ଦୁଷ୍ମନ୍ତଙ୍କ ମୃତ୍ୟୁ ପାଇଁ କିଏ ଦାୟୀ ? କାହିଁକିି ତରବରିଆ ଭାବେ ରାତି ଅଧିଆ ହେଲା ପୋଷ୍ଟମର୍ଟମ ?

248

କନକ ବ୍ୟୁରୋ : କଟକ ବଡ ମେଡିକାଲରେ ରାତିଅଧରେ ହେଲା ଦୁଷ୍ମନ୍ତଙ୍କ ପୋଷ୍ଟମର୍ଟମ ଓ ଏହାପରେ ପୁରୀ ସ୍ୱର୍ଗଦ୍ୱାରରେ ହୋଇଛି ଅନ୍ତିମ ସଂସ୍କାର । ତେବେ ରାତିରେ ମୃତଦେହ ବ୍ୟବଚ୍ଛେଦ କରିବା ନିୟମ ନାହିଁ । ତେଣୁ ଦୁଷ୍ମନ୍ତଙ୍କ ମୃତଦେହ କେମିତି ରାତି ଅଧିଆ ପୋଷ୍ଟମର୍ଟମ କରାଗଲା, ଏହା ପଛର କାରଣ କଣ । କାହିଁକି ସକାଳ ଯାଏଁ ଅପେକ୍ଷା କରାଗଲା ନାହିଁ,ତରବରିଆ ଭାବେ ପୋଷ୍ଟମର୍ଟମ କରିବା ପଛର କାରଣ କଣ । ରାତି ଅଧରେ ମୃତଦେହ ବ୍ୟବଚ୍ଛେଦ କରିବା ପରେ ଦୁଷ୍ମନ୍ତଙ୍କ ମୃତ୍ୟୁକୁ ନେଇ ଜନସାଧାରଣରେ ସନ୍ଦେହ ଦେଖା ଦେଇଛି ।

କଟକ ବଡ଼ ମେଡିକାଲରେ ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ ଆଣି ଦୁଷ୍ମନ୍ତ ଗତକାଲି ବିଧାନସଭା ଆଗରେ ହାତ କାଟିବା ସହ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରେ ତାଙ୍କୁ ଏସସିବିକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଦୁଷ୍ମନ୍ତଙ୍କ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଅଭିଯୋଗ ପରେ ଘଟଣାର ତଦନ୍ତ ହେବ ବୋଲି ଏସସିବି ପକ୍ଷରୁ କୁହାଯାଇଛି ।

ସୂଚନା ଅନୁସାରେ ଜଗତସିଂହପୁର ଜିଲ୍ଲା କୁଜଙ୍କ ପଙ୍କପାଳ ଅଞ୍ଚଳର ଦୁଷ୍ମନ୍ତ ଦାସ ଗତବର୍ଷ ମାର୍ଚ୍ଚ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଘରକୁ ଫେରୁଥିବା ବେଳେ ପିକଅପ୍ ଭ୍ୟାନ୍ ଧକ୍କାରେ ତାଙ୍କ ବାମ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା । ପ୍ରଥମେ ତାଙ୍କୁ ଜଗତସିଂହପୁର ମେଡିକାଲ ଓ ପରେ ଏସସିବିରେ ଭର୍ତ୍ତି କରାଯାଇଥିଲା । ଗତବର୍ଷ ମାର୍ଚ୍ଚ ୨୨ରେ ଏସସିବିରେ ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା ।

ସେହିପରି ଗତବର୍ଷ ଜୁନରେ ପୁଣି ଥରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା । ପରେ ଡାକ୍ତର ଭଲ ହୋଇଯିବ କହି ଏସସିବିରୁ ଡିସଚାର୍ଜ କରାଇଥିଲେ । ହେଲେ ସେ ଘରକୁ ଆସିବା ପରେ ଦୀର୍ଘଦିନ ପରେ ବି ଗୋଡ଼ରୁ ଯନ୍ତ୍ରଣା କମି ନଥିଲା । ବାମ ଗୋଡ଼ ସଠିକ ଭାବେ କାମ ନକରିବାରୁୁ ଚାଲିବା ବି ତାଂକ ପକ୍ଷେ କଷ୍ଟକର ହୋଇପଡ଼ିଥିଲା । ତେବେ ଏନେଇ ସେ ପରେ ଅନ୍ୟ ଡାକ୍ତରଙ୍କୁ ଯୋଗାଯୋଗ କରିଥିଲେ । ଆଉ ଏହାପରେ ଏସସିବିରେ ତାଙ୍କର ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ହୋଇଥିବା ଦୁଷ୍ମନ୍ତ ଅଭିଯୋଗ କରିଆସୁଥିଲେ ।