ପ୍ରତିଶ୍ରୁତି ଦେଇ ଆସିଲାନି ବର, କନ୍ୟାଙ୍କ ପ୍ରତିବାଦ : ବର ଘର ଆଗରେ ବୋହୂ ବେଶରେ ରାତିସାରା ଦେଲେ ଧାରଣା; ପୂର୍ବରୁ କୋର୍ଟରେ ହୋଇଥିଲା ବିବାହ

ବାହାଘର ଦିନ ବର ନଆସିବାରୁ ଶେଷରେ ବ୍ରହ୍ମପୁର ବ୍ରହ୍ମାନଗରରେ ପ୍ରତିବାଦ

457

କନକ ବ୍ୟୁରୋ : ବର ଘର ଆଗରେ କନ୍ୟାର ଧାରଣା । ବୋହୂ ବେଶରେ ରାତି ସାରା ଧାରଣାରେ ବସିଛନ୍ତି ଯୁବତୀ । ବିବାହ ତାରିଖ ଠିକ୍ ହୋଇଥିଲା, କାର୍ଡ ବଂଟା ହେଲା, ବାହାଘର ଦିନ ବର ଆସିଲେନି । ଶେଷରେ ବ୍ରହ୍ମପୁର ବ୍ରହ୍ମାନଗରରେ ତପସ୍ୱିନୀ ଦାସ ନାମକ ମହିଳା, ବୋହୁ ବେଶରେ ଆସି ଶଶୁର ଘର ଆଗରେ ପ୍ରତିବାଦ କରୁଛନ୍ତି । ଅଭିଯୋଗ ଅନୁସାରେ ଗତ ୨୦୨୦ ମସିହାରେ ସୁମିତ ସାହୁ ନାମକ ଜଣେ ଡାକ୍ତର, ତପସ୍ୱିନୀଙ୍କୁ କୋର୍ଟରେ ବିବାହ କରିଥିଲେ ।

ଦୀର୍ଘ ୬ ମାସ ଏକାଠି ରହିବା ପରେ ତପସ୍ୱିନୀଙ୍କୁ ତାଙ୍କ ବାପ ଘରେ ଛାଡ଼ିଦେଇଥିଲେ । ରୀତିନୀତି  ଅନୁଯାୟୀ ବିବାହ କରି ଘରକୁ ଆଣିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାରି ଭିତରେ ମାମଲା କୋର୍ଟକୁ ଯାଇଥିଲା । ବିବାହ କରାଇ ଦେବାକୁ ପୁଅର ବାପା ପ୍ରତିଶ୍ରୁତିି ମଧ୍ୟ ଦେଇଥିଲେ । କିନ୍ତୁ ଦୁଇ ଦୁଇଥର ବିବାହ ପାଇଁ ଲଗ୍ନ ସ୍ଥିର ହୋଇଥିଲା ।  ଶେଷରେ ସୋମବାର ବିବାହ ପାଇଁ ଦିନ ଠିକ ହୋଇଥିଲା । କାର୍ଡ଼ ମଧ୍ୟ ବଂଟା  ସରିଥିଲା ।

କିନ୍ତୁ ଦୀର୍ଘ ସମୟ ଅପେକ୍ଷା ପରେ ବି ଝିଅ ଘରକୁ ଆସନଥିଲେ ବର । ଏହାର ପ୍ରତିବାଦ କରି ବୋହୁବେଶରେ ଶଶୁର ଘରେ ପହଁଚି ଯାଇଥିଲେ କନ୍ୟା । ତେବେ ଶଶୁର ଘର ଲୋକ ଗେଟ୍ ନଖୋଲିବାରୁ ଘର ସମୁଖରେ ଧାରଣାରେ ବସିଛନ୍ତି ତପସ୍ୱିନୀ । ମହିଳା ଥାନା ପୋଲିସ ପହଂଚି ବୁଝାସୁଝା କରିଥିବା ବେଳେ ଘରୁ ବାହାରୁ ନାହାନ୍ତି ଶଶୁର ଘରଲୋକ ।