୨୯ ତାରିଖରେ ବଦଳିପାରେ ପାଣିପାଗ: ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା; ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ

କେତେକ ସ୍ଥାନରେ ଘଂଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ମଧ୍ୟ ବହିବାର ସମ୍ଭାବନା

1,372

କନକ ବ୍ୟୁରୋ: ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଗତକାଲି ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ହୋଇଛି । ଘଡଘଡି ସହ ବର୍ଷା ଏବଂ କେତେ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି । ଆସନ୍ତା ୪ ଦିନ ଧରି ଏଭଳି ପାଗ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଭାଗ । ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ କାଳ ବୈଶାଖୀ ପ୍ରଭାବ ରହିବ ବୋଲି କୁହାଯାଇଛି । କେତେକ ସ୍ଥାନରେ ଘଂଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ମଧ୍ୟ ବହିବାର ସମ୍ଭାବନା ରହିଛି । ଏହା ସହ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ତେବେ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଏହିଭଳି ସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଭାଗ କହିଛି ।

ସେପଟେ ଏପ୍ରିଲ ୨୯ ତାରିଖରେ ଦାନା ବାନ୍ଧିପାରେ ଲଘୁଚାପ । ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହା ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ ଲଘୁଚାପ ସୃଷ୍ଟି ହେବା ଆଶଙ୍କା କରୁଛନ୍ତି ପାଣିପାଗ ବିଶେଷଜ୍ଞ । କ୍ରମେ ଏହା ଘନୀଭୁତ ହେବା ଆଶଙ୍କା ମଧ୍ୟ ରହିଛି । ତେବେ ଏ ନେଇ ସ୍ପଷ୍ଟ ଭାବେ କୌଣସି ସୂଚନା ମିଳି ନାହିଁ । ଅନ୍ୟ ପଟେ କିଛି ପାଣିପାଗ ସଂସ୍ଥା ମେ’ ପ୍ରଥମ ସପ୍ତାହରେ ବାତ୍ୟା ନେଇ ମଧ୍ୟ ଆଶଙ୍କା ପ୍ରକାଶ କରିଛନ୍ତି । ତେବେ କେଉଁ ଆଡେ ଏହାର ପ୍ରଭାବ ଅନୁଭୁତ ହେବ, ଏନେଇ କିଛି ସ୍ପଷ୍ଟ ଭାବେ କୁହାଯାଇନାହିଁ । ଗତବର୍ଷ ମେ’ ୩ ତାରିଖରେ ବାତ୍ୟା ଫନି ତାଣ୍ଡବ ରଚିଥିବା ବେଳେ ଲଘୁଚାପ ଜନିତ ଖବର ଲୋକଙ୍କ ମଧ୍ୟରେ ଶଙ୍କା ସୃଷ୍ଟି କରିଛି ।

ସେପଟେ ବଜ୍ରପାତରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରେ ରହିଛନ୍ତି ମୟୂରଭଂଜ ଜିଲ୍ଲା ଖୁଂଟା ଥାନା ଅଂଚଳର ୩ ଜଣ ଯୁବକ । ସେମାନେ ମାଛ ଧରିବାକୁ ଯାଇଥିବା ବେଳେ ବଜ୍ରପାତରେ ପ୍ରାଣ ହରାଇଛନ୍ତି । ସେମାନେ ହେଲେ ବଡପଥରା ଗାଁର ଯାମିନୀକାନ୍ତ, ଦିବ୍ୟଶଙ୍କର ଓ କୌଶିକ । ସେହିପରି କେନ୍ଦୁଠର ଜିଲ୍ଲାର ୨ ଜଣ ମହିଳାଙ୍କ ମୃତ୍ୟୁ ବଜ୍ରାଘାତରୁ ହୋଇଛି । ଅନ୍ୟ ଜଣେ ଗୁରୁତର ହୋଇଥିବା ଜାଣାପଡିଛି । ତାଙ୍କୁ ଚମ୍ପୁଆ ହସ୍ପିଟାଲରେ ଭର୍ତି କରାଯାଇଛି ।