କନକ ବ୍ୟୁରୋ: ମେକ୍ ଇନ ଓଡ଼ିଶା କନକ୍ଲେଭ ମଞ୍ଚରୁ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଶିଳ୍ପପତିଙ୍କୁ ଆହ୍ୱାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶାରେ କେମିତି ଶିଳ୍ପ ସମୃଦ୍ଧ ଭିତ୍ତିଭୂମି ରହିଛି, ନୂଆ ଶିଳ୍ପନୀତି ଅଣାଯାଇଛି ଏବଂ ପୁଞ୍ଜିନିବେଶ କଲେ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି ଓଡ଼ିଶା ଟ୍ରିଲିୟନ ଡଲାର ଇକୋନୋମି ହେବାକୁ ପ୍ରତିବଦ୍ଧ । ନିବେଶକଙ୍କୁ ସହୃଦୟ ସ୍ୱାଗତ ଜଣାଉଛୁ । ଶିଳ୍ପପତିଙ୍କ ଆକର୍ଷଣ ପାଲଟିଛି ଓଡ଼ିଶା । ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ କୌଣସି ବାଧା ରହିବ ନାହିଁ । ସର୍ବୋତ୍ତମ ସୁବିଧା ଯୋଗାଇ ଦେବୁ । ଏହାସହ ବୈଦ୍ୟୁତିକ କ୍ଷେତ୍ରରେ ସଂସ୍କାର ଆଣିବାରେ ଆମେ ଅଗ୍ରଣୀ । ଆମ ଶିଳ୍ପନୀତି ଦେଶରେ ଶ୍ରେଷ୍ଠ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Advertisment

ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଓଡ଼ିଶା ଏବେ ନିବେଶକଙ୍କ ପ୍ରଥମ ପସନ୍ଦର ସ୍ଥାନ ପାଲଟିଛି । ସବୁ କ୍ଷେତ୍ରରେ ରୂପାନ୍ତରଣ ଆଣିବା ସରକାରଙ୍କର ମୁଖ୍ୟ ଲକ୍ଷ୍ୟ । ସ୍ଥିର ସରକାର ବଳରେ ପ୍ରଗତିପଥେ ଆଗଉଛି ଓଡ଼ିଶା । ଦୁଇ ଦଶନ୍ଧି ଧରି ବିକାଶମୂଳକ କାର୍ଯ୍ୟ ହିଁ ବଳରେ ଆମେ ଲଗାତାର ଓଡ଼ିଶାବାସୀଙ୍କ ସମର୍ଥନ ପାଇ ଆସୁଛୁ । ୫-ଟି ଓ ମୋ ସରକାର ଜରିଆରେ ଲୋକଙ୍କ କାର୍ଯ୍ୟକୁ ଆହୁରି ସହଜ କରାଯାଇପାରିଛି । ଆଉ ଏହା ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚୁଛି ସରକାରୀ ସୁବିଧା । ମିଶନ ଶକ୍ତି ମହିଳା ସଶକ୍ତିକରଣର ବଡ ଝଲକ । ସ୍ୱାସ୍ଥ୍ୟ କ୍ଷେତ୍ରରେ ବିଏସକେୱାଇ ନୂଆ ଅଧ୍ୟାୟ ହୋଇ ଯୋଡି ହୋଇଛି । ଗତ ଦୁଇ ଦଶନ୍ଧୀରେ ଚାଷୀଙ୍କ ଆୟ ଦୁଇଗୁଣା କରିବା ସହ ଗରିବି କମିଛି ।

ଓଡ଼ିଶା ଏବେ ଶିଳ୍ପର ନୂଆ ହବ୍ ପାଲଟିଛି । ତେଣୁ ସମସ୍ତେ ଏହି ଯାତ୍ରାରେ ସାମିଲ ହୁଅନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ନିବେଶକଙ୍କୁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଓ ସହାୟତା ମିଳିବ । ମିଳିତ ଭାବେ କାର୍ଯ୍ୟ କରିବା ସହ ଓଡ଼ିଶାକୁ ସମୃଦ୍ଧି ପଥେ ଆଗେଇ ନେବା । ଷ୍ଟିଲ ଓ ଆଲୁମିନିୟମ ଉତ୍ପାଦନ କ୍ଷେତ୍ରରେ ବିଶ୍ୱରେ ଓଡ଼ିଶା ନୂଆ ହବ୍ ପାଲଟିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଶ୍ୱସ୍ତରୀୟ ଶିକ୍ଷା ପ୍ରଦାନ ସହ ସ୍କୁଲ ରୂପାନ୍ତରଣ ଉପରେ ସରକାରଙ୍କର ଫୋକସ ରହିଛି ।