ଟିକା ଅନୁପାତରେ ପରିବର୍ତ୍ତନ ପାଇଁ ଚିଠି ଲେଖିଲା ଓଡ଼ିଶା । ଘରୋଇ ହସ୍ପିଟାଲକୁ ୨୫ ପ୍ରତିଶତ ପରିବର୍ତ୍ତେ ୫ ପ୍ରତିଶତ ଟିକା ଯୋଗାଣ ପାଇଁ ଦାବି

174

କନକ ବ୍ୟୁରୋ: ଟିକା ଅନୁପାତରେ ପରିବର୍ତନ ପାଇଁ ଚିଠି ଲେଖିଲା ଓଡ଼ିଶା । ଘରୋଇ ହସ୍ପିଟାଲକୁ ୨୫ ପ୍ରତିଶତ ପରିବର୍ତେ ୫ ପ୍ରତିଶତ ଟିକା ଯୋଗାଣ ପାଇଁ ଦାବି । ପରିବର୍ତିତ କୋଭିଡ ଟିକାକରଣ ଗାଇଡ ଲାଇନ ଅନୁଯାୟୀ, ଘରୋଇ ହସ୍ପିଟାଲ ଗୁଡ଼ିକ ଟିକା ପ୍ରସ୍ତୁତ କମ୍ପାନୀ ଠାରୁ ସିଧାସଳଖ ଭାବେ ୨୫ ପ୍ରତିଶତ ଟିକା କିଣିପାରିବେ । ବର୍ତମାନ ସୁଦ୍ଧା ଓଡ଼ିଶାର ୭ଟି ହସ୍ପିଟାଲ କମ୍ପାନୀଠାରୁ ଟିକା ପାଇଛନ୍ତି । ଓଡ଼ିଶାରେ ଲୋକସଂଖ୍ୟା ଅନୁପାତରେ ଘରୋଇ ହସ୍ପିଟାଲ ସଂଖ୍ୟା ବହୁତ କମ୍ । ଏହା ରାଜ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ମାତ୍ର ୫ ପ୍ରତିଶତ ।

ଏଥିରୁ ଆଶଙ୍କା କରାଯାଉଛି ଯେ ପ୍ରଚଳିତ ଗାଇଡ ଲାଇନ ଅନୁସାରେ ରାଜ୍ୟ ତାର ୨୫ ପ୍ରତିଶତ ଟିକା ଅନୁଦାନକୁ ହରାଇବ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ସଚିବଙ୍କୁ ଏନେଇ ଅବଗତ କରି ସାରିଛନ୍ତି । ଏହି ୭୫ ଓ ୨୫ ଅନୁପାତକୁ ପରିବର୍ତନ କରି ୯୫ ଓ ୫ ପ୍ରତିଶତ କରିବା ପାଇଁ ସେ ଦାବି କରିଛନ୍ତି । ଯାହା ଫଳରେ ରାଜ୍ୟର ଅନୁପାତ ହାରରେ ଘରୋଇ ହସ୍ପିଟାଲ ଗୁଡିକ ଆବଶ୍ୟକ ଟିକା କିଣି ପାରିବେ ।