ନୂଆବର୍ଷରେ ଓଡ଼ିଶାକୁ ମିଳିବ ନୂଆ ପୋଲିସ ଡିଜି । ରାଜ୍ୟ ସରକାର ସୁପାରିସ କରିଛନ୍ତି ୭ ଆଇପିଏସଙ୍କ ନାମ । ଚର୍ଚ୍ଚାରେ ବି ରାଧିକା, ୱାଇ ବି ଖୁରାନିଆଙ୍କ ସମେତ ସୁଧାଂଶୁ ଷଡଙ୍ଗୀ

2,979

କନକ ବ୍ୟୁରୋ: ରାଜ୍ୟର ପରବର୍ତ୍ତୀ ପୋଲିସ ଡିଜି କିଏ ହେବେ? ଏବେର ଡିଜିପି ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ ଡିସେମ୍ବର ୩୧ରେ ଶେଷ ହେଉଛି । ଏହା ଉପରେ ସମସ୍ତଙ୍କ ନଜର ଥିବାବେଳେ ନୂଆ ଡିଜିପି ପାଇଁ ରାଜ୍ୟ ସରକାର ୭ ବରିଷ୍ଠ ଆଇପିଏସଙ୍କ ନାମ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛନ୍ତି । ତେବେ ନୂଆ ଡିଜିପି ରେସରେ ମହିଳା ଆଇପିଏସ ବି. ରାଧିକାଙ୍କ ନାମ ଏବେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି । ସେହିପରି ଅନ୍ୟ ଆଇପିଏସ ଅଧିକାରୀଙ୍କ ନାମକୁ ନେଇ ମଧ୍ୟ ପାୱାର କରିଡରରେ ଚର୍ଚ୍ଚା ହେଉଛି ।

  • ନୂଆ ବର୍ଷରେ ଓଡିଶା ପାଇବ ନୂଆ ଡିଜିପି
  • ଦୌଡ଼ରେ ମହିଳା ଆଇପିଏସ୍ ବି. ରାଧିକା

ଡିସେମ୍ବର ୩୧ ତାରିଖରେ ଶେଷ ହେଉଛି ପୁଲିସ ଡିଜି ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ । ତେଣୁ କେଉଁ ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ସରକାର ରାଜ୍ୟର ଆଇନ ଶୃଙ୍ଖଳା ଦାୟିତ୍ୱ ଦେବେ ସେ ନେଇ ପାୱାର କରିଡରରେ ଜୋରଦାର ଚର୍ଚ୍ଚା ହେଉଛି । ତେବେ ଏହାରି ଭିତରେ ଡିଜିପି ପଦ ପାଇଁ ୭ ଜଣ ଆଇପିଏସ ଅଧିକାରୀଙ୍କ ନାଁ କେନ୍ଦ୍ରକୁ ରାଜ୍ୟ ସରକାର ସୁପାରିସ କରିଥିବା ଚର୍ଚ୍ଚା ହେଉଛି ।

  • ବି. ରାଧିକା: ୧୯୮୯ ବ୍ୟାଚର ଆଇପିଏସ ଅଫିସର

କେନ୍ଦ୍ରୀୟ ଡେପୁଟେସନରେ ରହିଥିବା ବେଳେ ବିଏସଏଫର ଅତିରିକ୍ତ ଡିଜି ଭାବେ ଦାୟିତ୍ୱ ତୁଲାଇଛନ୍ତି ବି. ରାଧିକା । ନଭେମ୍ବର ୮ ତାରିଖରେ ରାଜ୍ୟ କ୍ୟାଡରଙ୍କୁ ଫେରିଛନ୍ତି । ଜୁଲାଇ ୨୦୨୪ ଯାଏଁ ତାଙ୍କର କାର୍ଯ୍ୟକାଳ ରହିଛି । ବରିଷ୍ଠତା ଦୃଷ୍ଟିରୁ ବି. ରାଧିକା ନୂଆ ଡିଜିପି ହେବା ସମ୍ଭାବନା ଅଧିକ ରହିଛି । ଓଡ଼ିଶା ପୁଲିସ ଇତିହାସରେ ୩୫ ଜଣ ଡିଜି ହୋଇଥିବା ବେଳେ କୌଣସି ମହିଳା ଅଧିକାରୀ ଏହି ସର୍ବୋଚ୍ଚ ପଦ ପାଇନାହାନ୍ତି । ଯଦି ଡିଜି ଭାବେ ତାଙ୍କୁ ନିଯୁକ୍ତି ମିଳେ ସେ ହେବେ ରାଜ୍ୟର ପ୍ରଥମ ମହିଳା ଡିଜିପି ।

  • ଏ. ଏମ୍. ପ୍ରସାଦ: ୧୯୮୯ ବ୍ୟାଚର ଏହି ଆଇପିଏସ ଅଫିସର

ବର୍ତମାନ ସେ ଜେଲ ଡିଜି ଦାୟିତ୍ୱରେ ଅଛନ୍ତି । ଅଗଷ୍ଟ ୨୦୨୫ ଯାଏଁ ତାଙ୍କର କାର୍ଯ୍ୟକାଳ ରହିଛି ।

  • ୱାଇ. ବି. ଖୁରାନିଆ : ୧୯୯୦ ବ୍ୟାଚର ଆଇପିଏସ ଅଫିସର

ଏବେ ଦିଲ୍ଲୀରେ ବିଏସଏଫ୍ ୱେଷ୍ଟର୍ଣ୍ଣ କମାଣ୍ଡର ସ୍ୱତନ୍ତ୍ର ଡିଜି ଅଛନ୍ତି । ପୂର୍ବରୁ ସେ ଟ୍ୱିନ ସିଟିର ପୁଲିସ କମିଶନର ଦାୟିତ୍ୱରେ ଥିଲେ

  • ଏସ୍. ଏମ୍. ନରବାଣେ: ୧୯୮୯ ବ୍ୟାଚର ଆଇପିଏସ ଅଫିସର

ଏବେ ସେ ଗୃହ ବିଭାଗର ଓଏସଡି ଭାବେ କାର୍ଯ୍ୟ କରୁଛନ୍ତି

  • ଅରୁଣ ରାୟ: ୧୯୮୮ ବ୍ୟାଚର ଆଇପିଏସ ଅଫିସର

ପ୍ରିଣ୍ଟିଂ, ଷ୍ଟେସନାରୀ ଓ ପବ୍ଲିକେସନ୍ ନିର୍ଦ୍ଦେଶକ ରହିଛନ୍ତି । ଡିଜି ସୁନୀଲ ବଂଶଲଙ୍କ ପରେ ସେ ସବୁଠୁ ବରିଷ୍ଠ ଅଧିକାରୀ ।

  • ଅରୁଣ ଷଡ଼ଙ୍ଗୀ: ୧୯୯୦ ବ୍ୟାଚର ଆଇପିଏସ ଅଫିସର

ଏବେ ସେ ପୁଲିସ ଟ୍ରେନିଂର ଡିଜି ଦାୟିତ୍ୱରେ ରହିଛନ୍ତି

  • ସୁଧାଂଶୁ ଷଡ଼ଙ୍ଗୀ: ୧୯୯୦ ବ୍ୟାଚର ଆଇପିଏସ ଅଫିସର

ଅଗ୍ନିଶମ ଡିଜି ଭାବେ କାର୍ଯ୍ୟ କରୁଛନ୍ତି ସୁଧାଂଶୁ ଷଡ଼ଙ୍ଗୀ

ତେବେ ପୁଲିସ ଡିଜି ନିଯୁକ୍ତି ନେଇ ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ରହିଛି । ଏହି ଅନୁସାରେ, ରାଜ୍ୟ ସରକାର ବରିଷ୍ଠ ଆଇପିଏସଙ୍କ ତାଲିକା ୟୁପିଏସସିକୁ ପଠାନ୍ତି । ଯୋଗ୍ୟତାକୁ ଯାଞ୍ଚ କରି ୩ ଜଣଙ୍କ ନାଁ ରାଜ୍ୟ ସରକାରଙ୍କୁ ଦେବେ ୟୁପିଏସସି । ସେମାନଙ୍କ ମଧ୍ୟରୁ ଡିଜିପି ଚୟନ କରିବେ ରାଜ୍ୟ ସରକାର । ତେବେ ଆଗକୁ ସାଧାରଣ ନିର୍ବାଚନ । ତେଣୁ ନୂଆ ଡିଜିପି ଚୟନ ରାଜ୍ୟ ସରକାରଙ୍କ ପାଇଁ ଯେତିକି ଚ୍ୟାଲେଞ୍ଜ୍, ନୂଆ ପୁଲିସ ଡିଜିଙ୍କ ପାଇଁ ସୁଚାରୁ ରୂପେ ନିର୍ବାଚନ ପରିଚାଳନା ସେତିକି ଆହ୍ୱାନ ଭରା ।