ଟିକାକରଣରେ ଜାତୀୟ ହାରଠାରୁ ଟପିଛି ଓଡ଼ିଶା : ନଭେମ୍ବର ଶେଷ ସୁଦ୍ଧା ସବୁ ଜିଲ୍ଲାରେ ୯୦% ଲକ୍ଷ୍ୟ

49

କନକ ବ୍ୟୁରୋ : ଟିକାକରଣରେ ଜାତୀୟ ହାରଠାରୁ ଟପିଛି ଓଡ଼ିଶା । ଚଳିତମାସ ୧୩ତାରିଖ ସୁଦ୍ଧା ଜାତୀୟସ୍ତରରେ ୧୮ବର୍ଷରୁ ଅଧିକ ଲୋକଙ୍କ ପ୍ରଥମ ଡୋଜ୍ ଟିକାକରଣ ୭୯.୮ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ଏହା ୮୨.୪ ପ୍ରତିଶତରେ ପହଞ୍ଚିଛି । ସେହିପରି ଦ୍ବିତୀୟ ଡୋଜ୍ ଟିକାକରଣ ଜାତୀୟସ୍ତରରେ ୩୮.୪ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ଏହା ୪୧.୫ ପ୍ରତିଶତରେ ପହଞ୍ଚିଛି । ଚଳିତମାସ ଶେଷ ସୁଦ୍ଧା ରାଜ୍ୟରେ ପ୍ରଥମ ଡୋଜ୍ ଟିକାକରଣ ୯୦ ପ୍ରତିଶତ ଓ ଡିସେମ୍ବର ସୁଦ୍ଧା ଶତ ପ୍ରତିଶତ ପ୍ରଥମ ଡୋଜ୍ ଟିକାକରଣ ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଇଛନ୍ତି ।

ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ ମୋଡରେ ରାଜ୍ୟରେ ଟିକାକରଣ ସମ୍ବଦ୍ଧିତ ବୈଷୟିକ ଓ ପ୍ରଶାସନିକ ବିଷୟ ‌ଆଲୋଚନା ହୋଇଥିଲା । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ‌ସମୀକ୍ଷା ବୈଠକରେ ଜିଲ୍ଲାୱାରୀ ପଞ୍ଚାୟତ ଓ ଗ୍ରାମସ୍ତରୀୟ ତୃଣମୂଳ କାର୍ଯ୍ୟଯୋଜନା ଜରିଆରେ ଟିକାକରଣକୁ ତ୍ବରାନ୍ବିତ କରିବା ଉପରେ ଗୁରୁତ୍ବ ଦିଆଯାଇଥିଲା । ତୃଣମୂଳସ୍ତରରେ ଯୋଜନା ଓ ଘରକୁ ଘର ସର୍ଭେ ମାଧ୍ୟମରେ ବାକି ରହିଥିବା ୧୮ ପ୍ରତିଶତରୁ ଅଧିକ ଲୋକଙ୍କୁ ଚିହ୍ନଟ ସହିତ ଟିକା ଦେବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଛନ୍ତି ।

ରାଜ୍ୟରେ ଟିକାର ମହଜୁଦ, ସ୍ଥାନାନ୍ତରୀକରଣ ଓ ଟିକାଦାନ ପାଇଁ ରାଜ୍ୟ ଦ୍ବାରା ପ୍ରସ୍ତୁତ ନିର୍ଦ୍ଧାରିତ କାର୍ଯ୍ୟଧାରା(ଏସ୍‌ଓପି)ର ଅନୁପାଳନ ଫଳରେ ଓଡ଼ିଶାରେ ଟିକାର ଅପଚୟକୁ ରୋକାଯାଇ ପାରିଛି। ବର୍ତମାନ ସୁଦ୍ଧା ରାଜ୍ୟରେ ଅପଚୟ ବିଯୁକ୍ତ ୫.୩ ପ୍ରତିଶତ ରହିଛି । ଯାହାଫଳରେ ପ୍ରାୟ ୨୦ଲକ୍ଷ ଡୋଜ୍ ଅତିରିକ୍ତ ଟିକା ଲୋକଙ୍କୁ ଦିଆଯାଇ ପାରିଛି । ରାଜ୍ୟରେ ଏବେ ଟିକା ଓ ସିରିଞ୍ଜ ଯୋଗାଣରେ ଅଭାବ ନାହିଁ । ଜିଲ୍ଲାମାନଙ୍କ ଚାହିଦା ଅନୁସାରେ ସେସବକୁ ଯୋଗାଇ ଦିଆଯାଇଛି । ଲୋକମାନଙ୍କ ଟିକାକରଣ ସମୟରେ ସମାନ ବ୍ରାଣ୍ଡର ଟିକା ଦେବା ସମୟରେ ପୂର୍ଣ୍ଣ ସତର୍କ ରହିବା ଲାଗି କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଛି ।