ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା : ଏହି ଜିଲ୍ଲାଗୁଡ଼ିକ ପାଇଁ ୟେ‌ଲୋ ୱାର୍ଣ୍ଣିଂ ଜାରି

592

କନକ ବ୍ୟୁରୋ : ଦକ୍ଷିଣ ଓଡ଼ିଶାରେ କୋହଲା ପାଗ ସାଙ୍ଗକୁ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ଲାଗି ରହିବ । ରାଜ୍ୟରେ ପାଗ କୋହଲା ରହିବା ସହ ଗଞ୍ଜାମ, କୋରାପୁଟ, କଳାହାଣ୍ଡି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇଛି । ୨୪ ଘଣ୍ଟା ମଧ୍ୟରେ ଗୋପାଳପୁରରେ ସର୍ବାଧିକ ୧୪୩.୩ ମିମି ବର୍ଷା ହୋଇଥିବା ବେଳେ ଛତ୍ରପୁରରେ ୨୫.୬, ଭବାନୀପାଟଣାରେ ୨୪.୮, କୋରାପୁଟରେ ୧୨.୪ ମିମି ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ଆଜି ମାଲକାନଗିରି, କୋରାପୁଟ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେ‌ଲୋ ୱାର୍ଣ୍ଣିଂ ଜାରି ହୋଇଛି। କୋମୋରିନ୍‌ ସମେତ ସଂଲଗ୍ନ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳସ୍ଥିତ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଥିବା ଲଘୁଚାପ ଦେଇ ଏକ ଟ୍ରଫ୍‌ ଲାଇନ୍‌ ଅତିକ୍ରମ କରିଥିବାରୁ ପ୍ରଭାବରେ ବର୍ଷା ହେବ ।

ଆସନ୍ତା ୩ରୁ ୪ଦିନ ମଧ୍ୟରେ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା ୧୯ରୁ ୨୧ ଡିଗ୍ରି ଏବଂ ଉପକୂଳ ଜିଲ୍ଲାଗୁଡ଼ିକରେ ରାତିର ସର୍ବନିମ୍ନ ତାପମାତ୍ରା ୨୧ରୁ ୨୩ ଡିଗ୍ରି ମଧ୍ୟରେ ରହିବ । ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ ଓ କେନ୍ଦୁଝରରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୯ ଡିଗ୍ରି ରେକର୍ଡ ହୋଇଛି ।

ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ଝାରସୁଗୁଡ଼ାଠାରେ ୩୩.୨ ଡିଗ୍ରି ରେକର୍ଡ ହୋଇଛି । ଆସନ୍ତା ୨୪ଘଣ୍ଟାରେ ଭୁବନେଶ୍ବର ସମେତ ଏହାର ଆଖପାଖ ଅଞ୍ଚଳରେ ପାଗ ମେଘୁଆ ରହିବ। ସର୍ବୋଚ୍ଚ ତାପମାତ୍ରା ୨୯ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୨ ଡିଗ୍ରି ମଧ୍ୟରେ ରହିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି ।