କନକ ବ୍ୟୁରୋ: ୨୦୩୬ ଯାଏଁ ହକି ଇଣ୍ଡିଆର ପ୍ରାୟୋଜକ ରହିବ ଓଡ଼ିଶା । ପୂର୍ବରୁ ୨୦୩୩ ଯାଏଁ ପ୍ରାୟୋଜକ ଥିଲା ଓଡିଶା । ରାଜ୍ୟ ସରକାର ଏବେ ଏହାକୁ ୨୦୩୬ ପର୍ଯ୍ୟନ୍ତ ବଢାଇଛନ୍ତି । ଏଯାବତ ହକିର ୧୩ଟି ବଡ ଟୁର୍ଣ୍ଣାମେଂଟ୍ ଆୟୋଜନ କରିସାରିଛି ଓଡିଶା । ଗତବର୍ଷ ତତକାଳୀନ ସରକାର ସରକାର ଭାରତୀୟ ହକି ଦଳର ପ୍ରାୟୋଜକ ଅବଧି ବଢାଇଥିଲେ । ଏବେ ନୂଆ ସରକାର ଏହାକୁ ଆହୁରି ୩ ବର୍ଷ ବଢାଇ ୨୦୩୬ ପର୍ଯ୍ୟନ୍ତ କରିଛନ୍ତି ।

Advertisment

ଜାତୀୟ ଖେଳ ହକିକୁ ପ୍ରୋତ୍ସାହନ ଦେବା ପାଇଁ ୨୦୩୬ ଯାଏଁ ପ୍ରଯୋଜକ ରହିବ ଓଡ଼ିଶା । ରାଜ୍ୟ ଗଠନର ଶହେ ବର୍ଷ ପୂର୍ତିର ପ୍ରତୀକ ସ୍ୱରୂପ ଏଭଳି ନିଷ୍ପତ୍ତି ନେଇଛନ୍ତି ମୋହନ ସରକାର ।
ପୂର୍ବରୁ ୨୦୩୩ ଯାଏଁ ପ୍ରାୟୋଜକ ଥିଲା ଓଡିଶା
୨୦୨୩ରୁ ୨୦୩୩ ପର୍ଯ୍ୟନ୍ତ ହକି ଟିମ୍ ପ୍ରାୟୋଜକ ଅବଧି ବଢାଇଥିଲେ ପୂର୍ବ ସରକାର
ଆଉ ୩ ବର୍ଷ ବଢ଼ାଇ ୨୦୩୬ ପର୍ଯ୍ୟନ୍ତ ପ୍ରାୟୋଜକ ରହିବାକୁ ନିଷ୍ପତ୍ତି ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଏଥିପାଇଁ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ, ମହାସଚିବ ଭୋଳାନାଥ ସିଂହଙ୍କ ସହ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ ।

ସାହାରା ଇଣ୍ଡିଆ ହାତ ଛାଡ଼ିଦେବା ପରେ ୨୦୧୮ରେ ଭାରତୀୟ ହକି ହଳର ଦାୟିତ୍ୱ ନେଇଥିଲା ଓଡ଼ିଶା । ଉଭୟ ପୁରୁଷ ଓ ମହିଳା ଦଳର ମୁଖ୍ୟ ପ୍ରାୟୋଜକ ହୋଇଥିଲା । ଏହାପରେ ଏହି ଅବଧି ବଢ଼ାଇ ଆସିଛନ୍ତି ରାଜ୍ୟ ସରକାର । ୧୯୩୬ରେ ସ୍ୱତନ୍ତ୍ର ଓଡ଼ିଶା ଗଠନ ହୋଇଥିଲା । ଶହେ ବର୍ଷ ପୂର୍ତି ହେବ ୨୦୩୬ରେ । ଏହା ସହ ଓଡ଼ିଶାବାସୀଙ୍କ ଭାବାବେଗ ଜଡିତ ଥିବାରୁ ସେପର୍ଯ୍ୟନ୍ତ ଭାରତୀୟ ହକି ଦଳର ପ୍ରାୟୋଜକ ରହିବ ବୋଲି ବଡ଼ ନିଷ୍ପତି ନେଇଛନ୍ତି ନୂଆ ମୁଖ୍ୟମନ୍ତ୍ରୀ ।

୨୦୧୪ରେ ହକି ଚମ୍ପିଆନ୍ସ ଟ୍ରଫି
୨୦୧୮ ଓ ୨୦୨୩ରେ ପୁରୁଷ ହକି ବିଶ୍ୱକପ
୨୦୧୬ରେ ବିଶ୍ୱ ହକି ଲିଗ୍
୨୦୨୦-୨୧ରେ ଉଭୟ ପୁରୁଷ ଓ ମହିଳା ପ୍ରୋ-ଲିଗ୍
୨୦୨୧ରେ ଜୁନିୟର ହକି ବିଶ୍ୱକପ ଟୁର୍ଣ୍ଣାମେଂଟ
ଆୟୋଜନ କରିସାରିଛି ଓଡିଶା ।

ଜାତୀୟ ଖେଳ ହକି ସହ ଓଡ଼ିଶାର ଆବେଗିକ ସଂପର୍କ ରହିଛି । ସୁନ୍ଦରଗଡ଼କୁ ହକି ଏନ୍ତୁଡ଼ିଶାଳ କୁହାଯାଉଥିବା ବେଳେ ଅନେକ ଅନ୍ତଜାର୍ତୀୟ ହକି ତାରକା ଓଡ଼ିଶା ମାଟିରୁ ବାହାରିଛନ୍ତି । ହକିକୁ ପ୍ରୋତ୍ସାହନ ଜାରି ରଖିବା ନିଷ୍ପତି ନେଇ ମାଷ୍ଟର ଷ୍ଟ୍ରୋକ ଖେଳିଛନ୍ତି ମୋହନ ସରକାର ।