ଛତିଶଗଡରେ ପହଁଚିଥିବା ପଙ୍ଗପାଳଙ୍କ ଗତିବିଧି ଉପରେ ଓଡିଶାର ନଜର । ମୁଖ୍ୟମନ୍ତ୍ରୀ କଲେ ସମୀକ୍ଷା, ସୀମାନ୍ତ ଜିଲ୍ଲାରେ ସତର୍କ ରହିବାକୁ ନିର୍ଦ୍ଦେଶ ।

1,129

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ପଙ୍ଗପାଳ ଚିନ୍ତା । ଏ ନେଇ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । କୃଷି ନିର୍ଦ୍ଦେଶ କହିଛନ୍ତି, ପଙ୍ଗପାଳ ଏବେ ଛତିଶଗଡରୁ ମଧ୍ୟପ୍ରଦେଶ ଆଡେ ମୁହାଁଇଛନ୍ତି । ଓଡିଶା ଆସିବାର ସମ୍ଭାବନା ବି ରହିଛି । ପବନର ଦିଗ ଅନୁସାରେ ସେମାନେ ଗତିବିଧି ପରିବର୍ତନ କରୁଛନ୍ତି । ସେଥିପାଇଁ ଆନ୍ଧ୍ର, ଛତିଶଗଡ, ଝାଡଖଣ୍ଡ, ତେଲେଙ୍ଗାନା ସୀମାବର୍ତୀ ଜିଲ୍ଲାଗୁଡିକୁ ସତର୍କ କରାଯାଇଛି । ଏବେ ସୁଦ୍ଧା ରାଜ୍ୟରେ ପଙ୍ଗପାଳ ପଂହଚିନାହାନ୍ତି । ସବୁ ଜିଲ୍ଲାରେ କଂଟିନଜେନ୍ସି ପ୍ଲାନ ପ୍ରସ୍ତୁତ କରିବା ପାଇଁ କୁହାଯାଇଛି ।

ତେବେ ବଡ ବଡ ସ୍ପ୍ରେ ମେସିନ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ଏଥିପାଇଁ ୧୫ ଲକ୍ଷ ଚାଷୀଙ୍କୁ ସଚେତନ କରାଯିବ । ବିଶେଷକରି ସୁନ୍ଦରଗଡ, ବରଗଡ, ମାଲକାନିଗିରି ସମେତ ଅନେକ ଜିଲ୍ଲାକୁ ସତର୍କ କରାଯାଇଛି । ଓଡିଶାରେ ଦେଖାଦେଇଥିବା ଝିଂଟିକା ପଙ୍ଗୁପାଳ ନୁହନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ କୃଷି ନିର୍ଦ୍ଦେଶକ କହିଛନ୍ତି । ସେପଟେ ଓୟୁଏଟି କୁଳପତି କହିଛନ୍ତି, ସବୁ ପ୍ରକାରର ମନିଟରିଂ ଜାରି ରହିଛି । ଛତିଶଗଡ ସୀମାନ୍ତବର୍ତୀ ଜିଲ୍ଲାକୁ ସତର୍କ ରହିବାକୁ ପଡିବ ।

ସେପଟେ ପଙ୍ଗପାଳର ମୁକାବିଲା ପାଇଁ ଛତିଶଗଡ ସୀମାନ୍ତବର୍ତୀ ଜିଲ୍ଲାଗୁଡିକରେ ବ୍ୟବକ ବନ୍ଦୋବସ୍ତ କରାଯାଇଛି । ବରଗଡ, ସୁନ୍ଦରଗଡ, ସୋନପୁର, ନୂଆପଡା, ଝାରସୁଗୁଡା, କଳାହାଣ୍ଡି, ମାଲକାନଗିରି ଓ ସମ୍ବଲପୁର ଜିଲ୍ଲାକୁ ପଙ୍ଗପାଳ ଆସିବାର ଭୟ ରହିଛି । ତେଣୁ ଜିଲ୍ଲା ଗୁଡକରେ ଜରୁରୀ ବୈଠକ ହୋଇଛି । ସମ୍ବଲପୁର ଜିଲ୍ଲା ପ୍ରଶାସନ ଓ କୃଷି ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସାଙ୍ଗକୁ ପଂଚାୟତ ସ୍ତରରେ ଟିମ୍ ଗଠନ ହୋଇଛି । କୃଷି ନିର୍ଦେଶକଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ବିଭିନ୍ନ କୃଷି ଅଧିକାରୀଙ୍କୁ ନେଇ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ପଙ୍ଗପାଳ ଓଡିଶା ପହଂଚିବା ପୂର୍ବରୁ ସଜାଗ ରହିବା ଚାଷୀଙ୍କୁ ସଚେତନ କରିବା ପାଇଁ କୁହାଯାଇଛି । ଜିଲ୍ଲାପାଳ ନିଜେ ଏହାକୁ ମନିଟରିଂ କରୁଛନ୍ତି । ସେପଟେ ବରଗଡ ଜିଲ୍ଲାର ଚାଷୀ ମଧ୍ୟ ଆତଙ୍କିତ ହୋଇ ପଡିଛନ୍ତି । ଓଡିଶାର ଭାତହାଣ୍ଡି କୁହାଯାଉଥିବା ବରଗଡରେ ଏବେ ରବି ଋତୁ ଧାନ ଅମଳ ଚାଲିଛି । ୬୦ ପ୍ରତିଶତ ଧାନ ଅମଳ ହୋଇଥିବା ବେଳେ ଆହୁରୀ ୪୦ ପ୍ରତିଶତ ଧାନ ବିଲରେ ପଡିଛି । ବିରି, କୋଳଥ ପରି ଡାଲି ଜାତୀୟ ଫସଲ ବି ହୋଇଛି । ତେଣୁ ଜିଲ୍ଲାରେ ପଙ୍ଗପାଳଙ୍କ ପ୍ରତିହତ ପାଇଁ ଜିଲ୍ଲା କୃଷି ବିଭାଗ ପ୍ରସ୍ତୁତି କରୁଥିବା ବେଳେ ସତର୍କ ରହିବା ପାଇଁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି । ସୁନ୍ଦରଗଡ ଜିଲ୍ଲାରେ ଜିଲ୍ଲପାଳ ନିଖିଲ ପବନ କଲ୍ୟାଣ ଏକ ଜରୁରୀ କାଳୀନ ବୈଠକ ଡକାଇ କିଭଳି ଏହି ପଙ୍ଗପାଳଙ୍କ ମୁକାବିଲା କରି ହେବ ସେନେଇ ସମୀକ୍ଷା କରିଛନ୍ତି । ଏହି ବୈଠକରେ ଜଙ୍ଗଲ ବିଭାଗ, କୃଷି ବିଭାଗ, ଉଦ୍ୟାନ ବିଭାଗ ସହ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।