ଅନଲକ ୨.୦ରେ ଜୋନ୍-୧ରେ ଓଡିଶାର ୧୦ଟି ଜିଲ୍ଲା । ଶନିବାର ଓ ରବିବାର ରହିବ ସଟଡାଉନ । ଜିଲ୍ଲାପାଳ ଚାହିଁଲେ ଜାରି କରିପାରିବେ ଅଧିକ କଟକଣା, ରାତ୍ରିକାଳୀନ କର୍ଫ୍ୟୁ କୋହଳ କଲେ ସରକାର ।

2,513

କନକ ବ୍ୟୁରୋ: କରୋନା ମହାମାରୀର ମୁକାବିଲା ନେଇ ଜୁଲାଇ ମାସ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ମହାମାରୀର ମୁକାବିଲା ଏବଂ ଅର୍ଥନୀତିରେ ସମନ୍ୱୟ ରକ୍ଷା କରି ଏହି ନିୟମାବଳୀ ପ୍ରସ୍ତୁତ କରାଯାଇଛି ବୋଲି ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ କହିଛନ୍ତି ।

ଓଡିଶାର ମାନଚିତ୍ରରେ ଏହି ଦଶଟି ଜିଲ୍ଲା ଉପରେ ଏବେ ସରକାରଙ୍କ ନଜର । କାରଣ ଏହି ଜିଲ୍ଲାଗୁଡିକରେ ଏବେ ସବୁଠାରୁ ଅଧିକ ସକ୍ରୀୟ କରୋନା ଆକ୍ରାନ୍ତ ରହିଛନ୍ତି । ୫୦ରୁ ଅଧିକ ସକ୍ରିୟ ଆକ୍ରାନ୍ତ ରହିଥିବା ୧୦ଟି ଜିଲ୍ଲାକୁ ନେଇ ଜୋନ୍-୧ ଗଠନ କରାଯାଇଛି । ଏହି ଜିଲ୍ଲା ଗୁଡିକ ହେଲା ଗଂଜାମ, ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର, ଜଗତସିଂହପୁର, ବାଲେଶ୍ୱର, ମୟୂରଭଂଜ, କେଉଁଝର ଓ ଝାରସୁଗୁଡା । ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ସଚିବ ଅସିତ ତ୍ରିପାଠୀ କହିଛନ୍ତି, ଏହି ୧୦ଟି ଜିଲ୍ଲାରେ ପୂର୍ବଭଳି ଶନିବାର ଓ ରବିବାର ସଟଡାଉନ୍ ଜାରି ରହିବ ।

ଜୋନ୍-୧ର ଏହି ଜିଲ୍ଲା ଗୁଡିକରେ ଜିଲ୍ଲାପାଳ ଓ ମ୍ୟୁନିସପାଲ କର୍ତୃପକ୍ଷଙ୍କୁ କ୍ଷମତା ଦିଆଯାଇଛି । ସଂକ୍ରମଣକୁ ଦେଖି ସ୍ଥାନୀୟ ପ୍ରଶାସନ ଜିଲ୍ଲା ଭିତରେ ପବ୍ଲିକ ଟ୍ରାନ୍ସପୋର୍ଟ ଅର୍ଥାତ ସାଧାରଣ ପରିବହନ ସେବା ବନ୍ଦ କରିପାରିବେ । ଅର୍ଥାତ୍ କାର, ବସ୍, ଅଟୋ ସେବାକୁ ଚାହିଁଲେ ବନ୍ଦ କରିପାରିବେ । ଦୋକାନ ବଜାର ମଧ୍ୟ ବନ୍ଦ କରିପାରିବେ । ସରକାରୀ ଓ ବେସରକାରୀ ଅଫିସ ବନ୍ଦ କରିପାରିବେ । ଭିଡ ହେଉଥିବା ସ୍ଥାନ ବନ୍ଦ କରିପାରିବେ ଜିଲ୍ଲାପାଳ ଓ ମ୍ୟୁନିସପାଲଟି ଅଥୋରିଟି ।

ସେପଟେ ସାରା ରାଜ୍ୟରେ ରାତ୍ରୀକାଳୀନ କର୍ଫ୍ୟୁକୁ କୋହଳ କରିଛନ୍ତି ସରକାର । ପୂର୍ବରୁ ସନ୍ଧ୍ୟା ୭ଟାରୁ ସକାଳ ୫ଟା ଯାଏ କର୍ଫ୍ୟୁ ରହିଥିବା ବେଳେ ଏବେ ଏହାକୁ ଆଉ ଦୁଇ ଘଂଟା ପାଇଁ କୋହଳ କରାଯାଇଛି । ଜୁଲାଇ ପହିଲାରୁ ରାତି ୯ଟାରୁ ସକାଳ ୫ଟା ଯାଏଁ କର୍ଫ୍ୟୁ କଟକଣା ଜାରି ରହିବ । ଏହି ସମୟରେ ସବୁ ଦୋକାନ ବଜାର ବନ୍ଦ ରହିବ । ଜରୁରୀ ସେବାକୁ ବାଦ ଦେଲେ ଅନ୍ୟ ପରିବହନ ଓ ଯାତାୟତକୁ ବନ୍ଦ ରଖାଯିବ । ତେବେ ଅନୁମତି ନେଇ କଳକାରଖାନାରେ କାମ ଚାଲିପାରିବ । ସେହିପରି ସାମାଜିକ ଦୂରତା ରଖି ନିର୍ମାଣ କାର୍ଯ୍ୟ ମଧ୍ୟ ଚାଲିପାରିବ ।