଛି। ୨୦୧୮ରେ ଦ୍ବିତୀୟ ସ୍ଥାନରେ ଥିବା ଆଇଆଇଟି ମାଡ୍ରାସ୍ ଏଥର ମୋଟ୍ ୧୦୦ ମାର୍କରୁ ୮୩.୮୮ ମାର୍କ ରଖି ପ୍ରଥମ ସ୍ଥାନ ହାସଲ କରିଛି। ଗତଥର ପ୍ରଥମ ସ୍ଥାନରେ ଥିବା ଆଇଆଇଏସ୍ ମାଡ୍ରାସ ଦ୍ବିତୀୟ ସ୍ଥାନକୁ ଖସିଛି। ଗତଥର ୪ର୍ଥରେ ଥିବା ଆଇଆଇଟି ଦିଲ୍ଲୀ ତୃତୀୟକୁ ଉଠିଥିବା ବେଳେ ତୃତୀୟ ସ୍ଥାନରେ ଥିବା ଆଇଆଇଟି ବମ୍ବେ ୪ର୍ଥକୁ ଖସିଛି। ଆଇଆଇଟି ଖଡ଼ଗପୁର ୫ମ ସ୍ଥାନ ବଜାୟ ରଖିଛି। ଆଇଆଇଟି କାନପୁର ୬ଷ୍ଠ ସ୍ଥାନକୁ ଉଠିଥିବା ବେଳେ ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟ ଗୋଟିଏ ସ୍ଥାନ ତଳକୁ ଖସି ୭ମରେ ପହଞ୍ଚିଛି। ଆଇଆଇଟି ରୁରକି ୮ମ ସ୍ଥାନ ବଜାୟ ରଖିଥିବା ବେଳେ ଆଇଆଇଟି ଗୌହାଟୀ ୯ମ ଓ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ ୧୦ମ ସ୍ଥାନରେ ରହିଛି। ତାଲିକାର ଶ୍ରେଷ୍ଠ ୧୦ ମଧ୍ୟରେ ୭ଟି ଆଇଆଇଟି ସ୍ଥାନ ପାଇଛି।

‘ଶ୍ରେଷ୍ଠ ଶହେ ବିଶ୍ବବିଦ୍ୟାଳୟ’ ତାଲିକାରେ ସୋଆ ୨୪ତମ ସ୍ଥାନ ବଜାୟ ରଖିଛି। ୨୦୧୮ରେ ୪୨ତମ ସ୍ଥାନରେ ଥିବା କିଟ୍ ୩୧ତମ ସ୍ଥାନକୁ ଉଠିଛି। ଓୟୁଏଟି ୧୩୦ତମ ସ୍ଥାନକୁ ଖସିଆସିଛି। ଏହି ବିଭାଗରେ ଇଣ୍ତିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ, ବେଙ୍ଗାଲୁରୁ ପ୍ରଥମ, ଜେଏନୟୁ ଦ୍ବିତୀୟ, ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ ତୃତୀୟ, ୟୁନିଭରସିଟି ଅଫ୍ ହାଇଦ୍ରାବାଦ ଚତୁର୍ଥ ଓ କଲିକତା ବିଶ୍ବବିଦ୍ୟାଳୟ ୫ମ ସ୍ଥାନରେ ରହିଛନ୍ତି।

ଇଞ୍ଜିନିୟରି˚ ବିଭାଗର ଶ୍ରେଷ୍ଠ ଶହେରେ ଓଡ଼ିଶାରୁ ୬ଟି ଶିକ୍ଷାନୁଷ୍ଠାନ ସ୍ଥାନ ପାଇଛନ୍ତି। ୨୦୧୮ରେ ୧୫ତମ ସ୍ଥାନରେ ଥିବା ଏନଆଇଟି ରାଉରକେଲା ଗୋଟିଏ ସ୍ଥାନ ତଳକୁ ଖସି ୧୬ତମ ସ୍ଥାନରେ ପହଞ୍ଚିଛି। ଆଇଆଇଟି ଭୁବନେଶ୍ବର ଗୋଟିଏ ସ୍ଥାନ ଉପରକୁ ଉଠି ୧୭ତମ, ସୋଆ ବିଶ୍ବବିଦ୍ୟାଳୟ ୩୨, କିଟ୍ ୪୮, ସିଭି ରମଣ କଲେଜ ଅଫ୍ ଇଞ୍ଜିନିୟରି˚ ୯୪ତମ ସ୍ଥାନରେ ରହିଛି। ଭିଏସଏସୟୁଟି ବୁର୍ଲା ୧୨୬ତମ ସ୍ଥାନକୁ ଉନ୍ନୀତ କରିଛି। ଏହି ବିଭାଗରେ ଆଇଆଇଟି ମାଡ୍ରାସ ପ୍ରଥମ, ଆଇଆଇଟି ଦିଲ୍ଲୀ ଦ୍ବିତୀୟ, ଆଇଆଇଟି ବମ୍ବେ ତୃତୀୟ, ଆଇଆଇଟି ଖଡ଼ଗପୁର ଚତୁର୍ଥ, ଆଇଆଇଟି କାନପୁର ପଞ୍ଚମରେ ରହିଛି।

