ବାଲେଶ୍ୱର: ବାପ-ପୁଅ ଏକାବେଳେ ପାସ୍ କଲେ ମାଟ୍ରିକ୍, ନମ୍ବର ବି ରଖିଲେ ସମାନ

34

ଆଜି ପ୍ରକାଶ ପାଇଥିବା ମାଟ୍ରିକ ପରୀକ୍ଷାଫଳ କାହା ପାଇଁ ଖୁସି ତ କାହା ପାଇଁ ଦୁଃଖ ଆଣିଦେଇଛି । ଯାଜପୁରର ବରୀ ଅଂଚଳର ଜଣେ ଛାତ୍ର ଫେଲ ହେବାରୁ ଆତ୍ମହତ୍ୟା କରିବା ଘଟଣା ସମସ୍ତଙ୍କୁ ଦୁଃଖିତ କରିଥିବାବେଳେ ବାଲେଶ୍ୱର ଅଂଚଳରୁ ଏକ ଭଲ ଖବର ମିଳିଛି । ଏହି ଜିଲ୍ଲାର ୫୮ ବର୍ଷ ବୟସ୍କ ଅରୁଣ କୁମାର ବେଜ ଓ ତାଙ୍କ ୩୦ ବର୍ଷ ବୟସ୍କ ପୁଅ ବିଶ୍ୱଜିତ ବେଜ୍‌ ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଆଉ ମଜା କଥା ହେଉଛି ଉଭୟଙ୍କ ନମ୍ବର ସମାନ ରହିଛି ।

ସ୍ଥାନୀୟ ଅଂଚଳରେ ଜଣେ ବିଜେପି ନେତା ହିସାବରେ ଜଣାଶୁଣା ଅରୁଣ ସପ୍ତମ ଶ୍ରେଣୀ ପଢୁଥିବାବେଳେ ପିତାଙ୍କ ଦେହାନ୍ତ ଯୋଗୁଁ ମାଟ୍ରିକ ପାଶ କରିପାରିନଥିଲେ । ରାଜନୈତିକ ଜୀବନରେ ସଫଳତା ହାସଲ କରିଥିଲେ ମଧ୍ୟ ମାଟ୍ରିକ ପାଶ କରି ନ ଥିବାରୁ ତାଙ୍କ ମନରେ ସବୁବେଳେ ଦୁଃଖ ରହିଆସିଥିଲା । ଅନ୍ୟପକ୍ଷରେ ତାଙ୍କ ସାନ ପୁଅ ବିଶ୍ୱଜିତ ମଧ୍ୟ ମେଟ୍ରିକ ପାଶ କରି ପାରିନଥିଲେ । ତାଙ୍କ ପରିବାରରେ ଅନ୍ୟ ସମସ୍ତେ ଉଚ୍ଚ ଶିକ୍ଷିତ ହୋଇଥିବାବେଳେ ଏହି ବାପପୁଅ ମାଟ୍ରିକ ପାଶ କରିପାରି ନଥିଲେ । ଉଭୟେ ଓଡିଶା ରାଜ୍ୟ ମୁକ୍ତ ବିଦ୍ୟାଳୟରୁ ପରୀକ୍ଷା ଦେଇ ପାଶ କରିଛନ୍ତି । ଉଭୟେ ୩୪୨ ନମ୍ବର ରଖିଛନ୍ତି । ଏହା ଫଳରେ ତାଙ୍କ ପରିବାରରେ ଆନନ୍ଦ ଖେଳିଯାଇଛି ।