ଟିକା ଯୋଗାଇବାରେ ବିଫଳ ହେଲେ କେନ୍ଦ୍ର ସରକାର । ବିଦେଶରୁ ଟିକା କିଣିବ ଓଡିଶା । ଗ୍ଲୋବାଲ ଟେଣ୍ଡର ପାଇଁ ହେଲା ସଂକଳ୍ପ

336

କନକ ବ୍ୟୁରୋ: ଟିକା ନେବା ପାଇଁ ଲୋକଙ୍କ ମଧ୍ୟରେ କେତେ ଆଗ୍ରହ ବଢ଼ିବାରେ ଲାଗିଛି । ହେଲେ ଲୋକଙ୍କୁ ଦେବାକୁ ଟିକା ନାହିଁ । ଚାହିଦାକୁ ଦେଖି ଟିକା ଯୋଗାଇ ଦେବାକୁ କେନ୍ଦ୍ରକୁ ଅନୁରୋଧ କରିବା ପରେ ମଧ୍ୟ ଏହା ପୂରଣ କରିବାରେ ବିଫଳ ହୋଇଛନ୍ତି କେନ୍ଦ୍ର ସରକାର । ଏଭଳି ପରିସ୍ଥିତିରେ ଅଭାବ ପୂରଣ ପାଇଁ ରାଜ୍ୟ ସରକାର ବିଦେଶରୁ ଟିକା ଆଣିବା ପାଇଁ ନିଷ୍ପତି ନେଇଛନ୍ତି ।

ମହାମାରୀକୁ ମାତ ଦେବାକୁ ଏକମାତ୍ର ସଞ୍ଜିବନୀ ହେଉଛି ଟିକା । ହେଲେ ଏବେ ଟିକା ନାହିଁ । ନା କେନ୍ଦ୍ର ସରକାରଙ୍କ ପାଖରେ ଅଛି, ନା କମ୍ପାନୀ ପାଖରେ ଅଛି । ଏଭଳି ପରିସ୍ଥିତିରେ ବିଦେଶରୁ ଟିକା କିଣିବା ଛଡା ଅନ୍ୟ ଉପାୟ ନାହିଁ ।

ରାଜ୍ୟବାସୀ ଯେମିତି ସୁବିଧାରେ ଟିକା ପାଇପାରିବେ ଓ ଅଭାବ ପୂରଣ ହୋଇପାରିବ ସେଥିପାଇଁ ବଡ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ଓଡିଶା ସରକାର ରାଜ୍ୟ କ୍ୟାବିନେଟରେ ବିଦେଶରୁ ଟିକା କିଣିବା ପାଇଁ ଗ୍ଲୋବାଲ ଟେଣ୍ଡର କରିବାକୁ ନିଷ୍ପତି ନେଇଛନ୍ତି । ଫଳରେ ବିଶ୍ୱର ଅନ୍ୟ କମ୍ପାନୀମାନଙ୍କଠାରୁ ଟିକା କିଣାଯାଇପାରିବ । ଏଥିପାଇଁ ଦୁଇଟି କମିଟି ବୈଷୟିକ କମିଟି ଓ ପରିଚାଳନା କମିଟି ଗଠନ କରାଯାଇଛି । ଖୁବ୍ ଶୀଘ୍ର ବୈଠକ ବସି ଏହାର ମୋଡାଲିଟି ସ୍ଥିର ହେବ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ।

ବିଶେଷଜ୍ଞଙ୍କ ମତ ଅନୁସାରେ ଟିକା ଦ୍ୱାରା ଦୁଇଟି ଲାଭ ହେଉଛି । ସଂକ୍ରମଣ କମିବା ସହିତ କରୋନାର ଭୟାବହତା ମଧ୍ୟ କମିପାରୁଛି । ତେଣୁ ଚାହିଦା ଅନୁସାରେ ବର୍ତମାନ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଟିକା ଯୋଗାଣ ହୋଇପାରୁ ନାହିଁ । ତେଣୁ ଗ୍ଲୋବାଲ ଟେଣ୍ଡର କଲେ ଅଧିକ କମ୍ପାନୀ ଯୋଡିହେବା ସହ ଟିକାର ମୂଲ୍ୟ ମଧ୍ୟ କମ୍ ପଡିପାରେ ।

ଟିକା ପାଇଁ ରାଜ୍ୟ ସରକାରଙ୍କ ଗ୍ଲୋବାଲ ଟେଣ୍ଡର ନିଷ୍ପତିକୁ ସ୍ୱାଗତ କରିଛନ୍ତି, ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ । ସେପଟେ ବିଜେପି କହିଛି, ଗ୍ଲୋବାଲ ଟେଣ୍ଡର ପାଇଁ ସରକାର କରିଥିବା କମିଟିରେ ସରକାରୀ ଅଧିକାରୀଙ୍କ ବ୍ୟତିତ ବିଚାର ବିଭାଗର ଅଧିକାରୀଙ୍କୁ ସାମିଲ କରିଥିଲେ ଭଲ ହୋଇଥାନ୍ତା । ଏହାଦ୍ୱାରା କୋଟି କୋଟି ଟଙ୍କାର ଦୁର୍ନୀତି ଆଶଙ୍କାକୁ ଏଡାଯାଇ ପାରିଥାନ୍ତା ବୋଲି କହିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ । ଓଡିଶା ପୂର୍ବରୁ ଉତରପ୍ରଦେଶ, ପଶ୍ଚିମବଙ୍ଗ, ରାଜସ୍ଥାନ, ମହାରାଷ୍ଟ୍ର, ବିଶ୍ୱ ବଜାରରୁ ଟିକା କିଣିବା ପାଇଁ ନିଷ୍ପତି ନେଇଛନ୍ତି ।