କନକ ବ୍ୟୁରୋ: ବାହାରିନରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ଭାରତ ସରକାରଙ୍କ ଏକ ଜିଲା ଏକ ଉତ୍ପାଦର (ODOP - One District One Product ) ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କର ଆତ୍ମନିର୍ଭରଶୀଳ ଭାରତ ଅଭିଆନ୍ ଅଧୀନରେ ବିଶ୍ୱବ୍ୟାପୀ ପ୍ରଚାର ପ୍ରସାର ନିମନ୍ତେ ଓଡିଶା ପାଇଁ ଏକ ପ୍ରଦର୍ଶନୀ ଉତ୍ସବ ଆରମ୍ଭ ହୋଇଛି।ଏହି ପ୍ରଦର୍ଶନୀ ଭାରତୀୟ ଦୂତାବାସରେ ଦୁଇ ମାସ ପର୍ୟ୍ୟନ୍ତ ବାହାରିନ ଓଡିଆ ସମାଜର ସହଯୋଗ ଦ୍ୱାରା ଜାରି ରହିବ ।
ରାଜସ୍ଥାନ, କାଶ୍ମୀର, ଉତ୍ତରପ୍ରଦେଶ, କର୍ଣ୍ଣାଟକ ପରେ ଓଡ଼ିଶା ହେଉଛି ପଞ୍ଚମ ରାଜ୍ୟ ଯାହାର ଗ୍ରାମୀଣ ଲୋକକଳା କାରିଗରୀ ଉତ୍ପାଦ ଦୂତାବାସର କଳା ଗ୍ୟାଲେରୀରେ ସ୍ଥାନିତ ହୋଇ ପ୍ରଦର୍ଶିତ ହେଉଛି। ଲୋକ ହସ୍ତକଳା ଗୁଡ଼ିକ ସେହି ଅଞ୍ଚଳର ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ବିଭବକୁ ଉପସ୍ଥାପିତ କରିଥାଏ ଏବଂ ଓଡ଼ିଶାର କଳା କାରିଗରୀ ଗୁଡ଼ିକ ଅତ୍ୟନ୍ତ ଲୋଭନୀୟ ଓ ଆକର୍ଷଣୀୟ ବୋଲି ଦୂତାବାସର ରାଷ୍ଟ୍ରଦୂତ ଶ୍ରୀ ବିନୋଦ କେ ଯାକବ ପ୍ରକାଶ କରିଥିଲେ। ସବୁଠାରୁ ଗୁରତ୍ୱପୂର୍ଣ୍ଣ କଥା ଯେ ଶ୍ରୀ ଜାକବ ଓଡ଼ିଶାର ଉତ୍ପାଦକୁ ଭୁରି ଭୁରି ପ୍ରଶଂସା କରିବା ସହିତ ନିଜର ବକ୍ତବ୍ୟ ଓଡ଼ିଆ ଭାଷାରେ ଦେଇଥିଲେ। ଦୂତାବାସ ପକ୍ଷରୁ ସ୍ୱତନ୍ତ୍ର ଭାବେ ନିମନ୍ତ୍ରିତ ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ଅରୁଣ କୁମାର ପ୍ରହରାଜ ଏବଂ ବହାରେନ ଓଡିଆ ସମାଜର ସଦସ୍ୟମାନେ ଏହି ପ୍ରଦର୍ଶନ ଉତ୍ସବରେ ଯୋଗଦେଇ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଉତ୍ପାଦ ଗୁଡ଼ିକ ଉପରେ ବିସ୍ତୃତ ବିବରଣୀ ଦେଇଥିଲେ।
