ରାଜ୍ୟ ଚିକିତ୍ସା ଇତିହାସରେ ଯୋଡା ହେଲା ନୂଆ ଫର୍ଦ୍ଦ । ମୃତ ଯୁବତୀଙ୍କ ଦେହରୁ କିଡନୀ କାଢି ଯୁବକଙ୍କ ଦେହରେ ପ୍ରତିରୋପଣ କଲେ ଏସସିବି ଡାକ୍ତର

ମଧ୍ୟରାତ୍ରିରେ ଭୁବନେଶ୍ୱର ଆପଲୋରୁ କଟକ ଏସସିବିକୁ ଆସିଲା କିଡନୀ; ଡାକ୍ତର କହିଲେ ସଫଳ ହୋଇଛି କାଡାଭେରିକ ଟ୍ରାନ୍ସପ୍ଲାଂଟ

407

କନକ ବ୍ୟୁରୋ: ବିରଳ ଅସ୍ତ୍ରୋପଚାର କରି ରାଜ୍ୟ ଚିକିତ୍ସା କ୍ଷେତ୍ରରେ ଇତିହାସ ରଚିଲା ଏସସିବି । କଟକ ବଡ ମେଡିକାଲରେ ଓଡିଶାର ପ୍ରଥମ କାଡାଭେରିକ ଟ୍ରାନ୍ସପ୍ଲାଂଟ୍ ସଫଳତାର ସହ ଶେଷ ହୋଇଛି । ଗତ ରାତିରେ ଭୁବନେଶ୍ୱରରୁ ଜଣେ ମୃତ ରୋଗୀଙ୍କ ଠାରୁ କିଡନୀ ନେଇ କଟକ ଏସସିବିରେ କୀଡନି ହରାଇଥିବା ରୋଗୀଙ୍କ ଠାରେ ପ୍ରତିରୋପଣ କରାଯାଇଛି । ଏସସିବିର ଏକ ବିଶେଷଜ୍ଞ ଦଳ ଅସ୍ତ୍ରୋପଚାର କରି ସଫଳତାର ସହ କୀଡନି ପ୍ରତିରୋପଣ କରିଛନ୍ତି । ଏହା ଓଡିଶା ଚିକିତ୍ସା ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡିଛି । ଭୁବନେଶ୍ୱର ଆପୋଲୋରେ ବ୍ରେନ ଡେଡ୍ ଘୋଷିତ ଜଣେ ଯୁବତୀଙ୍କ କିଡନୀ କାଢି ଏସସିବିକୁ ଆଣି ସଫଳତାର ସହ ପ୍ରତିରୋପଣ କରିଛନ୍ତି ବିଶେଷଜ୍ଞ ଡାକ୍ତରୀ ଦଳ ।

ସୂଚନା ଅନୁସାରେ ଦୁର୍ଘଟଣାରେ ଦିଗପହଣ୍ଡି ଅଂଚଳର ପ୍ରିୟଙ୍କା ପାତ୍ର ନାମକ ୨୨ବର୍ଷିୟ ଯୁବତୀ ଗୁରୁତର ହୋଇ ଚିକିତ୍ସିତ ହେଉଥିଲେ । ତେବେ ୨୭ ତାରିଖରେ ପ୍ରିୟଙ୍କାଙ୍କ ବ୍ରେନ ଡେଡ୍ ହୋଇଥିବା ପରିବାର ଲୋକଙ୍କୁ ଜଣାଇଥିଲେ ଚିକିତ୍ସା କରୁଥିବା ଡାକ୍ତର । ପରିବାର ଲୋକ ଯୁବତୀଙ୍କ ଅଙ୍ଗପ୍ରତ୍ୟଙ୍ଗ ଦାନ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଗତ ରାତିରେ ଏସସିବିର ବିଶେଷଜ୍ଞ ଡାକ୍ତରୀ ଦଳ ଆପୋଲୋକୁ ଯାଇ ଯୁବତୀଙ୍କ ଦେହରୁ କିଡନୀ କାଢି ଏସସିବି ଆଣି ପୁରୁଷ ରୋଗୀଙ୍କ ଦେହରେ ପ୍ରତିରୋପଣ କରିଛନ୍ତି ।

ରାଜ୍ୟରେ କାଡାଭେରିକ ଟ୍ରାନ୍ସପ୍ଲାଂଟ୍ ଆରମ୍ଭ କରିବାକୁ ସରକାର କିଛି ଦିନ ତଳେ ନିଷ୍ପତି ନେଇଥିଲେ । ଏଥିପାଇଁ କଟକ ବଡ ମେଡିକାଲକୁ ନୋଡାଲ ସେଂଟର କରାଯାଇଛି, ଆଉ ପ୍ରଥମ କାଡାଭେରିକ ଟ୍ରାନ୍ସପ୍ଲାଂଟ ଗତ ରାତିରୁ ଏସସିବିରେ ଆରମ୍ଭ ହୋଇଛି । ଜଣେ ମୃତ ବ୍ୟକ୍ତିଙ୍କ ଅଙ୍ଗକୁ ଅନ୍ୟଜଣଙ୍କ ଦେହରେ ପ୍ରତିରୋପଣ କରିବା ଚିକିତ୍ସାକୁ ଡାକ୍ତରୀ ଭାଷାରେ କାଡାଭେରିକ ଟ୍ରାନ୍ସପ୍ଲାଂଟ୍ କୁହାଯାଇଥାଏ ।