ବିପଦରେ ଓଡିଶାର ପ୍ରଥମ ଫ୍ଲାଏଓଭର ବ୍ରିଜ : ବ୍ରିଜ ତଳେ ଗଢି ଉଠିଛି ଦୋକାନ ବଜାର । ଭଡାରେ ଦେଇ ବାଲେଶ୍ୱର ରିଜିଓନାଲ ଇମ୍ପ୍ରୁଭମେଂଟ ଟ୍ରଷ୍ଟ ଟଙ୍କା ଆଦାୟ କରୁଥିବା ଅଭିଯୋଗ

320

କନକ ବ୍ୟୁରୋ : ବିପଦରେ ଓଡିଶାର ପ୍ରଥମ ଫ୍ଲାଏଓଭର ବ୍ରିଜ । ବାଲେଶ୍ୱରରେ ତିଆରି ହୋଇଥିବା ଓଡ଼ିଶାର ଏହି ପ୍ରଥମ ଫ୍ଲାଏଓଭର ବ୍ରିଜ ଭୁଷୁଡ଼ି ପଡିବ କି ? ଏବେ ଏମିତି କିଛି ପ୍ରଶ୍ନ ବାଲେଶ୍ୱରବାସୀଙ୍କ ମନରେ ଉଙ୍କି ମାରୁଛି । ପୋଲ ତଳେ ଗଢି ଉଠିଥିବା ଦୋକାନ, ହୋଟେଲ ଓ ଜଳଖିଆ ଦୋକାନ ପୋଲ ପ୍ରତି ବିପଦ ସୃଷ୍ଟି କରୁଥିବା କହିଛନ୍ତି ବାଲେଶ୍ୱରବାସୀ ।

୧୯୮୫ ମସିହାରେ ବାଲେଶ୍ୱରରେ କାର୍ଯ୍ୟକ୍ଷମ ହୋଇଥିଲା ଓଡ଼ିଶାର ପ୍ରଥମ ଫ୍ଲାଏଓଭର ବ୍ରିଜ । ବାଲେଶ୍ୱର ଓ ମୟୁରଭଞ୍ଜକୁ ସଂଯୋଗ କରୁଥିବା ଏହି ପୋଲ ସହ କଟକ ଓ.ଏମ.ପି. ଫ୍ଲାଏ ଓଭର ମଧ୍ୟ ନିର୍ମାଣ ହୋଇଥିଲା । ଏହି ପୋଲ ତଳେ ଦୋକାନ ଘର ଏବଂ ଦହନଶୀଳ ସାମଗ୍ରୀ ରହିବା ବେଆଇନ । ମାତ୍ର ବାଲେଶ୍ୱରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ପୋଲ ତଳେ ୧୫୦ଟି ଦୋକାନ କରି ମାସକୁ ଦୋକାନ ପ୍ରତି ୩୦୦ରୁ ୬୫୦ଟଙ୍କା ଭଡ଼ା ଆଦାୟ କରୁଛି ବାଲେଶ୍ୱର ରିଜିଓନାଲ ଇମ୍ପ୍ରୁଭମେଂଟ ଟ୍ରଷ୍ଟ । ଏହି ଦୋକାନ ଗୁଡିକ ମଧ୍ୟରୁ ୮ଟି ହୋଟେଲ ଓ ଜଳଖିଆ ଦୋକନ ରହିଛିି । ଯେଉଁଠି ଅହରହ ଗ୍ୟାସ ଜଳୁଛି ଓ ୪ ରୁ ୫ଟି ସିଲିଣ୍ଡର ଷ୍ଟକ ରହୁଛି । ଦୋକାନର ସୁରକ୍ଷା ପାଇଁ ପୋଲ ଉପରୁ ନିଷ୍କାସିତ ବର୍ଷା ପାଣିକୁ ଅଟକା ଯାଉଥିବାରୁ ପୋଲ ଉପରେ ପାଣି ଜମି ରହିଥାଏ । ତେଣୁ ପୋଲ ପ୍ରତି ବିପଦ ଥିବା ବାଲେଶ୍ୱରବାସୀ ଆଶଙ୍କା କରୁଛନ୍ତି ।

ଗୋଟିଏ ପଟେ ବ୍ରିଟ୍ ଜଳଖିଆ ଦୋକାନ ଭଡ଼ା ଦିଆଯାଇ ନଥିବା କହୁଥିବା ବେଳେ ଦୋକାନୀ କହୁଛନ୍ତି ୩୦୦ଟଙ୍କା ଭଡା ଦେଇ ୨୦ବର୍ଷ ହେବ ବେପାର କରୁଛନ୍ତି । ସେପଟେ ପୂର୍ତ୍ତ ବିଭାଗ ବାଲେଶ୍ୱର ଏହି ଫ୍ଲାଏଓଭର ବ୍ରିଜର ରକ୍ଷଣାବେକ୍ଷଣ ବାବଦରେ ଅର୍ଥ ଖର୍ଚ୍ଚ କରୁଥିବା ନେଇ ବାହାସ୍ଫୋଟ ମାରୁଥିବା ବେଳେ ଏଠାରେ ବାସ୍ତବ ଚିତ୍ର କିନ୍ତୁ ସଂପୂର୍ଣ୍ଣ ଭିନ୍ନ ।

ବାଲେଶ୍ୱରରେ ସାଂସଦ ୪ଟି ଉଡ଼ନ୍ତାପୋଲ କରିଥିବା ନେଇ ହୋର୍ଡିଂ ଲଗାଇଥିବା ବେଳେ ଏହି ପୂରାତନ ପୋଲ ପ୍ରତି କାହାରି ନଜର ନାହିଁ । ଯଦି ଏହି ପୋଲ ଭୁଷୁଡ଼େ ଏକ ପ୍ରକାର ବାଲେଶ୍ୱର ପଙ୍ଗୁ ହୋଇଯିବ, ଏଥିରେ ସଂନ୍ଦେହ ନାହିଁ ।