ଏମିତି ବି ଆସେ ଦୁର୍ଭାଗ୍ୟ…! ପଟିଆ ଷ୍ଟେସନରେ ଲୋମଟାଙ୍କୁରା ଅଘଟଣ: ଶିଶୁକନ୍ୟା ପାଇଁ ଚଳନ୍ତା ଟ୍ରେନରୁ ଡେଇଁ ପଡିଲେ ମହିଳା; ଗୁରୁତର ଅବସ୍ଥାରେ ଏସସିବି ମେଡିକାଲରେ ଭର୍ତ୍ତି

6,101

କନକ ବ୍ୟୁରୋ: ବେଳେବେଳେ ଦୁର୍ଭାଗ୍ୟ ଏମିତି ଆସେ। ନିଜର ଅନ୍ୟମନସ୍କତା ଓ ସାମାନ୍ୟ ଭୁଲ୍ ପାଇଁ ବଡ଼ ମୂଲ୍ୟ ଦେବାକୁ ପଡ଼େ। ଶନିବାର ଭୁବନେଶ୍ବର ନିକଟସ୍ଥ ପଟିଆ ଷ୍ଟେସନରେ ଏମିତି ଏକ ଲୋମଟାଙ୍କୁରା ଅଘଟଣ ଘଟିଛି। ଟିକିଏ ଭୁଲ ପାଇଁ ଜଣେ ମହିଳାଙ୍କୁ ବଡ଼ ମୂଲ୍ୟ ଦେବାକୁ ପଡ଼ିଛି। ଟ୍ରେନରେ ଚଢ଼ିଲାବେଳେ ନିଜର ୪ ବର୍ଷର ଶିଶୁକନ୍ୟାକୁ ତଳେ ଛାଡ଼ି ଦେଇଥିବାରୁ ପରେ ଚଳନ୍ତା ଟ୍ରେନରୁ ଡେଇଁ ପଡ଼ି ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ଲାଗି କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆହତ ମହିଳା ଜଣକ ହେଲେ ପଟିଆ ନିକଟ ପଦ୍ମାବତୀ ଭିଲ୍ଲାର ଅନୂସୟା ମହାରଣା। ଶନିବାର ପୂର୍ବାହ୍ନ ପ୍ରା‌ୟ ୧୧ଟାବେଳେ ସେ କଟକ ଯିବା ଲାଗି ପୁରୀ-କଟକ ସଟଲ୍‌ ଟ୍ରେନକୁ ପଟିଆ ଷ୍ଟେସନରେ ଅପେକ୍ଷା କରିଥିଲେ। ଟ୍ରେନ୍ ଷ୍ଟେସନରେ ପହଞ୍ଚିବା ପରେ ଅନୂସୟା ପ୍ରଥମେ ତାଙ୍କ ଲଗେଜ୍ ବ୍ୟାଗଟିକୁ ଟ୍ରେନରେ ରଖି ନିଜେ ଚଢ଼ିଯାଇଥିଲେ। ମାତ୍ର ଶିଶୁକନ୍ୟାକୁ ଟ୍ରେନକୁ ଉଠାଇବାକୁ ଭୁଲି ଯାଇଥିଲେ।

ଏତିକିବେଳେ ଟ୍ରେନ୍ ଚାଲିବା ଦେଖି ତଳେ ଛିଡ଼ା ହୋଇଥିବା ଝିଅଟି କାନ୍ଦିବା ଆରମ୍ଭ କରିଥିଲା। ମହିଳା ଜଣକ କ’ଣ କରିବେ କିଛି ବୁଝିପାରି ନ ଥିଲେ। ସମ୍ଭବତଃ ତାଙ୍କ ମୁଣ୍ଡ କାମ କରି ନ ଥିଲା। ସେ ତତକ୍ଷଣାତ୍ ଚଳନ୍ତା ଟ୍ରେନରୁ ‌ବ୍ୟାଗ୍ ଧରି ତଳକୁ ଡେଇଁ ପଡ଼ିଥିଲେ। ଫଳରେ ପ୍ଲାଟଫର୍ମରେ କିଛିବାଟ ଘୋଷାଡ଼ି ଯାଇ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକ ପ୍ରଥମେ ଏକ ଅଟୋରେ ଆହତ ମହିଳାଙ୍କୁ ପଟିଆ ନିକଟସ୍ଥ ଏକ ଘରୋଇ ହସ୍ପିଟାଲକୁ ନେଇଯାଇଥିଲେ। ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ‌ବଡ଼ ମେଡିକାଲ୍ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।