କରୋନା ଯୋଦ୍ଧାଙ୍କ ପାଇଁ ଆଜି ଗାନ କରାଯିବ ବନ୍ଦେ ଉତ୍କଳ ଜନନୀ । ସଂଧ୍ୟା ସାଢ଼େ ୫ଟାରେ ବନ୍ଦେ ଉତ୍କଳ ଜନନୀ ଗାନ କରିବେ ଦେଶବିଦେଶରେ ଥିବା ସବୁ ଓଡ଼ିଆ ।

420

କନକ ବ୍ୟୁରୋ : କରୋନା ଯୋଦ୍ଧାଙ୍କ ପାଇଁ ଆଜି ଗାନ କରାଯିବ ବନ୍ଦେ ଉତ୍କଳ ଜନନୀ । ସଂଧ୍ୟା ସାଢ଼େ ୫ଟାରେ ବନ୍ଦେ ଉତ୍କଳ ଜନନୀ ଗାନ କରିବେ ଦେଶବିଦେଶରେ ଥିବା ସବୁ ଓଡ଼ିଆ । କରୋନା ଯୋଦ୍ଧାଙ୍କ ତ୍ୟାଗକୁ ସମ୍ମାନ ଜଣାଇ ଏହି ସଂଗୀତ ଗାନ କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ୍ ଭଳି ବିଶ୍ୱ ମହାମାରୀକୁ ରୋକିବା ପାଇଁ ନିଜର ସୁଖ ସ୍ୱାଚ୍ଛନ୍ଦ୍ୟ ତ୍ୟାଗ କରି ଦିନରାତି ଏକ କରି ଦେଇଥିବା କରୋନା ଯୋଦ୍ଧାଙ୍କ ମହତ କାର୍ଯ୍ୟକୁ ଉତ୍ସାହିତ କରିବା ପାଇଁ ଅନୁରୋଧ କରିଛନ୍ତି ନବୀନ ।

ଓଡ଼ିଆ ଭାଇଭଉଣୀମାନେ ଦୁନିଆର ଯେଉଁଠାରେ ବି ଥାଆନ୍ତୁ, ଆଜି ସଂଧ୍ୟା ସାଢ଼େ ୫ଟାରେ ଠିଆ ହୋଇ ବନ୍ଦେ ଉତ୍କଳ ଜନନୀ ଗାନ କରିବା ପାଇଁ ଅନୁରୋଧ କରାଯାଇଛି । ଏହି ସମୟରେ ସବୁ ଟ୍ରାଫିକ୍ ବନ୍ଦ ରଖିବା ପାଇଁ ମଧ୍ୟ ଅନୁରୋଧ କରାଯାଇଛି । ସରକାରୀ-ବେସରକାରୀ କାର୍ଯ୍ୟାଳୟ, ରାସ୍ତାଘାଟ, ବିଲବାଡି, ଘର-ବଜାର ଯେଉଁଠାରେ ଥାଆନ୍ତୁ ନା କାହିଁକି ସମସ୍ତେ ନିଜ ସ୍ଥାନରେ ଛିଡ଼ା ହୋଇ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନୁରୋଧ କରାଯାଇଛି । ଏହି ସଂଗୀତ ଗାନ କରିବା ପାଇଁ ଲୋକସେବା ଭବନରେ ବିଶେଷ ବ୍ୟବସ୍ଥା କରାଯାଉଛି । ସେହିପରି ପୋଲିସ ସେବା ଭବନ ପକ୍ଷରୁ ସ୍ୱତନ୍ତ୍ର ଆୟୋଜନ କରାଯାଉଛି । ବନ୍ଦେ ଉତ୍କଳ ଜନନୀ ଗାନ କରିବା ପାଇଁ କମିସନରେଟ୍ ପୋଲିସ ଅଧୀନରେ ଥିବା ସମସ୍ତ ଥାନାରେ ମଧ୍ୟ ବ୍ୟବସ୍ଥା ହୋଇଛି ।