ଦକ୍ଷତା ବିକାଶ ପ୍ରତିଯୋଗିତାରେ କୀର୍ତ୍ତିମାନ ସ୍ଥାପନ କଲା ଓଡ଼ିଶା । ଇଣ୍ଡିଆ ସ୍କିଲ୍ ୨୦୨୨ ପ୍ରତିଯୋଗିତାରେ ମିଳିଲା ୫୧ଟି ପଦକ ।

116

କନକ ବ୍ୟୁରୋ : ଦକ୍ଷତା ବିକାଶ ପ୍ରତିଯୋଗିତାରେ ପୁଣି ଥରେ କୀର୍ତ୍ତିମାନ ସ୍ଥାପନ କରି ଓଡ଼ିଶା ଫେରିଛନ୍ତି ଦକ୍ଷ ପ୍ରତିଯୋଗୀ । ନିକଟରେ ଶେଷ ହୋଇଥିବା ଇଣ୍ଡିଆ ସ୍କିଲ ପ୍ରତିଯୋଗିତାରେ ଓଡ଼ିଶା ସର୍ବାଧିକ ପଦକ ହାସଲ କରିବାରେ ସଫଳ ହୋଇଛି ।

ନୂଆଦିଲ୍ଲୀରେ ଆୟୋଜିତ ଇଣ୍ଡିଆ ସ୍କିଲ୍ ୨୦୨୨ ପ୍ରତିଯୋଗିତାର ବିଭିନ୍ନ ବିଭାଗରେ ଓଡ଼ିଶାକୁ ୧୦ଟି ସ୍ୱର୍ଣ୍ଣପଦକ ମିଳିଥିବା ବେଳେ ୧୮ଟି ରୌପ୍ୟ, ୯ଟି କାଂସ୍ୟ ଏବଂ ୧୪ଟି ମେଡାଲିୟନ୍ ଅଫ୍ ଏକ୍ସଲେନ୍ସ ସହ ସର୍ବମୋଟ୍ ୫୧ଟି ପଦକ ମିଳିଛି ।

ରୋବୋଟିକ୍ସକୁ ନେଇ ପ୍ରଥମ ଥର ଏହି ପ୍ରତିଯୋଗିତାକୁ ଯାଇଥିବା ବେଳେ ସଫଳତାର ସହ ରୌପ୍ୟ ପଦକ ହାସଲ କରିଛି ଓଡ଼ିଶା । ସେହିପରି ବିୟୁଟି ଥେରାପି ଭଳି ଇଭେଣ୍ଟରେ ମଧ୍ୟ ଓଡ଼ିଶାକୁ ମିଳିଛି ସଫଳତା । ମେଟ୍ରୋ ସିଟି ଭଳି ସ୍ଥାନରୁ ଆସିଥିବା ପ୍ରତିଯୋଗୀଙ୍କୁ ପଛରେ ପକାଇ ଓଡ଼ିଶା ପାଇଁ ରୌପ୍ୟ ଜିତିଛନ୍ତି ରୋଜାଲିନ୍ ।

ଏହି ପ୍ରତିଯୋଗିତା ପାଇଁ ଓଡ଼ିଶାରୁ ୭୬ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ତେବେ ସ୍ୱର୍ଣ୍ଣପଦକ ବିଜେତାଙ୍କୁ ୧ ଲକ୍ଷ, ରୌପ୍ୟପଦକ ବିଜେତାଙ୍କୁ ୭୫ ହଜାର ଏବଂ କାଂସ୍ୟ ପଦକ ବିଜେତାଙ୍କୁ ୫୦ ହଜାର ଟଙ୍କା ପୁରସ୍କାର ମିଳିଛି । ଓଡ଼ିଶା ୧୦ଟି ସ୍ୱର୍ଣ୍ଣପଦକ ସହ ଏହି ବିଜେତାମାନେ ଆସନ୍ତା ଅକ୍ଟୋବରରେ ଚୀନର ସାଂଘାଇରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱଦକ୍ଷତା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ।