ଖଣି ବ୍ୟବସାୟୀଙ୍କୁ ମାଡ଼ ମାରି ବଟି ଆଦାୟ ମାମଲା : ୱେବ ପୋର୍ଟାଲ ମାଲିକ ଗିରଫ

କଳିଙ୍ଗ ଲାଇଭ ମୁଖ୍ୟ ରଘୁନାଥ ସାହୁ ଓରଫ ରାଜାକୁ ଉଠାଇ ଆଣିଲା ନନ୍ଦନକାନନ ଥାନା ପୋଲିସ

167

କନକ ବ୍ୟୁରୋ : ଖଣି ବ୍ୟବସାୟୀଙ୍କୁ ମାଡ଼ ମାରିବା ସହ ବଟି ଆଦାୟ ମାମଲାରେ ମୁଖ୍ୟ ଅଭିଯୁକ୍ତ ତଥା ୱେବ ପୋର୍ଟାଲ ମାଲିକ ରଘୁନାଥ ସାହୁ ଓରଫ ରାଜାକୁ ଉଠାଇ ନେଲା ପୋଲିସ । ରାଜ୍ୟ ବାହାରୁ ତାଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇଛି । କଳିଙ୍ଗ ଲାଇଭ ମୁଖ୍ୟ ରଘୁନାଥ ସାହୁ ଓରଫ ରାଜାକୁ ଉଠାଇ ଆଣିଲା ନନ୍ଦନକାନନ ଥାନା ପୋଲିସ । ଆଗରୁ ମହିଳା ସାମ୍ବାଦିକ ସମେତ ୬ ଜଣଙ୍କୁ ପୋଲିସ ଗିରଫ କରିଥିଲା ।

ୱେବପୋର୍ଟାଲ ନାଁରେ ବ୍ୟବସାୟୀଙ୍କୁ ମଗାଯାଇଥିଲା ଦାଦାବଟି । ମୁହଁ ଖୋଲିଲେ ଠକେଇର ଶିକାର ହୋଇଥିବା ବ୍ୟକ୍ତି । ସାମ୍ବାଦିକର ମୁଖା ପିନ୍ଧି କେମିତି ଏକ ୱେବ ପୋର୍ଟାଲ ଭୁବନେଶ୍ୱରରୁ ବ୍ରହ୍ନପୁର ଯାଏଁ ବ୍ଲାକମେଲିଂର ଜାଲ ବିଛାଇଥିଲା, ତାର ବିଭିନ୍ନ ପ୍ରମାଣ ଏବେ ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସିବାରେ ଲାଗିଛି । ୨୦୨୦ ମସିହାରେ ସମାନ ଢଙ୍ଗରେ ବ୍ରହ୍ମପୁରର ଜଣେ ବ୍ୟବସାୟୀଙ୍କୁ ୫ଲକ୍ଷ ଟଙ୍କାର ଦାଦାବଟି ମାଗିଥିଲେ, ଏହି ତଥାକଥିତ ୱେବ ପୋର୍ଟାଲର କର୍ମଚାରୀ । ଟଙ୍କା ନଦେଲେ ମିଛ ଖବର ପ୍ରସାରଣ କରି ବଦନାମ କରିବାକୁ ଧମକ ଦେଇଥିଲେ । ଆଉ ଟଙ୍କା ନଦେବାରୁ ମିଛ ଖବର ପ୍ରସାରଣ କରିବାକୁ ମଧ୍ୟ ପଛାଇନଥିଲେ ।

ସେହିପରି ଗତ ଜୁନ ମାସ ୮ ତାରିଖରେ ନୟାପଲ୍ଲୀ ଥାନାରେ ଲାଇଭ କଳିଙ୍ଗ ୱେବପୋର୍ଟାଲ ନାଁରେ ସଙ୍ଗୀନ ଅଭିଯୋଗ ଆଣିଥିଲେ ଅଜୟ କୁମାର ବେହେରା । ଅଜୟ ଭୁବନେଶ୍ୱରରେ ଏକ ଫେସନ ଇନଷ୍ଟିଚ୍ୟୁଟ୍ ଚଲାନ୍ତି । ତାଙ୍କ ନିକଟରୁ ହଠାତ୍ ଏକ ଅଜଣା ନମ୍ବରରୁ କଲ୍ ଆସିଥିଲା, କଲ୍ କରୁଥିବା ଲୋକ ନିଜକୁ ଲାଇଭ କଳିଙ୍ଗ ମିଡିଆର ସାମ୍ବାଦିକର ପରିଚୟ ଦେଇ ତୁରନ୍ତ ଦେଖା କରିବାକୁ ଡାକିଥିଲା । ଶୀଘ୍ର ନ ଆସିଲେ ଅବସ୍ଥା ଖରାପ ହେବ ବୋଲି ଧମକ ମଧ୍ୟ ଦେଇଥିଲା ।

କହିଥିଲେ ଫେସନ୍ ଇନଷ୍ଟିଚ୍ୟୁଟର ଝିଅ ଅଭିଯୋଗ କରିଛନ୍ତି । ଆପଣ ସେମାନଙ୍କ ସହ ଖରାପ ସମ୍ପର୍କ ରଖିଛନ୍ତି, ଆପଣ ଖରାପ ସମ୍ପର୍କ ରଖିବାକୁ ବାଧ୍ୟ କରୁଛନ୍ତି, ଖରାପ ସମ୍ପର୍କ ରଖିବାର ଭିଡିଓ ସୁଟ୍ ହୋଇଛି । ଝିଅଙ୍କ ସହ ଖରାପ ଚାଟ୍ କରୁଥିବାର ସ୍କ୍ରିନ ସଟ୍ ମଧ୍ୟ ଅଛି । ୨ ଲକ୍ଷ ଟଙ୍କା ଦିଅନ୍ତୁ ନହେଲେ ଏସବୁ ଆମେ ପ୍ରସାରଣ କରିବୁ ବୋଲି ଧମକ ଦେଇଥିଲେ । ଏନେଇ ନୟାପଲ୍ଲୀ ଥାନା ଓ ଡିସିପିଙ୍କ ନିକଟରେ ଅଭିଯୋଗ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ହାଇକୋର୍ଟ ଯାଇଥିଲେ ଅଜୟ ବେହେରା ।

କଳିଙ୍ଗ ଲାଇଭ୍ ୱେବ୍ ପୋର୍ଟାଲ ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ଏକାଧିକ ଅଭିଯୋଗ ଥିଲେ ମଧ୍ୟ ସେମାନଙ୍କୁ ଗିରଫ କରୁନଥିଲା ପୁଲିସ । ଯେଉଁ କାରଣରୁ ସେମାନେ ଗୋଟିଏ ପରେ ଗୋଟିଏ ଲୋକଙ୍କୁ ବ୍ଲାକମେଲିଂ କରି ଠକିଚାଲିଥିଲେ । କିନ୍ତୁ କେନ୍ଦୁଝରର ବ୍ୟବସାୟୀଙ୍କ ମାଡ ମାରିିବା ଘଟଣାରେ ପୁଲିସ ତାଙ୍କୁ ଗିରଫ କରିଛି । ଆଉ ଏବେ ୱେବ ପୋର୍ଟାଲ ନାଁରେ କରିଥିବା କଳାକାରନାମା ପଦାକୁ ଆସିବାରେ ଲାଗିଛି ।