କନକ ବ୍ୟୁରୋ: ଆଜି ବି ଚାଲିପାରିଲାନି ବିଧାନସଭା । ବୈଜୟନ୍ତଙ୍କ ବନ୍ଧୁ ଅଭିଜିତଙ୍କ ଟୁଇଟକୁ ନେଇ ଗୃହରେ ହଙ୍ଗାମା କରିଛନ୍ତି ଶାସକ ଦଳର ସଦସ୍ୟ । ଅଭିଜିତ୍ ଆୟାର ଅପାମନଜନକ ଟୁଇଟ୍ କରି ଓଡିଶାର ଅପମାନ କରିଛନ୍ତି ବୋଲି କହିଛନ୍ତି ଶାସକ ଦଳ ସଦସ୍ୟ । ଅଭିଜିତଙ୍କୁ ଗିରଫ ଦାବି କରିବା ସହ ସେ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି ବିଜେଡି ବିଧାୟକ । ହଟ୍ଟଗୋଳ ଜାରି ରହିବାରୁ ଗୃହକୁ ୩ଟା ଯାଏ ମୁଲତବୀ ରଖିଛନ୍ତି ବାଚସ୍ପତି ।
ସେପଟେ ପ୍ରଶ୍ନକାଳରେ ହଟ୍ଟଗୋଳ କରିଥିଲେ ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟ । ବିଧାନସଭା ଆରମ୍ଭ ହେବା ମାତ୍ରେ ବିଜୁ ଯୁବ ବାହିନୀର ଅର୍ଥ ହେରଫେର ଅଭିଯୋଗ ଆଣି ହଟ୍ଟଗୋଳ କରିଥିିଲେ ବିଜେପି ବିଧାୟକ । କଳାଗାଉନ ପିନ୍ଧି ବିଜେପି ବିଧାୟକ ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ । ସେହିପରି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ କଂଗ୍ରେସ ଆଣିଥିବା ମୂଲତବୀ ନୋଟିସକୁ ବାଚସ୍ପତି ଗ୍ରହଣ ନକରିବାକୁ ହୋହାଲ୍ଲା କରିଥିଲେ କଂଗ୍ରେସ ବିଧାୟକ । ଗୃହ ଚାଲି ନପାରିବାରୁ ୧୧ଟା ୩୦ଯାଏ ଗୃହକୁ ମୂଲତବି ଘୋଷଣା କରିଥିଲେ । ତେବେ ସାଢ଼େ ଏଗାରଟାରେ ଗୃହ କାର୍ଯ୍ୟ ପୁଣି ଥରେ ଆରମ୍ଭ ହେବା ହୋଇଯାଇଥିଲା ହଟ୍ଟଗୋଳ । ଫଳରେ ଗୃହକୁ ପୁଣି ଦିନ ୩ ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।