ଶୀତରେ ଥରହର ଭୁବନେଶ୍ବର : ଆସନ୍ତା ୩ ଦିନରେ ୧୦ ଡିଗ୍ରୀକୁ ଖସିବ ତାପମାତ୍ରା; ସେପଟେ,୫ଟି ଜିଲ୍ଲା ପାଇଁ ଅରେଂଜ ଓ ୧୧ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଆଗାମୀ ଦୁଇ ଦିନ ଯାଏଁ ପ୍ରବଳ ଥଣ୍ଡା ନେଇ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ । ମୁକାବିଲା ପାଇଁ ଜିଲ୍ଲାପାଳ ମାନଙ୍କୁ ସତର୍କ କରାଇଲେ ଏସଆରସି

147

କନକ ବ୍ୟୁରୋ : ସକାଳୁ ସକାଳୁ କମ୍ବଳରୁ ମୁହଁ କାଢ଼ିବାକୁ ଇଚ୍ଛା ହେଉନି । ମୁହଁ ଧୋଇଲା ବେଳକୁ ଟାଙ୍କି ପାଣି ବରଫ ଭଳି ଲାଗୁଛି । ସକାଳର କାଲୁଆ ପବନକୁ କୁହୁଡ଼ିଆ ପାଗ ଓ ପ୍ରବଳ ଜାଡ଼ ରାଜଧାନୀକୁ ଥରାଇ ଦେଇଛି । ରାଜଧାନୀବାସୀ ଆଜି ସକାଳୁ ପ୍ରବଳ ଶୀତ ଅନୁଭବ କରିଛନ୍ତି। ବିଶେଷକରି ବସ୍ତି ଅଞ୍ଚଳରେ ରହୁଥିବା ଲୋକେ ବିଶେଷଭାବେ ପ୍ରଭାବିତ ହୋଇଛନ୍ତି । ଶୀତରୁ ରକ୍ଷା ପାଇବା ପାଇଁ ରାଜଧାନୀର ବିଭିନ୍ନ ସ୍ଥାନରେ ଲୋକେ ନିଆଁ ଜାଳି ବସିଥିବା ଦେଖିବାକୁ ମିଳିଛି । ଗତ କିଛି ଦିନ ହେଲା ସ୍ବାଭାବିକ ପାଖାପାଖି ରହୁଥିବା ରାଜଧାନୀର ସର୍ବନିମ୍ନ ତାପମାତ୍ରା ଆଜି ୧୩ ଡିଗ୍ରୀକୁ ଖସିଛି ।

୧୫ ତାରିଖ ଦିନ ରାଜଧାନୀର ସର୍ବନିମ୍ନ ରାତି ତାପମାତ୍ରା ୧୯.୨ଡିଗ୍ରୀ ରେକର୍ଡ ହୋଇଥିଲା। ଆଜି ସକାଳେ ରାଜଧାନୀର ସର୍ବନିମ୍ନ ତାପମାତ୍ରା ୧୩.୯ ଡିଗ୍ରୀ ରହିଥିଲା। ଅର୍ଥାତ ୫ ଦିନରେ ରାଜଧାନୀରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୬ ଡିଗ୍ରୀ ଖସିଛି। ଗତକାଲି ରାଜଧାନୀର ସର୍ବନିମ୍ନ ତାପମାତ୍ରା ୧୬.୫ ଡିଗ୍ରୀ ରହିଥିଲା, ଆଜି ତାହା ପ୍ରାୟ ୩ ଡିଗ୍ରୀ ତଳକୁ ଖସିଛି। ଆସନ୍ତା ୨ରୁ ୩ ଦିନ ଭିତରେ ରାଜଧାନୀର ପାରଦ ସ୍ତର ଆହୁରି ୩ ଡିଗ୍ରୀ ପର୍ଯ୍ୟନ୍ତ ଖସିବ। ଫଳରେ ରାଜଧାନୀର ସର୍ବନିମ୍ନ ତାପମାତ୍ରା ଆସନ୍ତା ୩ ଦିନରେ ୧୦ ଡିଗ୍ରୀକୁ ଖସିଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି।

ଆଗାମୀ ଦୁଇ ଦିନ ଯାଏଁ ପ୍ରବଳ ଥଣ୍ଡା ନେଇ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ପରେ ଜିଲ୍ଲାପାଳ ମାନଙ୍କୁ ସତର୍କ କରାଇ ଦେଇଛନ୍ତି ସ୍ୱତନ୍ତ୍ର ରିଲଫ କମିଶନର । ଶୀତର ମୁକାବିଲା ପାଇଁ ପ୍ରସ୍ତୁତ ରହିବା ସହ ନିରାଶ୍ରୟଙ୍କୁ ଥଣ୍ଡାରୁ ରକ୍ଷା କରିବା ପାଇଁ ରାତ୍ରୀକାଳୀନ ଆଶ୍ରୟ ସ୍ଥଳୀରେ ରଖିବାର ବ୍ୟବସ୍ଥା କରିବାକୁ କୁହାଯାଇଛି । ଭାରତୀୟ ପାଣିପାଗ ବିଭାଗ- ଆଇଏମଡି ଆଗାମୀ ଦୁଇଦିନ ପାଇଁ ମୟୁରଭଞ୍ଜ, ଅନୁଗୁଳ, ଝାରସୁଗୁଡା, ସୁୁନ୍ଦରଗଡ ଓ ବରଗଡ ଜିଲ୍ଲା ପାଇଁ ଅରେଜ ୱାର୍ଣ୍ଣିଂ ଜାରି କରିଛି ।… ସେହିପରି କୋରାପୁଟ, କନ୍ଧମାଳ, ବାଲେଶ୍ୱର, କନ୍ଦୁଝର, ବୌଦ୍ଧ, ସୋନପୁର, କଳାହାଣ୍ଡି, ନୂଆପଡା, ଢେଙ୍କାନାଳ, କଟକ ଓ ଦେବଗଡ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ଅର୍ଥାତ ଏସବୁ ଜିଲ୍ଲାରେ ପାରଦ କମିବାର ଆଶଙ୍କା ଥିବାରୁ ଜିଲ୍ଲାପାଳମାନଙ୍କୁ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି ।