କନକ ବ୍ୟୁରୋ : ଦିଲ୍ଲୀରୁ ଚୋରୀ, ଭୁବନେଶ୍ୱରରୁ ଗିରଫ । କୋଟିଏ ଟଙ୍କାର ସୁନା ଗହଣା ସହ ଜଣେ ମହିଳା ଲୁଟେରାଙ୍କୁ ଗିରଫ କରିଛି ପୋଲିସ । ମହିଳାଙ୍କ ଘର ଭୁବନେଶ୍ୱର ସାଲିଆସାହିରେ ବୋଲି ଜଣାପଡ଼ିଛି । ସମସ୍ତଙ୍କ ଘରେ କାମବାଲୀ ଭାବେ କାମ କରିବା ବାହାନାରେ ସୁନା ଓ ହୀରା ଗହଣା ଲୁଟି ଫେରାର ହୋଇଥିଲା ଏହି ମହିଳା । କ୍ୟାପିଟାଲ ଥାନା ପୋଲିସ ତାକୁ ଗିରଫ କରି ଦିଲ୍ଲୀ ପୋଲିସକୁ ହସ୍ତାନ୍ତର କରିଛି । ଦିଲ୍ଲୀ ମେହେରୋଲିି ପୁଲିସ ଟ୍ରାଂଜିଟ ରିମାଣ୍ଡରେ ନେଇଛି ।
ମିଳିଥିବା ସୂଚନା ମୁତାବକ ସୁଜାତା କିଛି ମାସ ତଳେ ଦିଲ୍ଲୀ ଯାଇଥିଲା ଏବଂ ଦ୍ବାରିକା ଅଞ୍ଚଳର ଜଣେ ସମ୍ଭ୍ରାନ୍ତ ବ୍ୟକ୍ତି ଶ୍ୟାମଲାଲଙ୍କ ଘରେ ସହାୟିକା ଭାବେ କାମ କରୁଥିଲା । ଦିଲ୍ଲୀର ଅନ୍ୟ ସହାୟିକାଙ୍କ ତୁଳନାରେ ଖୁବ୍ କମ୍ ଟଙ୍କାରେ କାମ କରିବାକୁ ରାଜି ହେବା ସହିତ ଭଲ କାମ କରି ଖୁବ୍ କମ୍ ଦିନରେ ପରିବାର ଲୋକଙ୍କ ବିଶ୍ବାସ ଜିଣି ନେଇଥିଲା । ଫଳରେ ଶ୍ୟାମଲାଲଙ୍କ ପରିବାର ଭିତରେ ସୁଜାତାର ଗୁରୁତ୍ବ ବଢ଼ିଯାଇଥିଲା । କିଛିଦିନ ତଳେ ଶ୍ୟାମଲାଲଙ୍କ ପରିବାର ଲୋକେ ଏକ ବିବାହ ଭୋଜିରେ ଯୋଗଦେବା ପାଇଁ ସପରିବାର ବାହାରକୁ ଯାଇଥିବା ବେଳେ ସୁଜାତା ଘର ଜଗିଥିଲା ।
ତେବେ ପୂର୍ବ ଯୋଜନା ମୁତାବକ ସୁଜାତା ଦିଲ୍ଲୀର ଜଣେ ପୁରୁଷ ବନ୍ଧୁଙ୍କ ସହିତ ମିଶି ଘରର ଆଲ୍ମିରା ଭାଙ୍ଗି ସମସ୍ତ ହୀରା ଓ ସୁନାଗହଣା ଲୁଟି ନେଇ ଫେରାର୍ ହୋଇଯାଇଥିଲା । ଏ ନେଇ ଅଭିଯୋଗ ହେବା ପରେ ଦିଲ୍ଲୀ ପୁଲିସର ଏକ ଟିମ୍ ସୁଜାତାକୁ ଧରିବା ପାଇଁ ଭୁବନେଶ୍ବର ଆସି ଡେରା ପକାଇଥିଲା । ଶେଷରେ ସେ ଏକ ହୋଟେଲରେ ଲୁଚିଥିବା ଖବର ପାଇ ଗତକାଲି ବିଳମ୍ବିତ ରାତିରେ ପୁଲିସ ସୁଜାତାକୁ କାବୁ କରିନେବା ସହ ଚୋରି ହୋଇଥିବା ଅଳଙ୍କାର ଜବତ କରିଥିଲା ।