ରାଜ୍ୟ ଚିକିତ୍ସା ଇତିହାସରେ ଯୋଡ଼ା ହେଲା ନୂଆ ଫର୍ଦ୍ଦ । ଇତିହାସ ରଚିଲା କଟକ ବଡ଼ ମେଡ଼ିକାଲ । ରୋଗୀଙ୍କୁ ଲାଗିଲା ମୃତ ଯୁବତୀଙ୍କ କିଡନୀ, ସଫଳ ହେଲା ବିରଳ ଅସ୍ତ୍ରୋପଚାର ।

512

କନକ ବ୍ୟୁରୋ : ମୃତଦେହରୁ କିଡନୀ କାଢ଼ି ଆବଶ୍ୟକ କରୁଥିବା ରୋଗୀଙ୍କ ଦେହରେ କିଡନୀ ପ୍ରତିରୋପଣ କରିବା ଭଳି ବିରଳ ଅସ୍ତ୍ରୋପଚାର କରି, ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏକ ନୂଆ ଇତିହାସ ରଚିଛି କଟକ ବଡ଼ ମେଡ଼ିକାଲ । ଓଡ଼ିଶାରେ ପ୍ରଥମ ଥର ପାଇଁ କରାଯାଇଛି କାଡଭେରିକ୍ ଟ୍ରାନ୍ସପ୍ଲାଂଟ୍ ।

ଇତିହାସ ରଚିଲା କଟକ ବଡ଼ ମେଡ଼ିକାଲ । କଟକରେ ବିରଳ ଅସ୍ତ୍ରୋପଚାର ସଫଳ । ରୋଗୀଙ୍କୁ ଲାଗିଲା ମୃତ ଯୁବତୀଙ୍କ କିଡନୀ । ଯୁଦ୍ଧକାଳୀନ ଭିତିରେ ଚାଲିଥିଲା ଅସ୍ତ୍ରୋପଚାରର ପୁରା ପ୍ରକ୍ରିୟା । ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଥିଲା ମୃତ ଯୁବତୀଙ୍କ ମରଶରୀର । ଅନ୍ୟପଟେ କଟକ ବଡ଼ ମେଡ଼ିକାଲରେ ଥିଲେ କିଡନୀ ଆବଶ୍ୟକ କରୁଥିବା ରୋଗୀ । କିଡନୀ କଢ଼ା ହେବ ଏବଂ ଆମ୍ବୁଲାନ୍ସରେ ଯାଇ ପ୍ରତିରୋପଣ ହେବ । ଆହ୍ୱାନ ଏତେ ସହଜ ନଥିଲା । କିନ୍ତୁ ଏହି ଆହ୍ୱାନକୁ ଗ୍ରହଣ କରିଥିଲେ ଉଭୟ ଆପୋଲୋ ଏବଂ ଏସସିବି ମେଡ଼ିକାଲର ଡାକ୍ତରୀ ଟିମ୍ । ପ୍ରଥମେ କିଡନୀ କଢ଼ାଯାଇ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଏସସିବି ପହଞ୍ଚିଥିଲା କିଡନୀ । ଯେଉଁଠି ପ୍ରସ୍ତୁତ ଥିଲେ ୧୭ ଜଣିଆ ଡାକ୍ତରୀ ଟିମ୍ ।

ସ୍ୱାସ୍ଥ୍ୟ ବିଭାଗର ଅନୁମତି ପରେ କାଡଭେରିକ୍ ଟ୍ରାନ୍ସପ୍ଲାଂଟ୍ ପ୍ରକ୍ରିୟା ଚୂଡ଼ାନ୍ତ ରୂପ ନେଇଥିଲା । ଆଉ ପ୍ରାୟ ୭ ଘଂଟାର ଅକ୍ଲାନ୍ତ ପରିଶ୍ରମ ପରେ ନିର୍ଣ୍ଣାୟକ ମୋଡ଼ରେ ପହଂଚିଥିଲା ପୁରା ଅପରେସନ୍ ।

ଗତ ୨୭ ତାରିଖ, ଏକ ସଡ଼କ ଦୁର୍ଘଟଣାରେ ଗଂଜାମ ଜିଲ୍ଲା ଦିଗପହଣ୍ଡି ଅଂଚଳର ପ୍ରିୟଙ୍କାରାଣୀ ପାତ୍ର ଗୁରୁତର ଆହତ ହୋଇ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସୋମବାର ରାତିରେ ପ୍ରିୟଙ୍କାଙ୍କ ବ୍ରେନ୍ ଡେଡ୍ ହୋଇଯାଇଥିବା ନେଇ ହସ୍ପିଟାଲ କର୍ତୃପକ୍ଷ ସୂଚନା ଦେବା ପରେ ଅଙ୍ଗଦାନ ପାଇଁ ଇଚ୍ଛା ପ୍ରକାଶ କରିଥିଲେ ପରିବାର ଲୋକ ।

ଅଙ୍ଗଦାନ କରି ଅମର ହୋଇଗଲେ ପ୍ରିୟଙ୍କା ପାତ୍ର । ଆଉ ପ୍ରିୟଙ୍କାଙ୍କ ପରିବାର ଲୋକଙ୍କ ନିଷ୍ପତି ଆଉ ଜଣଙ୍କୁ ଦେଇଛି ନୂଆ ଜୀବନ । ପ୍ରିୟଙ୍କାଙ୍କ କିଡନୀ ଏବେ ବରଗଡ଼ ଜିଲ୍ଲାର କ୍ଷୀରୋଦ ସାହୁଙ୍କ ଦେହରେ ପ୍ରତିରୋପଣ କରାଯାଇଛି ।

ପ୍ରିୟଙ୍କା ପାତ୍ରଙ୍କ ଏହି ଅଙ୍ଗଦାନର କାହାଣୀ ପୁଣି ଥରେ ସୁରଟରେ ରହୁଥିବା ସୁରଜ ସେଠୀଙ୍କ କାହାଣୀକୁ ମନେ ପକାଇ ଦେଇଛି । ସୁରଜଙ୍କ ପରିବାର ଲୋକଙ୍କ ନିଷ୍ପତି ଯୋଗୁଁ ସେଦିନ ୬ଜଣ ବ୍ୟକ୍ତି ନୂଆ ଜୀବନ ପାଇଥିଲେ । ଆଉ ଏହି ଧାରାକୁ ଆଗେଇ ନେଇଛନ୍ତି ପ୍ରିୟଙ୍କାଙ୍କ ପରିବାର ଲୋକ । ଆଉ ଏସବୁ ଭିତରେ ପୁରୀ ସ୍ୱର୍ଗଦ୍ୱାରରେ ସରିଛି ପ୍ରିୟଙ୍କା ପାତ୍ରଙ୍କ ଶେଷକୃତ୍ୟ ।