କେମିତି ହେବ ମାଟ୍ରିକ ପରୀକ୍ଷା? ଆଶା ଆଶଙ୍କାରେ ଛାତ୍ରଛାତ୍ରୀ: କାଲି ସ୍କୁଲ ବନ୍ଦ ଆଜି ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ସ୍ଥଗିତ ରଖିଲା ମାଧ୍ୟମିକ ଶିକ୍ଷା ପରିଷଦ

ଅନିଶ୍ଚିତତାରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ

435

କନକ ବ୍ୟୁରୋ: ମ୍ୟାଟ୍ରିକ ପରୀକ୍ଷାକୁ ନେଇ ଆଶା ଆଶଙ୍କା । ମହାମାରୀ କରୋନା କଟକଣା ଯୋଗୁଁ ସ୍କୁଲ ବନ୍ଦ ଥିବା ବେଳେ କେମିତି ହେବ ମ୍ୟାଟ୍ରିକ ପରୀକ୍ଷା ଏହାକୁ ନେଇ ଲାଗି ରହିଛି କଳ୍ପନା ଜଳ୍ପନା । ୨୦୨୧ ମାଟ୍ରିକ୍ ପରୀକ୍ଷା ଫର୍ମ ପୂରଣ ପ୍ରକ୍ରିୟାକୁ ସ୍ଥଗିତ ରଖିଲେ ସରକାର । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନୂଆ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ କେବେ ଫର୍ମ ପୂରଣ, ସେନେଇ ପରବର୍ତୀ ସମୟରେ ବିଜ୍ଞପ୍ତି ପ୍ରକାଶ ପାଇବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପରାମର୍ଶ କ୍ରମେ ନିଷ୍ପତି ନିଆଯିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି । ପୂର୍ବରୁ ଫର୍ମ ପୂରଣ ପାଇଁ ଦିଆଯାଇଥିବା ବିଜ୍ଞପ୍ତି ପ୍ରତ୍ୟାହାର ପାଇଁ ମାଧ୍ୟମିକ ଶିକ୍ଷା ପରିଷଦଙ୍କୁ ନିର୍ଦେଶ ଦେଇଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ।

୨୦୨୧ ମାଟ୍ରିକ୍ ପରୀକ୍ଷା ପାଇଁ ଆଗାମୀ ୯ ତାରିଖରୁ ଫର୍ମ ପୂରଣ କରିବାକୁ ପ୍ରକାଶ ପାଇଥିଲା ବିଜ୍ଞପ୍ତି । କରୋନା କାଳରେ ଚଳିତ ବର୍ଷ ଦିନଟିଏ ବି ସ୍କୁଲ ଖୋଲିନଥିବା ବେଳେ, ଏପରି ବିଚିତ୍ର ନିୟମକୁ ନେଇ ଚାରିଆଡୁ ସମାଲୋଚନା କରାଯାଇଥିଲା । ଏପରିକି ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ, ଓଷ୍ଟା ମଧ୍ୟ ଏହାର ବିରୋଧ କରିଥିଲା । କରୋନା ସଂକଟ ଭିତରେ ସିବିଏସଇର ଫର୍ମ ଫିଲ୍ପ ଠାରୁ ଆରମ୍ଭ କରି ଅନଲାଇନ କ୍ଲାସ ଚାଲିଛି । କିନ୍ତୁ ଉଚ୍ଚ ମାଧ୍ୟମିକ ପରିଷଦ ଅଧିନରେ ଥିବା ନବମରୁ ଦ୍ୱାଦଶରେ ଅନେକ ଅନିଶ୍ଚତତା ଦେଖା ଯାଇଛି ।

ଅନଲାଇନ କ୍ଲାସ ଠିକ୍ ସେ ହୋଇପାରୁନି କି ପାଠପଢ଼ା ଠିକ୍ ଢଙ୍ଗରେ ହୋଇପାରୁନି । ଯାହା ଫଳରେ ଚଳିତ ଶିକ୍ଷାବର୍ଷ ଗୁରୁତର ବାଧାପ୍ରାପ୍ତ ହୋଇଛି । କିନ୍ିୁ ଏବେ ସରକାର କ’ଣ କରିବେ । ଗୋଟେ ପଟେ ପିଲାଙ୍କ ଭବିଷ୍ୟତ ଆଉ ଅନ୍ୟ ପଟେ କରୋନା ଦାଉ । ଏଭଳି ସ୍ଥିତିରେ ୨୦୨୦-୨୧ ଶିକ୍ଷା ବର୍ଷକୁ ବାତିଲ କରିବେ ନା ସମୟ ବଢ଼ାଇବେ । ମାଟ୍ରିକ ପରୀକ୍ଷା କେବେ କରାଇବେ ।