ଭିତରକନିକା ଅଭୟାରଣ୍ୟକୁ କମିବାରେ ଲାଗିଛି ମଧୁର ଜଳପ୍ରବାହ : ଆଗାମୀ ୩୦ ବର୍ଷ ଭିତରେ ୪୬% ଜଳପ୍ରବାହ କମିବା ଆଶଙ୍କା

ଖରସ୍ରୋତାରେ ମେଗା ପାନୀୟ ଜଳ ପ୍ରକଳ୍ପ ବଦଳାଇ ଦେଇପାରେ ନଦୀର ଗତିପଥ

101

କନକ ବ୍ୟୁରୋ : ଭିତରକନିକା ଅଭୟାରଣ୍ୟ ପ୍ରତି ବଡ ବିପଦ ସୃଷ୍ଟି କରିପାରେ ଖରସ୍ରୋତା ନଦୀରେ ହେଉଥିବା ମେଗା ପାନୀୟ ଜଳ ପ୍ରକଳ୍ପ । ହାଇଡ୍ରୋ ଇକୋଲୋଜିକାଲ ଆସେସମେଂଟ ଫର ଇଂଟିଗ୍ରେଟେଡ୍ ମ୍ୟାନେଜମେଂଟ ଅଫ ଭିତରକନିକା ରାମସାର ସାଇଟ- ରିପୋର୍ଟରେ ଏଭଳି ଆକଳନ କରାଯାଇଛି । ଆଗାମୀ ୩ ଦଶନ୍ଧିରେ ଭିତରକନିକାକୁ ମଧୁର ଜଳ ପ୍ରବାହ ୪୬ ପ୍ରତିଶତକୁ କମିଯିବ ବୋଲି ଆଶଙ୍କା କରାଯାଇଛି ।

ରିପୋର୍ଟରେ କୁହାଯାଇଛି, ବ୍ରାହ୍ମଣୀ ଓ ବୈତରଣୀ ନଦୀ ଅବବାହିକାରେ ମାତ୍ରାଧିକ ବିକାଶମୂଳକ କାମ, ଭିତରକନିକାକୁ ଜଳ ପ୍ରବାହ କମାଇ ଦେଇଛି । ମେଗା ଜଳସେଚନ ପ୍ରକଳ୍ପ ଗୁଡିକ ନଦୀର ଗତିପଥ ପରିବର୍ତ୍ତନ କରିଦେଉଛି । ଏହାର ପ୍ରଭାବରେ ଭିତରକନିକାକୁ ମଧୁର ଜଳ ପ୍ରବାହ କମୁଥିବା ମଧ୍ୟ ରିପୋର୍ଟରେ କୁହାଯାଇଛି । ବର୍ତ୍ତମାନ କେନ୍ଦ୍ରାପଡାର ରାଜକନିକାରେ ପ୍ରସ୍ତାବିତ ମେଗା ପାନୀୟ ଜଳ ପ୍ରକଳ୍ପକୁ ଏହି ରିପୋର୍ଟରେ ଉଦାହରଣ ଭାବେ ନିଆଯାଇଛି । ବ୍ରାହ୍ମଣୀର ଶାଖା ନଦୀ ଖରସ୍ରୋତାରେ ପ୍ରକଳ୍ପ ହେଲେ ବ୍ରାହ୍ମଣୀ ବେସିନରେ ଜଳ ପ୍ରବାହ କମିଯିବ ବୋଲି କୁହାଯାଇଛି ।

ବିଭିନ୍ନ ପ୍ରକଳ୍ପ ଫଳରେ ୨୦୫୧ ସୁଦ୍ଧା ବ୍ରାହ୍ମଣୀ ବେସିନରେ ଜଳ ପ୍ରବାହ ୩୧ ପ୍ରତିଶତକୁ ଓ ବୈତରଣୀ ବେସିନରେ ୩୫ ପ୍ରତିଶତକୁ କମିପାରେ । ସେହିପରି ଦୁଇଟିଯାକ ବେସିନରେ ବର୍ତମାନ ୭୪ ଦଶମିକ ୬୪ ପ୍ରତିଶତ ମଧୁର ଜଳ ପ୍ରବାହ ହେଉଥିବାବେଳେ, ଆଗାମୀ ୩ ଦଶନ୍ଧିରେ ଏହା ୪୬ ପ୍ରତିଶତକୁ କମିଯିବ ବୋଲି ଆଶଙ୍କା କରାଯାଇଛି । ଯାହା ଭିତରକନିକାର ଜୈବ ବିବିଧତା ପ୍ରତି ବଡ ବିପଦ ସୃଷ୍ଟି କରିପାରେ ।