ଥଣ୍ଡାରେ ଥରିବ ଓଡିଶା : ଆସନ୍ତା ୪ ଦିନରେ ୪ ଡିଗ୍ରି ଖସିବ ପାରଦ; ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା

321

କନକ ବ୍ୟୁରୋ : ସାରା ଓଡ଼ିଶାକୁ କବଳିତ କରିବ ଶୀତ ।‌ ଗତ ୨ ଦିନ ହେଲା ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରୀ ପାଖାପାଖି ଖସିଛି । ଏବେ ପୁଣି ତାପମାତ୍ରା ଖସିବ । ଗୋଟିଏ ଦିନରେ ୧ ଡିଗ୍ରୀ ଲେଖାଏଁ କରି ଆ‌ସନ୍ତା ୪ ଦିନରେ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ହେବ । ଫଳରେ ରାଜ୍ୟରେ ଆସନ୍ତା ୩ରୁ ୪ ଦିନ ଭିତରେ ଶୀତ ଆରମ୍ଭ ହୋଇଯିବ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ପ୍ରଥମେ ଉତ୍ତର-ପଶ୍ଚିମ ଓଡ଼ିଶାରେ ପାରଦସ୍ତର ଖସିବ ଓ ଥଣ୍ଡା ପଡ଼ିବ । ଧୀରେଧୀରେ ଏହା ଉପକୂଳରୁ ଦକ୍ଷିଣ ଓଡ଼ିଶା ଯାଏ ବ୍ୟାପିବ ।

କେନ୍ଦ୍ରର ବୈଜ୍ଞାନିକ ଏଚ୍‌ ଆର୍‌ ବିଶ୍ୱାସ କହିଛନ୍ତି ଯେ ଗତ ୨୪ ଘଣ୍ଟାରେ କୋରାପୁଟ ଜିଲ୍ଲାର କିଛି କିଛି ଅଞ୍ଚଳରେ ହାଲ୍‌କା ବ‌ର୍ଷା ହୋଇଯାଇଛି । ବାକି ସମସ୍ତ ଜିଲ୍ଲାରେ ଶୁଖିଲା ପାଗ ରହିଥିଲା । ରାଜ୍ୟର ସର୍ବନିମ୍ନ ତାପମାତ୍ରା ସୋନପୁରଠାରେ ୧୫.୮ ଡିଗ୍ରୀ ରେକର୍ଡ ହୋଇଛି । ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ସ୍ୱାଭାବିକ ତାପମାତ୍ରାଠାରୁ ଅଧିକ ତାପମାତ୍ରା ରହିଛି । ଉତ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକ ରହିଛି । ଆସନ୍ତା ୨ ଦିନ ପର୍ଯ୍ୟନ୍ତ କୋରାପୁଟ ଓ ମାଲକାନଗିରି ଭଳି ଜିଲ୍ଲାଗୁଡ଼ିକରେ କେତେକ ଜିଲ୍ଲାରେ ବର୍ଷା ହୋଇପାରେ। ଅବଶିଷ୍ଟ ଜିଲ୍ଲାଗୁଡ଼ିକରେ ପାଗ ଶୁଖିଲା ରହିବାର ସମ୍ଭାବନା ରହିଛି ।
ଆସନ୍ତା ୩ରୁ ୪ ଦିନ ମଧ୍ୟରେ ରାତିର ତାପମାତ୍ରା ବା ସର୍ବୋଚ୍ଚ ତାପମାତ୍ରା ଖସିବ । ପ୍ରାରମ୍ଭିକ ଭାବେ ଉତ୍ତର-ପଶ୍ଚିମ ଓଡ଼ିଶା ଓ ପରେ ଦକ୍ଷିଣ ଓଡ଼ିଶାରେ ତାପମାତ୍ରା ଖସିବା ଆରମ୍ଭ ହେବ । ଭୁବ‌ନେଶ୍ୱରରେ ଆଜି ସର୍ବନିମ୍ନ ତାପମାତ୍ରା ୨୩.୧ ଡିଗ୍ରୀ ଓ କଟକରେ ୨୧.୫ ଡିଗ୍ରୀ ରେକର୍ଡ ହୋଇଛି। ଆସନ୍ତା ୨୪ ଘଣ୍ଟାରେ ଦ୍ୱୈତନଗରୀର ସର୍ବନିମ୍ନ ତାପମାତ୍ରା ୨୧ ଡିଗ୍ରୀ ପାଖାପାଖି ରହିବ ବୋଲି ଶ୍ରୀ ବିଶ୍ୱାସ କହିଛନ୍ତି ।