କନ୍ଧମାଳ ଯିବା ପୂର୍ବରୁ ଭୁବନେଶ୍ୱର ରୋଡ ସୋ’ର ଭିଡ଼ିଓ ପୋଷ୍ଟ କଲେ ମୋଦୀ । କହିଲେ, ଏଥର ନିର୍ବାଚନରେ ଇତିହାସ ରଚିବ ଓଡ଼ିଶା ।

263

କନକ ବ୍ୟୁରୋ : କନ୍ଧମାଳ ଜନସଭାରେ ଯୋଗ ଦେବାକୁ ଭୁବନେଶ୍ୱରରୁ ବାହାରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ତେବେ କନ୍ଧମାଳରେ ପହଞ୍ଚିବା ପୂର୍ବରୁ ସୋସିଆଲ ମିଡ଼ିଆରେ ଏକ ଭିଡିଓ ସେୟାର କରି ମୋଦୀ କହିଛନ୍ତି, ଚଳିତ ନିର୍ବାଚନରେ ଓଡିଶା ରଚିବ ଇତିହାସ । ଗତକାଲିର ଭୁବନେଶ୍ୱର ରୋଡ ସୋ’ର ଭିଡିଓ ଜାରି କରି ମୋଦୀ ଏହା କହିଛନ୍ତି । ମୋଦୀ ସେୟାର କରିଥିବା ଭିଡ଼ିଓରେ ଲୋକମାନଙ୍କ ମଧ୍ୟରେ ଉତ୍ସାହ ଓ ଜୋଶ ଦେଖିବାକୁ ମିଳିଛି । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରହ୍ମପୁର ଜନସଭାରେ ଓଡ଼ିଶାରେ ବିଜେଡି ସରକାରର ଏକ୍ସପାଏରୀ ତାରିଖ ଆସିଲାଣି ବୋଲି କହି ଟାର୍ଗେଟ କରିଥିଲେ । ଏପରିକି ଆସନ୍ତା ୧୦ ତାରିଖରେ ଓଡ଼ିଶାରେ ବିଜେପି ସରକାର ଗଢିବା ସହ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି କହିଥିଲେ ମୋଦୀ । ଅନ୍ୟପଟେ ଗତକାଲି ରୋଡ ସୋ’ରେ ପ୍ରଧାନମନ୍ତ୍ରୀଙ୍କୁ ଦେଖିବାକୁ ହଜାର ହଜାର ଲୋକଙ୍କ ଭିଡ ଜମିଥିଲା । ରାସ୍ତାର ଉଭୟପାଶ୍ୱର୍ରେ ଦେଖିବାକୁ ମିଳିଥିଲା ଜନସମୁଦ୍ର ।

ପ୍ରଧାନମନ୍ତ୍ରୀ ରୋଡ ସୋ’ ଶେଷ କରିବା ପରେ ଆଜି କନ୍ଧମାଳ ଗସ୍ତରେ ଯାଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ସକାଳ ୧୦ଟା ୨୦ରେ ଗୁଦାରୀ ଏୟାରଷ୍ଟ୍ରିପରେ ପହଂଚିବା ପରେ କନ୍ଧମାଳ ଷ୍ଟାଡିୟମକୁ ଯିବେ । ଯେଉଁଠାରେ ଜନସଭାରେ ଯୋଗଦେବା ପରେ ବଲାଙ୍ଗିର ବାହାରିଯିବେ । ମଧ୍ୟାହ୍ନ ୧୨ଟା ୫ରେ ବଲାଙ୍ଗିରର ପଥରଚେପାସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇବା ପରେ ୧୨ଟା ୧୫ରୁ ୧୨ଟା ୫୫ ପର୍ଯ୍ୟନ୍ତ ଜନସଭାକୁ ଉଦବୋଧନ ଦେବେ । ଏହା ପରେ ବରଗଡ଼ ଜିଲ୍ଲା ଗସ୍ତ କରିବେ ମୋଦୀ । ୧ଟା ୪୫ରେ ବରଗଡ଼ର ବରାହାଗୁଡ଼ା ଟୋଲଗେଟ୍ ନିକଟରେ ଥିବା ବିକାଶ ଭିନଟେଜ୍ ପଡ଼ିଆରେ ବିଶାଳ ଜନସଭାରେ ଉଦବୋଧନ ଦେବା ସହିତ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ । ଏହି ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବ୍ୟତୀତ ବହୁ ରାଜ୍ୟସ୍ତରୀୟ ନେତା ଉପସ୍ଥିତ ରହିବେ । ୩ଟି ଜିଲ୍ଲାରେ ମୋଦୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ବଲାଙ୍ଗିରରେ ୨ଶହ ପୁଲିସ ଅଧିକାରୀ, ୩୦୦ ହୋମଗାର୍ଡ ଏବଂ ୨୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ ।