କନକ ବ୍ୟୁରୋ: ପେଟ୍ରୋଲିୟମ ମନ୍ତ୍ରଣାଳୟର ସଚିବ, ଇଣ୍ଡିଆନ ଅଏଲର ଅଧ୍ୟକ୍ଷ ଓ ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କ ମଧ୍ୟରେ ଆଲୋଚନା । ଭାରତ ସରକାରଙ୍କ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ସଚିବ ତରୁଣ କାପୁର ସୋମବାର ଭୁବନେଶ୍ୱର ଗସ୍ତରେ ଆସି ଓଡିଶାରେ ତୈଳ ବିପଣନ କମ୍ପାନୀ ଏବଂ ଗ୍ୟାସ ରାଷ୍ଟ୍ରାୟତ ଉଦ୍ୟୋଗ ଯଥା ଆଇଓସିଏଲ୍, ଏଚ୍ପିସିଏଲ୍, ବିପିସିଏଲ୍, ଗେଲ, ଓଏନଜିସି, ନୟାରା, ଓଆଇଏଲ, ଆରଏମବିଏଲ୍ର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଗୁଡ଼ିକର ସମୀକ୍ଷା କରିଛନ୍ତି । ଏହି କ୍ରମରେ ସେ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ଭେଟି ତୈଳ ଏବଂ ଗ୍ୟାସ ସମ୍ପର୍କିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ଏବଂ ଏଥିରେ ସେ ରାଜ୍ୟ ସରକାରଙ୍କ ସହାୟତା ଲୋଡ଼ିଥିଲେ ।
ତେବେ ରାଜ୍ୟରେ ପେଟ୍ରୋଲିୟମ ଓ ଗ୍ୟାସ ପ୍ରକଳ୍ପ ନେଇ ହୋଇଥିବା ଆଲୋଚନା ସକରାତ୍ମକ ହୋଇଥିବା ଏବଂ ଏହି ସବୁ ପ୍ରକଳ୍ପ ନେଇ ରାଜ୍ୟ ସରକାର ସହଯୋଗ କରିବେ ବୋଲି ମୁଖ୍ୟ ଶାସନ ସଚିବ ପ୍ରକାଶ କରିଥିବା କହିଛନ୍ତି । ଇଣ୍ଡିଆନ ଅଏଲର ଅଧ୍ୟକ୍ଷ ଏସ୍.ଏମ୍ ବୈଦ୍ୟ, ଇଣ୍ଡିଆନ ଅଏଲର ହ୍ୟୁମାନ ରିସୋର୍ସର ନିର୍ଦ୍ଦେଶକ ରଞ୍ଜନ କୁମାର ମହାପାତ୍ର, ତୈଳ ଉଦ୍ୟୋଗଗୁଡ଼ିକର ରାଜ୍ୟସ୍ତରୀୟ ସଂଚାଳକ ତଥା ଇଣ୍ଡିଆନ ଅଏଲର ରାଜ୍ୟମୁଖ୍ୟ ଶୁଭଜିତ ଘୋଷ ଏବଂ ତୈଳ ନିଗମର ଅନ୍ୟାନ୍ୟ ବରିଷ୍ଠ କର୍ମକର୍ତା ପ୍ରମୁଖ ଉପସ୍ଥିତ ଥିଲେ ।
ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ ମିଶନ’ ପରିକଳ୍ପନାରେ ରାଜ୍ୟର ସର୍ବକାଳୀନ ବିକାଶ ତଥା ଓଡ଼ିଶାର ଶକ୍ତି ଆବଶ୍ୟକତା ପୂରଣ କରିବା ନିମନ୍ତେ ପେଟ୍ରୋଲିୟମ ଏବଂ ଗ୍ୟାସ ଭିତିଭୂମିକୁ ମଜବୁତ୍ କରିବା ଦିଗରେ ପ୍ରତିଶୃତିବଦ୍ଧ । ବୈଠକରେ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଓଡ଼ିଶାରେ ତୈଳ ଓ ଗ୍ୟାସ ପ୍ରକଳ୍ପର କାମ ଦ୍ରୁତ ଗତିରେ ତ୍ୱରାନ୍ୱିତ ହୋଇଥିବାରୁ ଧନ୍ୟବାଦ ଦିଆଯାଇଥିଲା ।
ଓଡିଶାରେ ତୈଳ ଏବଂ ଗ୍ୟାସ ରାଷ୍ଟ୍ରାୟତ ଉଦ୍ୟୋଗ ପକ୍ଷରୁ ମୋଟ ୬୯ଟି ପ୍ରକଳ୍ପ ପାଇଁ ଓଡିଶାରେ ୨ ଲକ୍ଷ ୧୩ ହଜାର ୨୦୯ କୋଟି ଟଙ୍କାର ପୁଞ୍ଜିନିବେଶର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ତନ୍ମଧ୍ୟରୁ ୨୦୧୪ ଠାରୁ ଅର୍ଥାତ୍ ବିଗତ ୬ ବର୍ଷ ମଧ୍ୟରେ ମୋଟ ୪୩ ହଜାର ୩୨୨ କୋଟି ଟଙ୍କା ମୂଲ୍ୟର ୨୫ଟି ତୈଳ ଓ ଗ୍ୟାସ ପ୍ରକଳ୍ପର କାମ ଶେଷ ହୋଇଥିବା ବେଳେ ବର୍ତମାନ ମୋଟ ୭୭ ହଜାର ୩୩୧ କୋଟି ଟଙ୍କା ମୂଲ୍ୟର ୩୪ଟି ପ୍ରକଳ୍ପ ଗୁଡ଼ିକ କାମ ଜାରି ରହିଛି । ସେହିପରି ୧୦ଟି ପ୍ରସ୍ତାବିତ ପ୍ରକଳ୍ପ ପାଇଁ ୯୨ ହଜାର ୫୫୬ କୋଟି ଟଙ୍କାର ପୁଞ୍ଜିନିବେଶ ହେବା ନେଇ ଆକଳନ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/refinery-640x425.jpg)