ମନ ଜିଣି ନେଉଛି ଏହି ଆଦିବାସୀ ଗାଁ । ପରିଷ୍କାର ଓ ସ୍ୱଚ୍ଛତାରେ ବଡ ବଡ ସହର ବି ହେବେନି ସମକକ୍ଷ, ଜାଣନ୍ତୁ ଓଡ଼ିଶାର ଏହି ଗାଁ ବିଷୟରେ କିଛି ।

753

କନକ ବ୍ୟୁରୋ : କୁହାଯାଏ, ଗାଁ ପରିମଳ ଜଣାପଡେ ଧୋବା ତୁଠରୁ । ହେଲେ ମୟୁରଭଂଜର ବୋବେଇଯୋଡା ଗାଁର ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥା ସେମାନଙ୍କର ଗାଁ ଦାଣ୍ଡ ଓ ଘର କାନ୍ଥରୁ ଜଣାପଡେ । ଗାଁକୁ ଅତି ସୁନ୍ଦର ଭାବେ ସଜେଇ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଏହି ଆଦିବାସୀ ବହୁଳ ଗାଁ ।

ସ୍ୱଚ୍ଛତାର ଗାଁ ମୟୂରଭଂଜ ଜିଲ୍ଲାର ବୋବେଇଯୋଡ଼ା । ଗାଁର ସୌନ୍ଦର୍ଯ୍ୟ ଦେଖିଲେ ଆପଣ ବି କହିବାକୁ ବାଧ୍ୟ ହେବେ ହଁ, ଏଇ ଗାଁ ହିଁ ପ୍ରକୃତ ସ୍ୱଚ୍ଛତାର ପରିଚୟ । ଚାଳ, ଖପରା ଓ ଆଜବେଷ୍ଟସ୍ ଛପରକୁ ମାଟି କାନ୍ଥର ଘର । ଆଉ ଏଇ କାନ୍ଥରେ ଅଙ୍କା ହୋଇଛି ସୁନ୍ଦର ସୁନ୍ଦର ଚିତ୍ର, ଓ ନିଆରା କଳାକୃତି । କିଏ ଫୁଲ ଆଙ୍କିଛି ତ ଆଉ କିଏ ଗଛଲତାର ଝୋଟି । ଏଥିପାଇଁ ଗାଁର ମହିଳା ଓ ଯୁବତୀ ନିଜେ ରଙ୍ଗ ପ୍ରସ୍ତୁତ କରିଥାନ୍ତି । ଗାଁ ନିକଟ ଝରଣା ଓ ପାହାଡ଼ରୁ ବିଭିନ୍ନ ରଙ୍ଗର ମାଟି ମାଟି ସଂଗ୍ରହ କରିଥାନ୍ତି । ସେହି ମାଟିରେ ପେଜ ଓ ଅଠା ମିଶାଇ ରଙ୍ଗ ପ୍ରସ୍ତୁତ କରନ୍ତି ।

ବୋବେଇଯୋଡ଼ା ଗାଁର ସ୍ୱଚ୍ଛ ପରିବେଶ ସାଙ୍ଗକୁ ସଂସ୍କୃତି ଓ ପରମ୍ପରା ବି ଖୁବ୍ ନିଆରା । ଗାଁରେ ପ୍ରତିବର୍ଷ ପାଳିତ ହୁଏ ପାତା ପର୍ବ । ଏହି ପର୍ବରେ ଆଦିବାସୀ ନୃତ୍ୟ ମାଧ୍ୟମରେ ସ୍ୱଚ୍ଛତାର ବାର୍ତା ବାଣ୍ଟିଥାନ୍ତି ଗ୍ରାମବାସୀ । ଯୁବତୀ ଓ ମହିଳାମାନେ ପାରମ୍ପରିକ ପୋଷାକ ପରିଧାନ କରି ନାଗଡା ଓ ମାଦଳର ତାଳେ ତାଳେ ହାତକୁ ହାତ ଛନ୍ଦି ପାଦରେ ପାଦ ମିଶାଇ ନୃତ୍ୟ କରିଥାନ୍ତି । ସବୁଠାରୁ ଭଲ ନୃତ୍ୟ ପରିବେଷଣ କରିଥିବା ଦଳକୁ ସମ୍ମାନିତ କରାଯାଇଥାଏ ।

ପୂରା ଗାଁ ପରିବେଶ ପରିଷ୍କାର ପରିଚ୍ଛନ । ଚାରିଆଡେ ଚକାଚକ୍ ରାସ୍ତା, ଅଳିଆ ଆବର୍ଜନା ତ ଦୂରର କଥା କେଉଁଠି ବି ପଲିଥିନ୍ ଗୋଟିଏ ପଡି ନାହିଁ । ଗାଁକୁ ପରିଷ୍କାର ପରିଚ୍ଛନ ରଖିବା ପାଇଁ ଗାଁ ଦାଣ୍ଡରେ ରଖାଯାଇଥିବା ଡଷ୍ଟବିନକୁ ବ୍ୟବହାର କରୁଛନ୍ତି ବୋବେଇଯୋଡ଼ାର ଗ୍ରାମବାସୀ ।