କନକ ବ୍ୟୁରୋ: ଆଉ ୧୦ବର୍ଷ ବଢ଼ିଲା ଭାରତୀୟ ଜାତୀୟ ହକି ଦଳ ମାନଙ୍କର ପ୍ରାୟୋଜକ ଅବଧି । ଆଜି ରାଜ୍ୟ କ୍ୟାବିନେଟ୍ ଉଭୟ ପୁରୁଷ ଓ ମହିଳା ଭାରତୀୟ ଜାତୀୟ ହକି ଦଳର ପ୍ରାୟୋଜକ ଚୁକ୍ତିକୁ ଆଉ ୧୦ବର୍ଷ ପାଇଁ ବୃଦ୍ଧି ପ୍ରସ୍ତାବ ଉପରେ ମୋହର ବାଜିଛି । ଅର୍ଥାତ ୨୦୨୩ରୁ ୨୦୩୩ ପର୍ଯ୍ୟନ୍ତ ହକି ଟିମ୍ ପ୍ରାୟୋଜକ ଅବଧିକୁ କ୍ୟାବିନେଟ ଅନୁମୋଦନ କରିଛି ।

Advertisment

ଓଡିଶା ସରକାର ୨୦୧୮ରୁ ଉଭୟ ପୁରୁଷ ଓ ମହିଳା ଜାତୀୟ ହକି ଟିମର ପ୍ରାୟୋଜକ ରହିଛନ୍ତି । ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଓଡିଶା ଖଣି ନିଗମ, ୨୦୧୮ରୁ ୨୦୨୩ ପର୍ଯ୍ୟନ୍ତ ୫ବର୍ଷ ପାଇଁ ଭାରତୀୟ ହକି ଦଳର ପ୍ରାୟୋଜକତା ପାଇଁ ହକି ଇଣ୍ଡିଆ ସହ ଚୁକ୍ତି କରିଥିଲା । ତେବେ ଆଗାମୀ ୧୦ ବର୍ଷ ମଧ୍ୟରେ ହକି ଇଣ୍ଡିଆକୁ ୪୩୪ କୋଟି ଟଙ୍କା ପ୍ରଦାନ କରାଯିବ । ଓଡିଶା ସରକାର ହକି ଖେଳର ପ୍ରମୁଖ ପ୍ରୋତ୍ସାହନ ଦାୟିତ୍ୱ ତୁଲାଇ ଆସୁଛନ୍ତି, ଏବଂ ହକି ଇଣ୍ଡିଆ ସହ ରାଜ୍ୟର ଭାଗିଦାରୀ ଦେଶର କ୍ରୀଡାର ପୁନରୁଦ୍ଧାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।

ଟୋକିଓ ଅଲିମ୍ପିକ୍ସରେ ପୁରୁଷ ଦଳ ୪୧ବର୍ଷ ପରେ ବ୍ରୋଞ୍ଚ୍ ପଦକ ଜିତିଥିବାବେଳେ ମହିଳା ଦଳ ପ୍ରଥମ ଥର ପାଇଁ ସେମିଫାଇନାଲରେ ପ୍ରବେଶ କରି ସଫଳତା ପାଇଥିଲା । ଓଡିଶାର ଯୁବବର୍ଗଙ୍କ ମଧ୍ୟରେ ହକି ଏକ ଲୋକପ୍ରିୟ କ୍ରୀଡା ହୋଇଥିବାରୁ ଏହି ନିଷ୍ପତି ଦ୍ୱାରା କ୍ରୀଡାକୁୁ ଅଧିକ ପ୍ରୋତ୍ସାହନ ଦେବା ସହ ଅଧିକରୁ ଅଧିକ ଯୁବ ଖେଳାଳିଙ୍କୁ କ୍ରୀଡା ପ୍ରତି ଆକୃଷ୍ଟ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।

ଏଥିସହ ରାଜ୍ୟ ରାଜ୍ୟ କ୍ୟାବିନେଟ୍ ଆଜି ୧୫ଟି ପ୍ରସ୍ତାବ ଉପରେ ମୋହର ମାରିଛି । କଟକ ରିଂ ରୋଡକୁ ଛଅ ଲେନ୍ କରିବା, ପ୍ରସ୍ତାବକୁ ଅନୁମୋଦନ ଦେଇଛି ରାଜ୍ୟ କ୍ୟାବିନେଟ୍ । ସେହିପରି ଇଭି ପଲିସୀ ୨୦୨୧ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍ ମୋହର ମାରିଛି । ଓବିସି କମିଶନ ସଂଶୋଧନ ନେଇ ଅଧ୍ୟାଦେଶ ଉପରେ ମୋହର ମାରିଛି ରାଜ୍ୟ କ୍ୟାବିନେଟ୍ ।