କନକ ବ୍ୟୁରୋ : ବାଲ୍ୟ ବିବାହ ମୁକ୍ତ ଗାଁ । ଓଡ଼ିଶାରେ ପ୍ରଥମ ଥର ପାଇଁ ବାଲ୍ୟ ବିବାହ ମୁକ୍ତ ଗାଁରେ ପରିଣତ ହୋଇଛି ସୁବର୍ଣ୍ଣପୁରର ରୁଗୁଡ଼ିପାଲି । ଅଙ୍ଗନବାଡ଼ି କର୍ମୀ ଗୀତାଞ୍ଜଳି ରଣାଙ୍କ ଉଦ୍ୟମରେ ଗାଁରେ ବାଲ୍ୟ ବିବାହ ପ୍ରଥା ବନ୍ଦର ଫଳକ ଲଗାଇଛନ୍ତି ଜିଲ୍ଲାପାଳ । ଗୀତାଞ୍ଜଳୀଙ୍କ ଏହି ଚେଷ୍ଟା ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ।
ଗାଁରେ ଲାଗିଲା ବାଲ୍ୟବିବାହ ବନ୍ଦ ଫଳକ । ଲୋକଙ୍କୁ ସଚେନତନତା କରାଇବାର ସଫଳ ହେଲେ ଅଙ୍ଗନବାଡ଼ି କର୍ମୀ ଗୀତାଞ୍ଜଳୀ ରଣା । ଘରକୁ ଘର ବୁଲି ଲୋକଙ୍କୁ ସଚେତନତା କରାଇବାର ମୂଲ ପାଇଛନ୍ତି ଗୀତାଞ୍ଜଳି । ତାଙ୍କ ଉଦ୍ୟମ ପାଇଁ ଓଡ଼ିଶାର ପ୍ରଥମ ବାଲ୍ୟ ବିବାହ ମୁକ୍ତ ଗାଁରେ ପରିଣତ ହୋଇଛି ସୁବର୍ଣ୍ଣପୁର ସଦର ବ୍ଲକ ରୁଗୁଡ଼ିପାଲି ଗାଁ । ଗତବର୍ଷ ଏହି ଗାଁରେ ହେବାକୁ ଥିବା ସମସ୍ତ ବାଲ୍ୟ ବିବାହକୁ ରୋକି ପାରିଛନ୍ତି ଏହି ଉଦ୍ୟମୀ ମହିଳା ।
ବାଲ୍ୟ ବିବାହ ପ୍ରଥାରେ ରୋକ ଲଗାଇବା ପାଇଁ ଗୀତାଞ୍ଜଳି ପ୍ରତି ମାସରେ ଝିଅ, ବୋହୂ ଓ ପୁରୁଷଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ କରାଉଥିଲେ । ବାଲ୍ୟ ବିବାହ ସଂପର୍କିତ ଆଇନଗତ ଦିଗ ଉପରେ ଲୋକଙ୍କୁ ବୁଝାଉଥିଲେ । ବିଭିନ୍ନ ପ୍ରକାର ତାଲିମ୍ କାର୍ଯ୍ୟକ୍ରମରେ ଲୋକଙ୍କୁ ସାମିଲ କରି ସଚେତନ କରାଇବା ସହ ବାଲ୍ୟ ବିବାହ ପ୍ରଥାକୁ ରୋକିବାରେ ସଫଳ ହୋଇଛନ୍ତି ଗୀତାଞ୍ଜଳୀ । ତାଙ୍କର ଏଭଳି ଉଦ୍ୟମ ପାଇଁ ଆଜି ତାଙ୍କ ଗାଁରେ ଉନ୍ମୋଚିତ ହୋଇଛି ବାଲ୍ୟ ବିବାହ ମୁକ୍ତ ଗାଁ ଫଳକ ।
ରାଜ୍ୟ ସରକାର ୨୦୩୦ ସୁଦ୍ଧା ସାରା ରାଜ୍ୟକୁ ବାଲ୍ୟ ବିବାହ ମୁକ୍ତ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏତିକି ବେଳେ ଜଣେ ଅଙ୍ଗନବାଡ଼ି କର୍ମୀ ନିଜସ୍ୱ ଉଦ୍ୟମରେ ନିଜ ଗାଁକୁ ବାଲ୍ୟ ବିବାହ ମୁକ୍ତ କରିପାରିଛନ୍ତି । ଗୀତାଞ୍ଜଳିଙ୍କ ଏହି ଅଭିଯାନ ପାଇଁ ବୁଦ୍ଧିଜୀବୀଠୁ ଆରମ୍ଭ କରି ଛାତ୍ରଛାତ୍ରୀ ସମସ୍ତେ ଭୁରିଭୁରି ପ୍ରଶଂସା କରିଛନ୍ତି ।