କନକ ବ୍ୟୁରୋ : ସ୍ୱାମୀଙ୍କ ସହ ଗଲେ, ବିଷଧର ସାପ ଧରିଲେ । ମୟୁରଭଞ୍ଜ ଜିଲ୍ଲା ପିଠାବଟା ରେଞ୍ଜର ଲୁଲୁଙ୍ଗ ଗେଟ୍ ନିକଟରେ ଏକ ଘରୋଇ ପାନ୍ଥ ନିବାସରେ ବିଷଧର ଅହିରାଜ ସାପ ପଶିଥିବା ଶୁଣିବା ପରେ ସେଠାରେ ପହଂଚିଥିଲେ କୃଷ୍ଣଚନ୍ଦ୍ର । ସାଙ୍ଗରେ ଯାଇଥିଲେ ତାଙ୍କ ପତ୍ନୀ ସସ୍ମିତା । ସ୍ୱାମୀ, ସ୍ତ୍ରୀ ବେଶ ସତର୍କତାର ସହିତ ପ୍ରାୟ ୪ ବର୍ଷ ବୟସ୍କ ଏକ ୮ ଫୁଟିଆ ଅହିରାଜ ସାପକୁ କାବୁ କରିଥିଲେ । ପରେ ଏହାକୁ ଆଣି ଶିମିଳିପାଳ ଅଭୟାରଣ୍ୟ ଭିତରେ ଛାଡି ଦେଇଥିଲେ । ତେବେ ସ୍ୱାମୀଙ୍କ ସହ ସସ୍ମିତା ନିଜେ ଯାଇ ବିଷଧର ସାପକୁ ଧରିବାର ଏହି ଦୃଶ୍ୟ ଏବେ ବେଶ ଚର୍ଚ୍ଚାର ବିଷୟ ହୋଇଛି ।
ସୂଚନାନୁସାରେ, ଗତକାଲି ରାତିରେ ଏହି ଘରୋଇ ପାନ୍ଥ ନିବାସରେ ରହୁଥିବା ଏକ ଆଦିବାସୀ ଦମ୍ପତି ଏହି ବିଷଧର ଅହିରାଜ ସାପର ହାବୁଡରେ ପଡିଯାଇଥିଲେ । ଘର ଭିତରେ ବିଷଧର ସାପଟି ପ୍ରାୟ ଘଂଟାଏ ଧରି କୋଠରୀ ଦୁଆର ସାମ୍ନାରେ ଫଣାଟେକି ଜଗିରହିଥିଲା । ହେଲେ ସାହସ ହାରିନଥିଲେ ଆଦିବାସୀ ଦମ୍ପତି ଓକିଲ ଓ କୁଇଲି ମୁଣ୍ଡା । ଘରେ ପଡିଥିବା ଏକ ଖଟ ଉପରେ ଚଢି ଯାଇଥିଲେ ସ୍ୱାମୀ, ସ୍ତ୍ରୀ ଓ ୨ ବର୍ଷର ଶିଶୁପୁତ୍ର ।
ସେଠାରେ ଠିଆହୋଇ କୋଠରୀ ଢରକାରେ ଲାଗିଥିବା ରେଲିଂକୁ ଗୋଇଠା ମାରି ଭାଙ୍ଗିବାକୁ ଚେଷ୍ଟା କରିଥିଲେ । ପ୍ରାୟ ଘଂଟାଏ ପର୍ଯ୍ୟନ୍ତ ପାଳିକରି ଗୋଇଠା ମାରି ଲୁହାର ରେଲିଂକୁ ଭାଙ୍ଗିବାରେ ସମର୍ଥ ହୋଇଥିଲେ । ଏବଂ ପରେ ସେହି ଝରକା ବାଟେ ସମସ୍ତେ ଜୀବନ ବଂଚାଇ ବାହାରକୁ ଚାଲିଆସିଥିଲେ । ବନ ବିଭାଗକୁ ଖବର ଦେବାରୁ ପିଠାବଟା ରେଞ୍ଜ ଅଫିସର ଅଭିଜ୍ଞ ସାପଧରାଳି କୃଷ୍ଣଚନ୍ଦ୍ର ଗୋଛାୟତଙ୍କୁ ଡକାଇଥିଲେ ।