୨୦୨୪ରେ ବିରୋଧୀ ଶୂନ୍ୟ ହେବ ଓଡ଼ିଶା । ୧୪୭ ବିଧାୟକ ଓ ୨୧ ସାଂସଦ ପଦ ହାତେଇବ ବିଜେଡି । ପଢନ୍ତୁ, କାହିଁକି ଏମିତି କହିଲେ ପ୍ରମିଳା ମଲ୍ଲିକ…

912

କନକ ବ୍ୟୁରୋ: ୨୦୨୪ରେ ବିରୋଧୀ ଶୂନ୍ୟ ହେବ ଓଡ଼ିଶା । ବିଜୁ ଜନତା ଦଳ ରାଜ୍ୟର ୧୪୭ ବିଧାୟକ ଓ ୨୧ ସାଂସଦ ପଦ ହାତେଇବ। ବିଜେଡି ସଙ୍ଗଠନ ତୃଣମୂଳ ସ୍ତରରେ ଅଧିକ ସୁଦୃଢ ହୋଇଛି, ଲୋକଙ୍କ ସମସ୍ୟା ସହ ଦଳ ଆହୁରି ଅଧିକ ଯୋଡ଼ି ହୋଇଛି । ତେଣୁ ବିରୋଧୀଙ୍କ କିଛି ବି ହାୱା କାମ ଦେବନି । ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ସର୍ଭେକୁ ନେଇ ଏମିତି କିଛି ପ୍ରତିକ୍ରିୟା ରଖିଛନ୍ତି ରାଜସ୍ଵ ମନ୍ତ୍ରୀ ତଥା ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ।

ସେ କହିଛନ୍ତି , ବିଜେପି ସ୍ୱପ୍ନ ଦେଖୁଛି ହେଲେ ସେ ସ୍ୱପ୍ନ ପୂରଣ ହେବନି । ପଞ୍ଚାୟତ ଓ ପୌର ନିର୍ବାଚନରେ ସଫା ହୋଇଗଲେ । ଆଗକୁ ସାଧାରଣ ନିର୍ବାଚନର ବି ସଫା ହୋଇଯିବେ । ଓଡ଼ିଆ ଝିଅକୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯିବା କାରଣରୁ ଦ୍ରୌପଦୀଙ୍କୁ ବିଜେଡି ସମର୍ଥନ ଦେଲା। ଏହାକୁ ନେଇ ବିଜେପି ଶକ୍ତି ବୃଦ୍ଧି ପାଇବ ବୋଲି ଭାବିବା ଭୁଲ୍ ବୋଲି ପ୍ରମିଳା ଉତ୍ତର ରଖିଛନ୍ତି । ତା ସହିତ ରାଜ୍ୟରେ କଂଗ୍ରେସ ବିଜେପି ଏକ ହୋଇଯାଇଛନ୍ତି । ବିଜେଡି ଯେତିକି ଭୋଟ୍ ପାଇଥିଲା ତାହା ବଢ଼ିଛି କିନ୍ତୁ କଂଗ୍ରେସ ଭୋଟ୍ ବିଜେପିକୁ ଯାଇଛି । କଂଗ୍ରେସ ସେମାନେ ଲଢ଼ିବା ଅବସ୍ଥାରେ ନାହାନ୍ତି ବୋଲି ସେ କହିଛନ୍ତି ।

ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ମାନେ ଘନ ଘନ ଓଡ଼ିଶାଗସ୍ତ କରୁଛନ୍ତି, ଏହାର ପ୍ରଭାବ ରାଜ୍ୟ ରାଜନୀତି ଉପରେ ପଡ଼ିବ କି ବୋଲି ପ୍ରଶ୍ନରେ ଉତ୍ତର ଦେଇ ପ୍ରମିଳା କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଡେରା ପକାଇଲେ କିଛି ଅସୁବିଧା ନାହିଁ । ଏହାର କିଛି ପ୍ରଭାବ ପଡ଼ିବନି। ସେମାନେ ଆସି ଲୋକଙ୍କ ସମସ୍ୟା ସମାଧାନ କରୁନାହାନ୍ତି ବରଂ ଅଧିକ ସମସ୍ୟା ସୃଷ୍ଟି କରୁଛନ୍ତି ।

ସୂଚନାଯୋଗ୍ୟ ଯେ, ଦ୍ରୌପଦୀଙ୍କୁ ରାଷ୍ଟ୍ରପତି କରିବା ପରେ ଓଡିଶାରେ ବିଜେପିକୁ ବଡ ସଫଳତା ମିଳିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଆସନ୍ତା ସାଧାରଣ ନିର୍ବାଚନରେ ବିଜେପିକୁ ଅଧିକ ସିଟ୍ ମିଳିବ ବୋଲି କିଛି ଗଣମାଧ୍ୟମ ସଂସ୍ଥା ଅନୁମାନ କରୁଛନ୍ତି । ହେଲେ ଏହାର ଉତ୍ତର ରଖି ଆଜି ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ୨୦୨୪ରେ ବିରୋଧୀ ଶୂନ୍ୟ ହୋଇଯିବ ଓଡିଶା ।