ପୁରୀର ପଟଚିତ୍ର ଓ ଚାନ୍ଦୁଆ, ମୟୂରଭଞ୍ଜର ଆଦିବାସୀ ଉତ୍ପାଦ , କଟକର ତାରକସି, ଢେଙ୍କାନାଳର ଡୋକ୍ରା, ଗଞ୍ଜାମର ଶିଙ୍ଗକାମ, ସମ୍ବଲପୁରର ବାନ୍ଧକଳା ଆଦି ବିଭିନ୍ନ ଉତ୍ପାଦ ବହାରେନ ଓଡିଆ ସମାଜ ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ଅରୁଣ କୁମାର ପ୍ରହରାଜ ଦ୍ୱାରା ଓଡିଶା ରାଜ୍ୟରୁ ଅଣାଯାଇ ଭାରତୀୟ ଦୂତାବାସରେ ପ୍ରଦର୍ଶିତ ହୋଇଥିଲା । ଡ. ପ୍ରହରାଜ କହିଥିଲେ ଯେ ଭାରତର ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ ଆହ୍ବାନର ଏକ ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧି ସ୍ୱରୂପ ଓଡ଼ିଶାର ଗ୍ରାମୀଣ କଳାକାରମାନେ ଏହାକୁ ଅତି ନିଖୁଣ ଭାବରେ ହସ୍ତକଳା ମାଧ୍ୟମରେ ରୂପାୟିତ କରିପାରିଛନ୍ତି। ଆହୁରି ମଧ୍ୟ ଡ. ପ୍ରହରାଜ କହିଛନ୍ତି ଯେ ଓଡିଶାର ପ୍ରତ୍ୟେକ ଅଣ ବାସିନ୍ଦା ବିଦେଶୀ ମାଟିରେ ଓଡିଶାର ରାଷ୍ଟ୍ରଦୂତ ଭାବରେ କାର୍ୟ୍ୟ କରିବା ଉଚିତ ଯାହା ଆଗାମୀ ଦିନରେ ଓଡିଶାର ବାଣିଜ୍ୟ ଏବଂ ପର୍ୟ୍ୟଟନ ସୁବିଧାକୁ ଅତ୍ୟଧିକ ପ୍ରୋତ୍ସାହିତ କରିବ।
ଆଗାମୀ ସମୟରେ ବାହାରିନ ଓଡ଼ିଆ ସମାଜ ବିଭିନ୍ନ ପ୍ରବାସୀ ଓଡ଼ିଆ ସଙ୍ଗଠନ ଜରିଆରେ ଏହି ଓଡ଼ିଆ ଉତ୍ପାଦ ଗୁଡିକୁ ବିଶ୍ଵବ୍ୟାପି ବିପଣନ କରିବାରେ ଉଦ୍ୟମ କରିବ ବୋଲି ଡ. ପ୍ରହରାଜ ପ୍ରକାଶ କରିଥିଲେ। ବାହାରିନ ଓଡିଆ ସମାଜର ମହିଳା ସଦସ୍ୟମାନେ ଭାରତୀୟ ଦୂତାବାସରେ ଓଡିଶାର ରାଜ୍ୟ ସଂଗୀତ ସହିତ ଓଡ଼ିଶୀ ଏବଂ ସମ୍ବଲପୁରୀ ଲୋକ ନୃତ୍ୟ ମଧ୍ୟ ପରିବେଷଣ କରିଥିଲେ। ବାହାରିନ ଓଡ଼ିଆ ସମାଜର ପ୍ରତିନିଧିମାନେ ରାମ୍ପ ଶୋ ମାଧ୍ୟମରେ ଓଡ଼ିଆ ଉତ୍ପାଦ ସବୁକୁ ପ୍ରଦର୍ଶନ କରିଥିଲେ।
ଭାରତୀୟ ଦୂତାବାସରେ ଏହି ସମାରୋହରେ ଓଡିଶାର ଏକ ଜିଲ୍ଲା-ଏକ-ଉତ୍ପାଦ ପ୍ରାଚୀରକୁ ଉଦ୍ଘାଟନ କରିବାବେଳେ, ମାନ୍ୟବର ଭାରତର ରାଷ୍ଟ୍ରଦୂତ ଶ୍ରୀ ବିନୋଦ କେ ଯାକବ ବହାରେନ ଓଡିଆ ସମାଜର ଉଦ୍ୟମକୁ ଗଭୀର ପ୍ରଶଂସା କରିଛନ୍ତି ଏବଂ ସେ କହିଛନ୍ତି ଯେ ବହାରିନରେ ଓଡିଆ ସମ୍ପ୍ରଦାୟ ଏକ ଜିଲ୍ଲା-ଏକ-ଉତ୍ପାଦ ପ୍ରୋଗ୍ରାମର ପ୍ରକୃତ କାର୍ୟ୍ୟାନ୍ୱୟନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/06/WhatsApp-Image-2024-06-26-at-8.56.17-AM.jpeg)