କ୍ରିକେଟ୍ ମୈଦାନରେ ଓଡିଆ ଅମ୍ପେୟାରଙ୍କ ଷ୍ଟାଇଲିଷ୍ଟ ଅନ୍ଦାଜ୍…ଖେଳାଳୀଙ୍କ ଚୌକା, ଛକା ଏବଂ ଆଉଟ୍ ନିଷ୍ପତିକୁ ଅତି ମଜାଳିଆ ଢଙ୍ଗରେ କରୁଛନ୍ତି ଉପସ୍ଥାପନ…ନ୍ୟୁଜଲାଣ୍ଡର ପୂର୍ବତନ ଅମ୍ପେୟାରଙ୍କୁ ନକଲ କରି ଚର୍ଚ୍ଚାରେ ସତ୍ୟବ୍ରତ

470

କନକ ବ୍ୟୁରୋ: କ୍ରିକେଟ୍ ଜଗତର ଅମ୍ପେୟାରମାନଙ୍କ ମଧ୍ୟରେ ସବୁଠାରୁ ଷ୍ଟାଇଲିଷ୍ଟ ଅମ୍ପେୟାର କହିଲେ ନ୍ୟୁଜଲାଣ୍ଡର ବିଲ୍ଲୀ ବାଡେନଙ୍କୁ ହିଁ ବୁଝାଏ । କାହିଁକି ନା ମୈଦାନରେ ତାଙ୍କର ନିଷ୍ପତି ନେବାର ଶୈଳୀ ରହିଛି ବାକି ଅମ୍ପେୟାରଙ୍କଠାରୁ ପୂରା ଅଲଗା । କ୍ରିକେଟ ପଡିଆରେ ଥିବା ବେଳେ ବିଲ୍ଲୀ ଖେଳାଳୀଙ୍କ ଚଉକା, ଛକା, ଆଉଟ ଏବଂ ଅନ୍ୟାନ୍ୟ ନିଷ୍ପତି ଅତ୍ୟନ୍ତ କୌତୁକିଆ ଢଙ୍ଗରେ ନିଅନ୍ତି । ଯାହାର ଭରପୂର ମଜା ଉଠାଇଥାନ୍ତି ଉଭୟ ଟିଭି ସ୍କ୍ରିନରେ ଆଉ ପଡିଆରେ ବସି ଖେଳ ଦେଖୁଥିବା ଦର୍ଶକମାନେ । ଆଉ ବିଲ୍ଲୀ ବାଡେନଙ୍କୁ ନକଲ କରି ପୂରାପୂରି ଅବିଳକ ଢଙ୍ଗରେ କ୍ରିକେଟ୍ ପଡିଆରେ ଫୁଲ୍ ମନୋରଂଜନର ଖୋରାକ ଯୋଗାଉଛନ୍ତି କଟକର ସତ୍ୟବ୍ରତ ମିଶ୍ର ।

ପେଶାରେ ସେ ଜଣେ ଓକିଲ ହେଲେ ନିଶା ତାଙ୍କର କ୍ରିକେଟ୍ ପଡିଆରେ ଅମ୍ପେୟାରିଂ କରିବା । ତେବେ ବର୍ତ୍ତମାନ ସେ ଓଡିଶା କ୍ରିକେଟ୍ ଆସୋସିଏସନ ଅମ୍ପେୟାର ପ୍ୟାନେଲରେ ଅଛନ୍ତି । ରାଜ୍ୟ କ୍ରିକେଟ୍ ଜଗତରେ ସତ୍ୟବ୍ରତଙ୍କ କ୍ରେଜ୍ ଏଭଳି ଯେ ଓଡିଶାର ଯେଉଁଠି ବି କ୍ରିକେଟ୍ ପ୍ରତିଯୋଗୀତା ଆୟୋଜନ କରାଯାଏ ସେଠାରେ ପ୍ରଥମେ ସତ୍ୟବ୍ରତଙ୍କୁ ହିଁ ଖୋଜାଯାଏ ।

ନିକଟରେ ଅସ୍ତରଙ୍ଗରେ ଆୟୋଜିତ ହୋଇଥିବା ଏକ ରାଜ୍ୟସ୍ତରୀୟ କ୍ରିକେଟ୍ ମ୍ୟାଚରେ ବି ଅମ୍ପେୟାରିଂ କରି ଦର୍ଶକଙ୍କୁ ଭରପୁର ମନୋରଂଜନ କରିଛନ୍ତି ସତ୍ୟବ୍ରତ । ଏପରିକି ଖୋଦ୍ କ୍ରୀଡାମନ୍ତ୍ରୀ ତୁଷାରକାନ୍ତୀ ବେହେରା ମଧ୍ୟ ଏହି କ୍ରିକେଟ୍ ପ୍ରତିଯୋଗୀତା ଦେଖୁଥିବା ବେଳେ ସତ୍ୟବ୍ରତଙ୍କ ଅମ୍ପେୟାରିଂକୁ ଦେଖି ଖୁସି ଜାହିର କରିଛନ୍ତି । ସତ୍ୟବ୍ରତ କ୍ରିକେଟ୍ ପଡିଆରେ ପ୍ରଖ୍ୟାତ ଅମ୍ପେୟାର ବିଲ୍ଲୀ ବାଡେନଙ୍କ ଷ୍ଟାଇଲରେ ଚଉକା ଛକା ଏବଂ ଆଉଟ୍ ସହ ଅନ୍ୟାନ୍ୟ ନିଷ୍ପତିକୁ ଅତି କଉତିକିଆ ଢଙ୍ଗରେ ଖେଳକୁ ପରିଚାଳନା କରିଛନ୍ତି । ଯାହାକୁ ଖେଳାଳୀଙ୍କଠାରୁ ଆରମ୍ଭ କରି ଦର୍ଶକଙ୍କ ସହ କ୍ରୀଡା ମନ୍ତ୍ରୀ ମଧ୍ୟ ପ୍ରଂଶସା ନକରି ରହିବପାରିନାହାନ୍ତି । ତେବେ କେବଳ ଦର୍ଶକଙ୍କ ମନୋରଂଜନ ପାଇଁ ଏଭଳି କରନ୍ତି ବୋଲି କହିଛନ୍ତି ସତ୍ୟବ୍ରତ ।