ବିରୋଧୀଙ୍କ କୁଚିଣ୍ଡା ବନ୍ଦ ବେଳେ ମନ୍ତ୍ରୀ ଟୁକୁନି ସାହୁଙ୍କୁ ବିରୋଧ : ଡାକ ବଙ୍ଗଳାରେ ତାଲା ପକାଇଲେ କଂଗ୍ରେସ ଓ ବିଜେପି କର୍ମୀ

ବିଜେଡିର ମାଡ଼ ପ୍ରତିବାଦରେ କରାଯାଉଛି କୁଚିଣ୍ଡା ବନ୍ଦ ପାଳନ

128

କନକ ବ୍ୟୁରୋ : କଂଗ୍ରେସ ଓ ବିଜେପି ପକ୍ଷରୁ ଆଜି କୁଚିଣ୍ଡା ୧୨ ଘଣ୍ଟା ବନ୍ଦ କରାଯାଇଛି। ବିଜେଡି କର୍ମୀଙ୍କ ଗୁଣ୍ଡାଗିରି ପ୍ରତିବାଦରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ପାଳନ କରୁଛନ୍ତି ଏହି ଦୁଇଟି ଦଳ । ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ପ୍ରତିବାଦ କରୁଥିବା ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଗୋଡେଇ ଗୋଡେଇ ମାଡ଼ ମାରିଥିଲେ ବିଜେଡ଼ି କର୍ମୀ ।

ଆଜି ଏହାକୁ ବିରୋଧ କରି କୁଚିଣ୍ଡା ୧୨ ଘଣ୍ଟା ବନ୍ଦ କରିବା ସହ ଏବେ ମନ୍ତ୍ରୀ ଟୁକୁନି ସାହୁଙ୍କୁ ଏହି ଦୁଇଟି ଦଳ ବନ୍ଦୀ କରିଥିବା ଜଣାପଡ଼ିଛି । ଟୁକୁନି ସାହୁ କୁଚିଣ୍ଡାକୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରିବାକୁ ଯାଇଥିବା ବେଳେ ଏହି ଦୁଇଟି ଦଳ ତାଙ୍କୁ ଡାକବଙ୍ଗଳାରେ ବନ୍ଦ କରି ତାଲା ପକାଇଦେଇଛନ୍ତି । ଡାକବଙ୍ଗଳା ବାହାରେ ଏବେ ନାରାବାଜି ଚାଲୁଥିବା ବେଳେ ଘଟଣାସ୍ଥଳରେ ପୁଲିସ ଏବଂ ଏସଡିପିଓ ଉପସ୍ଥିତ ରହିଛନ୍ତି ।

ଉଲ୍ଲେଖଯୋଗ୍ୟ, ଗତକାଲି ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ପ୍ରତିବାଦ କରୁଥିବା ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଗୋଡେଇ ଗୋଡେଇ ମାଡ଼ ମାରିଥିଲେ ବିଜେଡ଼ି କର୍ମୀ। ପୁଲିସ ଘଟଣାସ୍ଥଳରେ ଥାଇ ମଧ୍ୟ ଆକ୍ରମଣକାରୀଙ୍କୁ ରୋକିପାରିନଥିଲା । ଆଜି ଏହାର ପ୍ରତିବାଦରେ କୁଚିଣ୍ଡା ବନ୍ଦ ଡାକରା ଦେଇଛନ୍ତି ଉଭୟ କଂଗ୍ରେସ ଓ ବିଜେପି ଦଳ । ତେବେ ବନ୍ଦ ଡାକରାକୁ କୁଚିଣ୍ଡା ବ୍ୟବସାୟୀ ସଂଘ ସମର୍ଥନ ଦେବ ନାହିଁ ବୋଲି କହିଛି ।

ସ୍ଥାନୀୟ ଧର୍ମଶାଳାରେ ବ୍ୟବସାୟୀ ସଂଘର ଏକ ବୈଠକ ହୋଇଥିଲା । ବୈଠକରେ ଆଗକୁ ଦୀପାବଳୀ ଓ ଧନତେରସ ଥିବାରୁ ବନ୍ଦ ଡାକରାକୁ ସମର୍ଥନ ନଦେବାକୁ ନିଷ୍ପତ୍ତି ନିଆଯାଇଥିବା କହିଛି କୁଚିଣ୍ଡା ବ୍ୟବସାୟୀ ସଂଘ ।