କରୋନା ସଂକ୍ରମଣକୁ ନଜରରେ ରଖି ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି : ଜୁନ୍ ୧ ତାରିଖ ଯାଏଁ ବଢିଲା ଲକଡାଉନ

321

କନକ ବ୍ୟୁରୋ : ବଢିଲା ଲକଡାଉନ୍ ଅବଧି । ଜୁନ୍ ୧ ତାରିଖ ସକାଳ ୫ଟା ଯାଏଁ ରାଜ୍ୟରେ ଲକଡାଉନ ବୃଦ୍ଧି ନେଇ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ । ଅନ୍ୟପକ୍ଷରେ ସୋମବାରରୁ ଶୁକ୍ରବାର ଦୈନିକ ସକାଳେ ପନିପରିବା କିଣିବା ପାଇଁ ମିଳୁଥିବା ସମୟ ସୀମାକୁ କମାଇ ଦିଆଯାଇଛି । ପୂର୍ବରୁ ଏହି ସମୟ ସୀମା ସକାଳ ୬ଟାରୁ ଦିନ ୧୨ଟା ଥିବା ବେଳେ ଏବେ ଏହାକୁ ସକାଳ ୭ଟାରୁ ଦିନ ୧୧ଟା କରି ଦିଆଯାଇଛି । ଫଳରେ ଲୋକଙ୍କୁ ପନିପରିବା ଓ ସଉଦା ସାମଗ୍ରୀ କିଣିବା ପାଇଁ ମାତ୍ର ୪ ଘଣ୍ଟା ସମୟ ମିଳିବ । ଚାଲି ଚାଲି ଯାଇ ଲୋକେ ପନିପରିବା ଇତ୍ୟାଦି କ୍ରୟ କରି ପାରିବେ କୁହାଯାଇଛି ।

ଲକଡାଉନ ଅବଧି ମଧ୍ୟରେ ପୂର୍ବ ପରି ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନ ବଳବତ୍ତର ରହିବ । ଲକଡାଉନ ସମୟରେ ଟିକାକରଣ ଜାରି ରହିବା ସହ କୋଭିଡ ପରୀକ୍ଷା ପାଇଁ ଅନୁମତି ମିଳିବ । ହସ୍ପିଟାଲ, କ୍ଲିନିକ, ନର୍ସିଂହୋମ, ଟେଲି ମେଡିସିନ ସେବା ଜାରି ରହିବ ।

ଅପରପକ୍ଷରେ ଏଣିକି ବାହାଘରରେ ମାତ୍ର ୨୫ଜଣଙ୍କୁ ଅନୁମତି ମିଳିବ । ବାହାଘର, ବ୍ରତଘର, ଶୁଦ୍ଧିଘରରେ ଭୋଜିଭାତକୁ ବାରଣ କରାଯାଇଛି । କେବଳ ପାର୍ସଲ ଦେଇପାରିବେ । ବ୍ରତଘର ଓ ଶୁଦ୍ଧିଘରରେ ମାତ୍ର ୨୦ଜଣଙ୍କୁ ଅନୁମତି ମିଳିବ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଫିସରେ କମ୍ କର୍ମଚାରୀଙ୍କୁ ନେଇ ଅଫିସ୍ ଚାଲିବ ।