ଜୁନ ପରେ ଏବେ ପୁଣି ଜୁଲାଇ ଚିନ୍ତା । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ ଜୁଲାଇରେ ବଢ଼ିବ ଅଧିକ ସଂକ୍ରମଣ, ବିଶେଷଜ୍ଞ ଡାକ୍ତର କହିଲେ ଏବେ ବି ଶିଖରରେ ପହଁଚି ନାହିଁ କରୋନା । ଗତ ୨୩ ଦିନରେ ରିପୋର୍ଟ ହୋଇଛି ୩ ହଜାର ୬୪୮ ନୂଆ ସଂକ୍ରମଣ ।

741

କନକ ବ୍ୟୁରୋ: ଜୁଲାଇ ମାସରେ ଓଡ଼ିଶାରେ ବଢ଼ିବ ସଂକ୍ରମଣ, ସତର୍କ ରହିବାକୁ ସରକାରଙ୍କ ପରାମର୍ଶ । କରୋନା ସଂକ୍ରମଣ କେବେ ସର୍ବୋଚ୍ଚ ସ୍ତରରେ ପହଁଚିବ, ଏ ନେଇ ସଠିକ୍ ଆକଳନ କରାଯାଇ ପାରୁନଥିଲେ ବି ଜୁଲାଇ ମାସରେ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇବ ବୋଲି କହିଛନ୍ତି ନୂଆ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ତେବେ ରାଜ୍ୟରେ ଅଧିକ ସଂଖ୍ୟକ ଆକ୍ରାନ୍ତଙ୍କର ଲକ୍ଷଣ ନଥିବାରୁ ଭୟଭୀତ ହେବାର କାରଣ ନାହିଁ ବୋଲି ସେ କହିଛନ୍ତି ।

ଗତ ୪ ମାସ ଭିତରେ ଓଡ଼ିଶାରେ କିପରି ବଢ଼ିଛି ସଂକ୍ରମଣ?
ମାର୍ଚ୍ଚ ୧୫ – ପ୍ରଥମ ଆକ୍ରାନ୍ତ ଚିହ୍ନଟ
ମାର୍ଚ୍ଚ ୩୧ – ଆକ୍ରାନ୍ତଙ୍କ ସଂଖ୍ୟା ୪
ଏପ୍ରିଲ ୩୦ – ୧୪୩ରେ ପହଁଚିଲା ସଂକ୍ରମିତଙ୍କ ସଂଖ୍ୟା
ମେ’ ୩୧ – ୨,୧୦୪ କରୋନା ଆକ୍ରାନ୍ତ ଚିହ୍ନଟ
ଜୁନ୍ ୨୩ – ମୋଟ ପଜିଟିଭ୍ ସଂଖ୍ୟା ୫,୭୫୨

ଗତ ୨୩ ଦିନ ଭିତରେ ୩ ହଜାର ୬୪୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମାର୍ଚ୍ଚ, ଏପ୍ରିଲ, ମେ’, ଏହି ୩ ମାସରେ ଯେତିକି ସଂକ୍ରମଣ ହୋଇଥିଲା । ଏହାର ଅଢ଼େଇ ଗୁଣରୁ ଅଧିକ କେବଳ ଜୁନ ମାସର ୩ ସପ୍ତାହ ମଧ୍ୟରେ ହୋଇଛି । ଭୁବନେଶ୍ୱର ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ର କହିଛନ୍ତି ଏପର୍ଯ୍ୟନ୍ତ ଦେଶରେ ସଂକ୍ରମଣ ସର୍ବୋଚ୍ଚ ସ୍ତରରେ ପହଁଚି ନାହିଁ, ତେଣୁ ଜୁଲାଇ ମାସରେ ସଂକ୍ରମଣ ବଢ଼ିବା ଆଶଙ୍କା ରହିଛି । ଟେଷ୍ଟ, ଟ୍ରାକ ଓ ଟ୍ରିଟମେଂଟ ଉପରେ ପୁଣିଥରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଘରକୁ ଘର ବୁଲି ସର୍ଭେ କାମ ଆରମ୍ଭ କରିଛନ୍ତି ଆଶା ଓ ଅଙ୍ଗନବାଡି କର୍ମୀ ।