ମ୍ୟାନେଜମେଣ୍ଟ ବିଭାଗରେ କିଟ୍ ୩୦ତମ ସ୍ଥାନ ବଜାୟ ରଖିଥିବାବେଳେ ଜାଭିୟର ବିଶ୍ବ ବିଦ୍ୟାଳୟ ୪୪ତମ ସ୍ଥାନକୁ ଖସିଛି। ଇଣ୍ଟରନ୍ୟାସନାଲ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟ୍ ପ୍ରଥମ ଥର ପାଇଁ ତାଲିକାକୁ ଆସିବା ସହ ୬୬ତମ ସ୍ଥାନରେ ରହିଛି। ଏହି ବର୍ଗରେ ଆଇଆଇଏମ୍ ବେଙ୍ଗାଲୁରୁ ପ୍ରଥମ, ଆଇଆଇଏମ୍ ଅହମ୍ମଦାବାଦ ଦ୍ବିତୀୟ, ଆଇଆଇଏମ୍ କୋଲକାତା ତୃତୀୟ, ଆଇଆଇଏମ୍ ଲକ୍ଷ୍ନୌ ଚତୁର୍ଥ ଓ ଆଇଆଇଟି ଇନ୍ଦୋର୍ ପଞ୍ଚମ ସ୍ଥାନରେ ରହିଛି।

ମେଡିକାଲ ବିଭାଗରେ ସୋଆ ବିଶ୍ବବିଦ୍ୟାଳୟ ୨୧ତମ ସ୍ଥାନରେ ରହିଥିବା ବେଳେ କିଟ୍ ୩୦ତମ ସ୍ଥାନରେ ରହିଛି। ଏହି ବିଭାଗରେ ଏମସ ଦିଲ୍ଲୀ ପ୍ରଥମ, ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ଏଜୁକେସନ ଆଣ୍ତ ରିସର୍ଚ୍ଚ, ଚଣ୍ତିଗଡ଼ ଦ୍ବିତୀୟ, ଖ୍ରୀଷ୍ଟିଆନ୍ ମେଡିକାଲ କଲେଜ, ଭେଲୋର ତୃତୀୟ ସ୍ଥାନରେ ରହିଛି।

ଲ’ ବିଭାଗରେ ପ୍ରଥମ ଥର ପାଇଁ କିଟ୍ ବିଶ୍ବବିଦ୍ୟାଳୟ ସ୍ଥାନ ପାଇବା ସହ ୧୨ ତମ ସ୍ଥାନରେ ରହିଛି। ଏହି ବର୍ଗରେ ବାଙ୍ଗାଲୁରୁସ୍ଥିତ ନ୍ୟାସନାଲ ଲ’ ସ୍କୁଲ ଅଫ୍ ଇଣ୍ଡିଆ ୟୁନିଭର୍ସିଟି ପ୍ରଥମ, ଜାତୀୟ ଆଇନ ବିଶ୍ବବିଦ୍ୟାଳୟ ଦିଲ୍ଲୀ ଦ୍ବିତୀୟ, ନାଲସାର ୟୁନିଭରସିଟି ଅଫ୍ ଲ’, ହାଇଦ୍ରାବାଦ ତୃତୀୟ ସ୍ଥାନରେ ରହିଛି।

ବିଭିନ୍ନ ବର୍ଗରେ ଓଡ଼ିଶାର ଶିକ୍ଷାନୁଷ୍ଠାନ ସ୍ଥିତି

ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ                              ସ୍ଥାନ

ଏନଆଇଟି ରାଉରକେଲା                      ୩୮

ସୋଆ ବିଶ୍ବବିଦ୍ୟାଳୟ                           ୪୧

ଆଇଆଇଟି ଭୁବନେଶ୍ବର                       ୪୬

କିଟ୍ ବିଶ୍ବବିଦ୍ୟାଳୟ                              ୫୦

ଓୟୁଏଟି                                          ୧୩୩

ଉତ୍କଳ ବିଶ୍ବବିଦ୍ୟାଳୟ                           ୧୯୭

ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ :

ସୋଆ                                              ୨୪

କିଟ୍                                                 ୩୧

ଓୟୁଏଟି                                           ୧୩୦

ଉତ୍କଳ ବିଶ୍ବବିଦ୍ୟାଳୟ                           ୧୪୬

ସେଣ୍ଟ୍ରାଲ ବିଶ୍ବବିଦ୍ୟାଳୟ, କୋରାପୁଟ        ୧୫୭

ଫକୀର ମୋହନ ବିଶ୍ବବିଦ୍ୟାଳୟ              ୧୬୨

ସମ୍ବଲପୁର ବିଶ୍ବବିଦ୍ୟାଳୟ                     ୧୮୪

ଭିଏସଏସୟୁଟି, ବୁର୍ଲା                           ୧୯୬

ଜାଭିଅର ବିଶ୍ବବିଦ୍ୟାଳୟ                       ୧୯୯

ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ

ଏନଆଇଟି ରାଉରକେଲା                        ୧୬

ଆଇଆଇଟି, ଭୁବନେଶ୍ବର                        ୧୭

ସୋଆ                                               ୩୨

କିଟ୍                                                   ୪୮

ସିଭି ରମଣ କଲେଜ୍ ଅଫ୍ ଇଞ୍ଜିନିୟରିଂ        ୯୪

ଭିଏସଏସୟୁଟି, ବୁର୍ଲା                             ୧୨୬

ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନ :

କିଟ୍                                                 ୩୦

ଜାଭିଅର ବିଶ୍ବବିଦ୍ୟାଳୟ                         ୪୪

ଆଇଏମ୍ଆଇ                                     ୬୬

ମେଡିକାଲ ଶିକ୍ଷାନୁଷ୍ଠାନ :

ସୋଆ                                              ୨୧

କିଟ୍                                                 ୩୦

ଲ’ ଶିକ୍ଷାନୁଷ୍ଠାନ

କିଟ୍                                                  ୧୨